ବାଲେଶ୍ୱର : ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଆଲୋଚନା ଚକ୍ର ଓ ପୁସ୍ତକ ଉନ୍ମୋଚନ ପର୍ବ
ବାଲେଶ୍ୱର : ବାଲେଶ୍ୱର ରେମୁଣା ନୂଆପାଢ଼ୀ ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ଭାଷା ଓ ସାହିତ୍ୟ ବିଭାଗ ଏବଂ ପ୍ରଫେସର ଚିତରଞ୍ଜନ ଦାସ ସ୍ମୃତିକମିଟି ମିଳିତ ଆନୁକ୍ୟଲ୍ୟରେ ମଙ୍ଗଳବାର ଏକ ଆଲୋଚନା ଚକ୍ର ଓ ପୁସ୍ତକ ଉନ୍ମୋଚନ ପର୍ବ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ବିଭାଗ ମୁଖ୍ୟ ଡ. ଦେବାଶିଷ ପାତ୍ର ସଭା ପରିଚାଳନା କରିଥିବାବେଳେ ବିଭାଗର ଗବେଷିକା ସ୍ୱାଗତିକା ସାହୁ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ ।
ଉଦ୍ଘାଟକ ଭାବେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗଦେଇ ଚିତରଞ୍ଜନଙ୍କ ସହିତ ନିଜର ବ୍ୟକ୍ତିଗତ ପରିଚିତି ସମ୍ପର୍କିତ ସ୍ମୃତି ଏବଂ ତାଙ୍କର ବହୁମୁଖୀ ପ୍ରତିଭାସମ୍ପନ୍ନ ବ୍ୟକ୍ତିତ୍ୱ ବିଷୟରେ ଅଭିବ୍ୟକ୍ତି ପ୍ରଦାନ କରିବା ସହିତ ବିଶ୍ୱବିଦ୍ୟାଳୟରେ ଚିତରଞ୍ଜନ ସାହିତ୍ୟ ଗ୍ୟାଲେରୀ ପ୍ରତିଷ୍ଠା ସମ୍ପର୍କରେ ଘୋଷଣା କରିଥିଲେ । ସମ୍ମାନୀତ ଅତିଥି ଭାବରେ ସ୍ନାତକୋତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ଯୋଗଦେଇ ଚିତରଞ୍ଜନ ଦାସଙ୍କ ସାରସ୍ୱତ ଜୀବନର ବିଶେଷତ୍ୱ ସମ୍ପର୍କରେ ମତଦେଇଥିଲେ । ବକ୍ତା ଭାବରେ ଚନ୍ଦ୍ରଭାଗାର କବି ଶ୍ରୀଦେବ ଚିତରଞ୍ଜନଙ୍କ ସମ୍ପର୍କରେ ନିଜସ୍ୱ ଅଭିବ୍ୟକ୍ତି ବ୍ୟକ୍ତ କରିଥିଲେ । ଆଲୋଚକ ନିରଞ୍ଜନ ଖୁଣ୍ଟିଆ ଯୋଗଦେଇ ଚିତରଞ୍ଜନଙ୍କ ବ୍ୟକ୍ତିଗତ ଜୀବନ ଓ ସାହିତ୍ୟିକ ଜୀବନ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏହି ଅବସରରେ ତିନୋଟି ପୁସ୍ତକର ମଧ୍ୟ ଉନ୍ମୋଚନ କରାଯାଇଥିଲା । ଶିକ୍ଷା ସନ୍ଧାନ ସମ୍ପାଦନା ଓ ପ୍ରକାଶନରେ ପ୍ରଥମ ସକାଳ ପୁସ୍ତକ, ପ୍ରଫେସର ମଣୀନ୍ଦ୍ର କୁମାର ମେହେରଙ୍କର ଚିନ୍ତାନାୟକ ଚିତରଞ୍ଜନ ଓ ଡ. ଜୟନ୍ତ କୁମାର ଦାସଙ୍କ ସମ୍ପାଦନାରେ ସାହିତ୍ୟ ଦରବାରରେ ଭଦ୍ରକ ପୁସ୍ତକ ଲୋକାର୍ପଣ କରାଯାଇଥିଲା । ଡ. ଜୟନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କୋଭିଡ ନିୟମ ଅନୁସାରେ ଏହି ସଭା ଆୟୋଜନ କରାଯାଇଥିଲା । ଆଭାସୀ ମାଧ୍ୟମରେ ମଧ୍ୟ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ଓ ଚିତପ୍ରେମୀ ଏଥିରେ ଅଂଶଗ୍ରହଣ କରିଥିଲେ ।