ରାହୁଲଙ୍କୁ ଝଟକା ! ମୋଦି ସାଙ୍ଗିଆ ମାମଲାରେ ଗୁଜରାଟ ହାଇକୋର୍ଟରୁ ହେଲେ ନିରାଶ
ଗାନ୍ଧିନଗର : ମୋଦି ସାଙ୍ଗିଆ ମାମଲାରେ ତଳ କୋର୍ଟଙ୍କ ଆଦେଶ ବିରୋଧରେ ଗୁଜରାଟ ହାଇକୋର୍ଟରେ ଅପିଲ କରିଥିବା ରାହୁଲ ଗାନ୍ଧିଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ହାଇକୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରି ତଳ କୋର୍ଟଙ୍କ ୨ ବର୍ଷ ଜେଲ ଦଣ୍ଡାଦେଶ କାଏମ ରହିଛି। ରାହୁଲଙ୍କ ଲୋକସଭା ସଦସ୍ୟ ପଦ ଫେରି ପାଇବା ଆଶା ମଉଳି ଯାଇଛି। ତେବେ ସେ ସୁପ୍ରିମକୋର୍ଟରେ ଆବେଦନ କରିବେ । ଗୁଜରାଟ ହାଇକୋର୍ଟ ତଳ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ ମଧ୍ୟ ରାହୁଲ ଏବେ ଜେଲ୍ ଯିବେ ନାହିଁ। କାରଣ ତଳ କୋର୍ଟରୁ ତାଙ୍କୁ ପୂର୍ବରୁ ଜାମିନ ମିଳି ସାରିଛି।
୨୦୧୯ ନିର୍ବାଚନ ବେଳେ ରାହୁଲ ଗାନ୍ଧୀ ପ୍ରଚାର ସମୟରେ ମୋଦି ସାଙ୍ଗିଆ ପ୍ରସଙ୍ଗରେ ଯେଉଁ ବୟାନ ଦେଇଥିଲେ ତାହାକୁ ନେଇ ହୋଇଥିବା ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାହୁଲ ଗାନ୍ଧୀ । ଗୁଜରାଟର ସୁରଟର ଜିଲ୍ଲା କୋର୍ଟ ୪ ବର୍ଷ ତଳର ଏହି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷର ଜେଲଦଣ୍ଡ ଶୁଣାଇଥିଲେ। ଜେଲଦଣ୍ଡ ଘୋଷଣା ସହିତ ବିଚାରପତି ୧୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନରେ ଯାଇ ପାରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଏ ପ୍ରସଙ୍ଗରେ ଉପର କୋର୍ଟରେ ଅପିଲ କରିବା ପାଇଁ ୩୦ ଦିନର ମହଲତ ଦେଇଥିଲେ କୋର୍ଟ।
ସୂଚନା ଯେ, ୨୦୧୯ର ଏହି ନିର୍ବାଚନୀ ସଭାରେ ମୋଦି ସାଙ୍ଗିଆକୁ ନେଇ କଟୁକ୍ତି ପ୍ରକାଶ କରିଥିବା ରାହୁଲଙ୍କ ବିରୋଧରେ ରାୟ ପ୍ରକାଶ କରି ସୁରଟ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ରାହୁଲଙ୍କ ଏହି ବୟାନ ପୂରା ମୋଦି ସମାଜ ପ୍ରତି ଅପମାନ ବୋଲି ଦର୍ଶାଇ ବିଜେପି ବିଧାୟକ ପୁର୍ଣ୍ଣେଶ ମୋଦି ଏକ ମାନହାନି ମାମଲା ରୁଜୁ କରିଥିଲେ । ମାର୍ଚ୍ଚ ୨୩ରେ ଦୁଇ ବର୍ଷ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ଯାହାକୁ ଚ୍ୟାଲେଞ୍ଜ କରି ରାହୁଲ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧି ଲୋକସଭା ସଦସ୍ୟତା ପଦ ହରାଇଥିଲେ ।