କଂଗ୍ରେସକୁ ଝଟ୍କା: ଦଳ ଛାଡ଼ିଲେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ
ପାଣାଜୀ : ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ଝଟକା ଦେଇ ଦଳର ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରବି ନାଏକ ରାଜ୍ୟ ବିଧାନସଭାରୁ ଇସ୍ତଫା ଦେଇଛନ୍ତି। ଚଳିତ ବର୍ଷ ଅକ୍ଟୋବରରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିନହୋ ଫାଲେରୋ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ ଏବଂ ପରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ଇସ୍ତଫା ଦାଖଲ କରିବା ପରେ ନାଏକ ସାମ୍ବାଦିକମାନଙ୍କୁ କହିଛନ୍ତି, ମୁଁ ଇସ୍ତଫା ଦେଇଛି। ମୋର ପରବର୍ତ୍ତୀ କାର୍ଯ୍ୟପନ୍ଥା କ’ଣ ହେବ ସେ ସମ୍ପର୍କରେ ମୁଁ ଆପଣଙ୍କୁ ପରେ ଜଣାଇବି।
ଏବେ ନାଏକଙ୍କ ଇସ୍ତଫା ପରେ ୪୦ ଜଣିଆ ଗୋଆ ରାଜ୍ୟ ବିଧାନସଭାରେ କଂଗ୍ରେସର ଶକ୍ତି ତିନିକୁ ହ୍ରାସ ପାଇଛି। ଗୋଆର ପୋଣ୍ଡା ଆସନରୁ ପ୍ରତିନିଧିତ୍ୱ କରୁଥିବା ନାୟକ ବିଧାନସଭା ବାଚସ୍ପତି ରାଜେଶ ପାଟନେକରଙ୍କ ନିକଟରେ ତାଙ୍କର ଇସ୍ତଫା ପତ୍ର ଦାଖଲ କରିଥିବା ଜାଣିବାକୁ ମିଳିଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ନାଏକଙ୍କ ଦୁଇ ପୁଅ ଗତ ବର୍ଷ ଶାସକ ବିଜେପିରେ ଯୋଗ ଦେଇଥିଲେ।
ସୂଚନା ଅନୁଯାୟୀ, ବିଜେପିର ଗୋଆ ନିର୍ବାଚନ ପ୍ରଭାରୀ ଦେବେନ୍ଦ୍ର ଫଡନବୀସଙ୍କ ଉପସ୍ଥିତିରେ ନାଏକ ଦିନକ ପରେ ବିଜେପିରେ ଯୋଗଦେବେ ବୋଲି ଆଶା କରାଯାଉଛି। ରବି ନାଏକଙ୍କ ସାନ ପୁଅ ରୟ ନାଏକ କହିଛନ୍ତି ଯେ ସେ ତାଙ୍କ ପିତାଙ୍କୁ ବିଜେପିରେ ଯୋଗଦେବାକୁ ଅନୁରୋଧ କରିଛନ୍ତି। ୨୦୧୭ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୭ଟି ଆସନ ଜିତି ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲା। ତେବେ ୧୩ଟି ଆସନ ଜିତିଥିବା ବିଜେପି ଉପକୂଳ ରାଜ୍ୟରେ ସରକାର ଗଠନ ପାଇଁ କିଛି ଆଞ୍ଚଳିକ ସଂଗଠନ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କ ସହ ମେଣ୍ଟ କରି ଗୋଆର ଶାସନ ଗାଦିକୁ ଅକ୍ତିଆର କରି ନେଇଥିଲା।