ପରଲୋକରେ ବରିଷ୍ଠ ରାଜନେତା ଶରଦ ଯାଦବ

ନୂଆଦିଲ୍ଲୀ : ବରିଷ୍ଠ ରାଜନେତା ତଥା ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଗୁରୁବାର ରାତିରେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଶରଦ ଯାଦବ ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ ଝିଅ ସୂଚନା ଦେଇଛନ୍ତି।
ଜାତୀୟ ରାଜନୀତିରେ ଶରଦ ଯାଦବ ଥିଲେ ଜଣେ ପୋଖତ ନେତା । ସେ ୭ ଥର ଲୋକସଭାକୁ ନିର୍ବାଚିତ ହେବା ସହ ଓ ୩ ଥର ରାଜ୍ୟସଭା ସଦସ୍ୟ ଥିଲେ। ୧୯୯୭ରେ ସେ ଜନତାଦଳ ଓ ପରେ ଜେଡିୟୁ ଗଠନ ହେବା ପରେ ସେ ତାହାର ପ୍ରଥମ ରାଷ୍ଟ୍ରୀୟ ସଭାପତି ଥିଲେ। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ସେ ଜେଡିୟୁରୁ ତଡ଼ା ଖାଇଥିଲେ ।
୧୯୯୯-୨୦୦୪ ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ଶରଦ ଯାଦବ କେନ୍ଦ୍ରମନ୍ତ୍ରୀ ଭାବେ ବିଭିନ୍ନ ଦାୟିତ୍ୱ ସମ୍ଭାଳିଥିଲେ। ୨୦୦୩ରେ ଯାଦବ ଜନତା ଦଳ ୟୁନାଇଟେଡ୍(ଜେଡିୟୁ)ର ଅଧ୍ୟକ୍ଷ ହୋଇଥିଲେ। ୨୦୦୪ରେ ଲୋକସଭା ନିର୍ବାଚନ ହାରିବା ପରେ ନୀତୀଶ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲେ। ୨୦୦୯ରେ ଶରଦ ପୁଣିଥରେ ମାଧେପୁରା ଲୋକସଭା ନିର୍ବାଚନ ଜିତିଥିଲେ। ତେବେ ଜେଡିୟୁ ୨୦୧୪ ସାଧାରଣ ନିର୍ବାଚନ ହାରିବା ପରେ ନୀତୀଶଙ୍କ ସହ ତାଙ୍କର ସମ୍ପର୍କ ଖରାପ ହୋଇଯାଇଥିଲା। ୨୦୧୭ରେ ନୀତୀଶ ବିଜେପି ସହ ମିଶି ସରକାର ଗଠନ କରିବା ପରେ ଶରଦ ସମର୍ଥନ ଦେଇନଥିଲେ। ଫଳରେ ଜେଡିୟୁ ତାଙ୍କୁ ରାଜ୍ୟସଭାରୁ ବହିସ୍କାର କରିବାକୁ ଦାବି କରିଥିଲା। ଏହାପରେ ଶରଦ ନୀତୀଶଙ୍କ ଠାରୁ ଅଲଗା ହୋଇ ୨୦୧୮ରେ ଲୋକତାନ୍ତ୍ରୀକ ଜନତା ଦଳ(ଏଲ୍ଜେଡି) ନାମରେ ଏକ ଦଳ ଗଠନ କରିଥିଲେ। ଏହାପରେ ମାର୍ଚ୍ଚ ୨୦୨୨ରେ ଏଲ୍ଜେଡି ଆର୍ଜେଡିର ବିଲୟ ହୋଇଯିବ ବୋଲି ସେ ଘୋଷଣା କରିଥିଲେ।