ଜି -୨୦ ଶିଖର ସମ୍ମିଳନୀ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି, ନୂଆ ପୋଷାକରେ ଦିଲ୍ଲୀ ପୋଲିସ
ନୂଆଦିଲ୍ଲୀ : ଦେଶର ରାଜଧାନୀ ନୂଆଦିଲ୍ଲୀରେ ହେବାକୁ ଯାଉଛି ଜି -୨୦ ସମ୍ମିଳନୀ । ଏଥିପାଇଁ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା (ଉପରେ ଅଧିକ ଦୃଷ୍ଟି ଦିଆଯାଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ ସମୁଦାୟ ୪୫ ହଜାର ପୋଲିସ କର୍ମଚାରୀ ନିଯୋଜିତ ହେବେ । ଦିଲ୍ଲୀ ପୋଲିସ ସହିତ କେନ୍ଦ୍ରୀୟ ବାହିନୀ ମଧ୍ୟ ସୁରକ୍ଷା ପାଇଁ ନିୟୋଜିତ ରହିବେ । ବିଶେଷ କଥା ଏହା ଯେ, ନିୟୋଜିତ ହେବାକୁ ଥିବା ଯବାନମାନେ ସେମାନଙ୍କ ୟୁନିଫର୍ମ ବଦଳରେ ନୀଳ ସଫାରି ସୁଟ ପିନ୍ଧିବେ । ପୋଲିସ ବିଭାଗ ପକ୍ଷରୁ ଶୁକ୍ରବାର ଏହି ସୂଚନା ମିଳିଛି । ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ, ଜି -୨୦ ଶିଖର ସମ୍ମିଳନୀ ପାଇଁ ଖୁବ ପୂର୍ବରୁ ଅନେକ ଯୋଜନା କରାଯାଇଛି । ଯେଉଁଥିରେ ପାରାମିଲିଟାରୀ ଫୋର୍ସ ସଶକ୍ତିକରଣ, ନ୍ୟାସନାଲ ସିକ୍ୟୁରିଟି ଗାର୍ଡ, ଆତଙ୍କବାଦୀଙ୍କ ସହ ଲଢିବା ପାଇଁ ତାଲିମ, ଭିଭିଆଇପି ସୁରକ୍ଷା ଏବଂ ଲୋକଙ୍କ ହିତ ପାଇଁ ପୋଲିସର କର୍ତ୍ତବ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।
ନିଯୋଜିତ ହେଉଥିବା ୪୫ ହଜାର ଯବାନ ଖୁବ ଦକ୍ଷ ଓ ତାଲିମପ୍ରାପ୍ତ । ତେଣୁ ସେମାନଙ୍କୁ ସଠିକ୍ ଡ୍ରାଇଭିଂ ଦକ୍ଷତା ସହିତ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଭାବରେ କାର୍ଯ୍ୟ କରିବେ । ସିସିଟିଭି ଫୁଟେଜ ଉପରେ ନଜର ରଖିବା ପାଇଁ ନୂଆଦିଲ୍ଲୀରେ ଦୁଇଟି ସ୍ପେଶାଲ କଣ୍ଟ୍ରୋଲ୍ ରୁମ୍ ବ୍ୟବସ୍ଥା କରାଯାଇଛି। ଏଠାରେ ୨୪ ଘଣ୍ଟା ପୋଲିସ ପକ୍ଷରୁ ଗତିବିଧି ଉପରେ ନଜର ରଖାଯିବ । ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ଥିବା ସ୍ୱତନ୍ତ୍ର ପୋଲିସ କମିଶନର ମାଧୁପ ତିୱାରଙ୍କ କହିବା ଅନୁସାରେ, “ଜି -୨୦ ଶିଖର ସମ୍ମିଳନୀରେ ସୁରକ୍ଷା ପାଇଁ ନିୟୋଜିତ ପ୍ରାୟ ଅର୍ଦ୍ଧେକ କର୍ମଚାରୀ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ । ସେମାନଙ୍କୁ ଉଚିତ ତାଲିମ ପ୍ରଦାନ କରାଯାଇଛି । କେବଳ ଦିଲ୍ଲୀ ପୋଲିସ ନୁହେଁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (ସିଏପିଏଫ୍) ଏବଂ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ଭଳି ସ୍ୱତନ୍ତ୍ର ଏଜେନ୍ସିର ଅତିରିକ୍ତ କର୍ମଚାରୀଙ୍କୁ ସୁରକ୍ଷା ପାଇଁ ଯୋଗାଇ ଦିଆଯାଇଛି ।