ଦୁର୍ବ୍ୟବହାରର ଶିକାର ହେଲେ ଶକିବ ଅଲ ହସନ, ଭିଡ଼ିଓ ଭାଇରାଲ୍
ନୂଆଦିଲ୍ଲୀ: ଦୁର୍ବ୍ୟବହାରର ଶିକାର ହେଲେ ବାଂଲାଦେଶର ଅଧିନାୟକ ଶକିବ ଅଲ ହସନ। କଲର ଟାଣି ତଳେ ପକାଇ ଦେଇ ପଛରୁ ଠେଲି ଦେଲେ ଫ୍ୟାନ୍। ଦୁବାଇରେ ଏକ ଗହଣା ଦୋକାନର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ଶକିବ ଏହି ଦୁର୍ବ୍ୟବହାର ଶିକାର ହୋଇଛନ୍ତି । ଏନେଇ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି ।
ଇଂଲଣ୍ଡ ବିରୋଧରେ ଟି-୨୦ ସିରିଜ୍ ଖେଳିସାରିବା ପରେ ଶକିବ ଦୁବାଇ ଗସ୍ତ କରିଥିଲେ। ଆରଭ ଖାନଙ୍କର ଗହଣା ଦୋକାନ ‘ଆରଭ ଜ୍ୱେଲରୀ’କୁ ଉଦ୍ଘାଟନ କରିବାକୁ ବୁଧବାର ସ୍ଥାନୀୟ ସମୟ ସନ୍ଧ୍ୟା ୭.୩୦ ବେଳେ ଦୁବାଇର ନ୍ୟୁ ଗୋଲ୍ଡ ଶୋକ ବିଲ୍ଡଂର ହିନ୍ଦ ପ୍ଲାଜାରେ ପହଞ୍ଚିଥିଲେ ବାଂଲାଦେଶ ଶକିବ। ନିଜ ପସନ୍ଦର କ୍ରିକେଟରଙ୍କୁ ପାଖରେ ପାଇ ପାଗଳ ହୋଇଯାଇଥିଲେ ଫ୍ୟାନ୍। ତାଙ୍କ ସହ ସେଲ୍ଫୀ ନେବାକୁ ଠେଲାପେଲା ଆରମ୍ଭ ହୋଇଯାଇଥିଲା।
ଭାଇରାଲ୍ ହେଉଥିବା ଭିଡିଓରେ ଶକିବ କାର୍ଯ୍ୟକ୍ରମରୁ ବାହାରକୁ ବାହାରୁଥିବା ବେଳେ ତାଙ୍କୁ ଫ୍ୟାନମାନେ ଘେରିଯାଇଥିଲେ। ଶକିବ ସେଠାରୁ ତରବର ହୋଇ ବାହାରିଯିବାକୁ ଚେଷ୍ଟା କରୁଥିବା ବେଳେ କିଏ ତାଙ୍କ କଲର ଧରି ଟାଣି ଦେଇଥିଲେ ତ ଆଉ କିଏ ତାଙ୍କୁ ପଛରୁ ଠେଲି ଦେଇଥିଲେ। କଲର ଟାଣିବା ପରେ ତଳେ ପଡିଯାଇଥିଲେ ଶକିବ। ତେବେ କୌଣସିମତେ ସେ ଉଠିପଡ଼ି ସେଠାରୁ ଚାଲିଯିବାକୁ ଚେଷ୍ଟା କରୁଥିବା ବେଳେ ଜଣେ ବ୍ୟକ୍ତି କଲର୍ ଧରି ଲଗାତର ଟାଣୁଥିବାର ଦେଖିବାକୁ ମିଳିଛି। ସବୁଠାରୁ ବଡ଼ କଥା ହେଲା ଏଭଳି ଅପ୍ରୀତିକର ପରିସ୍ଥିତି ଭିତରେ ଶକିବ କିନ୍ତୁ ଧୈର୍ଯ୍ୟ ହରାଇ ନଥିଲେ। କ୍ରିକେଟ୍ର ଏଙ୍ଗ୍ରୀମ୍ୟାନ୍ ଭାବେ ପରିଚିତ ଶକିବ ନିରବ ରହି ସମସ୍ୟା ଆଡ଼େଇ ସେଠାରୁ ଚାଲିଯାଇଥିଲେ। ୩୨ ବର୍ଷୀୟ ଶକିବ ଅଲ ହସନ୍ଙ୍କ ପାଖରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିଲା। ବିନା ସିକ୍ୟୁରିଟିରେ ସେ କାର୍ଯ୍ୟକ୍ରମରୁ ବାହାରକୁ ବାହାରୁଥିବାର ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି।
ଏହା ପୂର୍ବରୁ ବି ଶକିବଙ୍କର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଯେଉଁଥିରେ ସେ ଜଣେ ଫ୍ୟାନ୍ଙ୍କୁ ନିଜ ଟୋପିରେ ପିଟୁଥିବାର ଦେଖିବାକୁ ମିଳିଥିଲା। ଚଟୋଗ୍ରାମରେ ଏହି ଘଟଣା ଘଟିଥିଲା। ଏହାପରେ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ କ୍ରିକେଟରଙ୍କୁ ସେଠାରୁ ଜବରଦସ୍ତି ନେଇଯାଇଥିଲେ।