ପୁଅ ଆର୍ଯ୍ୟନକୁ ଭେଟିବାକୁ ଜେଲରେ ପହଞ୍ଚିଲେ ଶାହରୁଖ
ମୁମ୍ବାଇ: ପୁଅ ଆର୍ଯ୍ୟନକୁ ଭେଟିବାକୁ ଜେଲରେ ପହଞ୍ଚିଲେ ଶାହରୁଖ ଖାନ। ଗୁରୁବାର ସକାଳେ ଆର୍ଥର ରୋଡ ଜେଲରେ ପହଞ୍ଚିଥିଲେ ଶାହରୁଖ । ଶାହାରୁଖ ପ୍ରାୟ ୯.୧୦ ରେ ୱେଟିଂ ରୁମ୍କୁ ଯାଇଥିଲେ। ବଡିଗାର୍ଡ ରବି ଏବଂ କର୍ମଚାରୀମାନେ ମଧ୍ୟ ତାଙ୍କ ସହିତ ବାହାରେ ନଜର ଆସିଥିଲେ। ପୁଅ ଗିରଫ ହେବା ପରେ ଆଜି ପ୍ରଥମ ଥର ପାଇଁ ତାଙ୍କୁ ଭେଟିବାକୁ ଜେଲରେ ପହଞ୍ଚିଛନ୍ତି କିଙ୍ଗ ଖାନ ଶାହାରୁଖ।
ଡ୍ରଗ୍ ମାମଲାରେ ଆର୍ଯ୍ୟନ ଧରାପଡ଼ିବା ପରେ ତାଙ୍କ ବାପାଙ୍କ ସହ ଏହା ପ୍ରଥମ ମୁହାଁମୁହିଁ ସାକ୍ଷାତ। କୋଭିଡ ପ୍ରୋଟୋକଲ ହେତୁ ଶାହାରୁଖ ଆର୍ଯ୍ୟନଙ୍କୁ ଭେଟି ପାରୁନଥିଲେ। ଆଜିଠାରୁ ସମ୍ପର୍କୀୟମାନଙ୍କୁ ସାକ୍ଷାତ କରିବାକୁ ଅନୁମତି ଦିଆଯାଇଛି । ଯାହାର ସୁଯୋଗ ନେଇ ଶାହାରୁଖ ଆର୍ଯ୍ୟନଙ୍କୁ ଭେଟିବାକୁ ଯାଇଥିଲେ। କୋଭିଡ ସହ ଜଡିତ ସତର୍କତା ସହିତ ସେ ୧୦ରୁ ୧୫ ମିନିଟ୍ ପାଇଁ ସାକ୍ଷାତ କରିବାକୁ ସମୟ ପାଇଥିଲେ। ପୂର୍ବରୁ ଶାହାରୁଖ ଏବଂ ଗୌରୀ ଆର୍ଯ୍ୟନଙ୍କ ସହ ଭିଡିଓ କଲରେ କଥା ହେଉଥିଲେ। ସେହିପରି ଜାମିନ ପାଇଁ ଆର୍ଯ୍ୟନ୍ ଖାନଙ୍କ ଓକିଲ ଆଜି ବମ୍ବେ ହାଇକୋର୍ଟରେ ପହଞ୍ଚିବେ। ଅକ୍ଟୋବର ୨୦ ରେ ସେସନ୍ସ କୋର୍ଟରେ ଆର୍ଯ୍ୟନଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। କର୍ଡେଲିଆ ସିପ୍ ଉପରେ ରେଡ୍ ପରେ ଏନସିବି ଆର୍ଯ୍ୟନ ଖାନଙ୍କୁ ଗିରଫ କରିଥିଲା। ସେମାନଙ୍କ ସହିତ ଆଉ ୭ ଜଣଙ୍କୁ ଗିରଫ କରାଯାଇଥିଲା। ପରେ ଏହି ମାମଲାରେ ଅନେକ ଜଣଙ୍କୁ ଗିରଫ କରାଯାଇଛି। ଏନସିବି ଅଭିଯୋଗ କରିଛି ଯେ ଆର୍ଯ୍ୟନଙ୍କ ଅନ୍ତର୍ଜାତୀୟ ଡ୍ରଗ୍ ବେପାରୀଙ୍କ ସହ ସମ୍ପର୍କ ରହିଛି।
ସୂଚନା ଯେ , ଗତ ବୁଧବାର ମୁମ୍ବାଇର ସ୍ବତନ୍ତ୍ର ଏନଡିପିଏସ କୋର୍ଟ ଆରୟନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ଆରୟନଙ୍କ ସମେତ ଆଉ ଦୁଇଜଣଙ୍କ ଜାମିନ ଆବେଦନକୁ ଖାରଜ କରାଯାଇଥିଲା। ସେମାନେ ଥିଲେ ସହ ଅଭିଯୁକ୍ତ ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚା । ଆରୟନଙ୍କୁ ଜାମିନ ଦେବାକୁ ଓକିଲ ସତୀଶ ମନସିନ୍ଧେ ଓ ଅମିତ ଦେଶାଇ କୋର୍ଟଙ୍କ ନିକଟରେ ଯୁକ୍ତି ରଖିଥିଲେ ବି କୋର୍ଟ ତାଙ୍କ ଯୁକ୍ତିକୁ ଗ୍ରହଣ କରିନଥିଲେ । ଏନସିବି ପକ୍ଷରୁ ସ୍ବତନ୍ତ୍ର ସରକାର ଓକିଲ ଅଦ୍ବୈତ ସେଥାନା ଆରୟନ ଓ ଅନ୍ୟମାନଙ୍କ ଜାମିନକୁ ବିରୋଧ କରିଥିଲେ । ଏନେଇ ଏନସିବି ପକ୍ଷରୁ କୁହାଯାଇଥିଲା ଯେ, କ୍ରୁଜ ଡ୍ରଗ୍ସ ପାର୍ଟିରେ ଆରୟନ ଖାନ ବଲିଉଡର ଜଣେ ଅଭିନେତ୍ରୀଙ୍କ ସହିତ ଚାଟ କରିଥିଲେ ବୋଲି ପ୍ରମାଣ ଏନସିବି ହାତରେ ଲାଗିଛି। ଏହି ଚାଟରେ ଆରୟନ ବଲିଉଡ ଅଭିନେତ୍ରୀଙ୍କ ସହିତ ନିଶା କାରବାରକୁ ନେଇ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି। ଏଥିସହିତ ଆରୟନ ଅନେକ ଡ୍ରଗ୍ଦ ପେଡଲରଙ୍କ ସହିତ ବି କଥା ହୋଇଥିବା ଜଣାଇ ସେ ସବୁର ପ୍ରମାଣ ଅଦାଲତକୁ ଦେଇଥିଲା ଏନସିବି। ତେବେ ଦିନକୁ ଦିନ ଆରୟନଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବାରୁ ଅଦାଲତ ତାଙ୍କ ଜାମିନ ଆବେଦନକୁ ଖାରଜ କରି ତଦନ୍ତ ପାଇଁ ଏନସିବିକୁ ଆଉ କିଛି ଦିନ ସମୟ ଦେଇଛନ୍ତି।