ସେଲଫି ପଏଣ୍ଟ ‘ଆଇ ଲଭ ବାଲେଶ୍ୱର’ ଉଦଘାଟିତ
ବାଲେଶ୍ୱର : ଦୀର୍ଘ ଅପେକ୍ଷାର ଅନ୍ତ । ବାଲେଶ୍ୱର ସହରର ଆକର୍ଷଣୀୟ ସେଲଫି ପଏଣ୍ଟ ‘ଆଇ ଲଭ ବାଲେଶ୍ୱର’ ଉଦଘାଟିତ । ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଅବକାରୀ, ପର୍ଯ୍ୟଟନ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ସେଲଫି ପଏଣ୍ଟକୁ ଉଦଘାଟନ କରିଥିଲେ ।
ବାଲେଶ୍ୱର ପୌରପାଳିକା ତଥା ପୌର ପରିଷଦର ଉଦ୍ୟମରେ ପ୍ରତିଷ୍ଠା କରାଯାଇଥିବା ଏହି ସେଲଫି ପଏଂଟରୁ ଜିଲାବାସୀ ଭରପୂର ମଜା ଉଠାଇବେ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । ତେବେ ଏହାର ରକ୍ଷଣାବେକ୍ଷଣ ପ୍ରତି ବିଶେଷ ଗୁରୁତ୍ୱ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର ପରାମର୍ଶ ଦେଇଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସ, ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ, ପୌରାଧ୍ୟକ୍ଷା ସବିତା ସାହୁ, ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠୀ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ସେଲଫି ପଏଣ୍ଟ ବାଲେଶ୍ୱର ସହରର ଗରିମା ଓ ସୌନ୍ଦର୍ଯ୍ୟ ବୃଦ୍ଧିରେ ବେଶ ସହାୟକ ହୋଇପାରିଛି ବୋଲି କହିଥିଲେ । ବାଲେଶ୍ୱର ସମେତ ଓଡ଼ିଶାର କଳା ଓ ସଂସ୍କୃତିକୁ ଏହି ସେଲଫି ପଏଣ୍ଟରେ ସ୍ଥାନୀତ କରାଯାଇଥିବା ବେଳେ ଜିଲାବାସୀ ତଥା ବାହାରୁ ଆସୁଥିବା ଲୋକଙ୍କ ପାଇଁ ଏହା ଏକ ଆକର୍ଷଣୀୟ ସ୍ଥଳ ହେବ ବୋଲି ସେମାନେ ମତ ପ୍ରକାଶ କରିଥିଲେ । ବାଲେଶ୍ୱରର ଅତିରିକ୍ତ ଉପ-ଜିଲାପାଳ ତଥା ପୌରପାଳିକାର ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ କିଶୋର ଚନ୍ଦ୍ର ସ୍ୱାଇଁଙ୍କ ପୌରୋହିତ୍ୟରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ୯ ନଂ ୱାର୍ଡ଼ କାଉନସିଲର ସଂଜୀବ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପୌର ପରିଷଦର କାଉନସିଲର ଓ ପୂର୍ବତନ କାଉନସିଲରଙ୍କ ସମେତ ବହୁ ସଂଗଠକ ଏବଂ ଏସଏଚଜି ମହିଳା ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଉଦଘାଟନ ପରେ ସେଲଫି ଉଠାଇବାକୁ ଏଠାରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଏହି ସେଲଫି ପଏଣ୍ଟ ପ୍ରତିଷ୍ଠାରେ ମୋଟ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୫ ଲକ୍ଷ ଓ ପୌରପାଳିକା ପକ୍ଷରୁ ୧୦ ଲକ୍ଷ ଟଙ୍କାର ଅନୁଦାନରେ ଏହା ସ୍ଥାପନ କରାଯାଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।