ଟ୍ୱିନ୍ ସିଟିରେ ନାଇଟ୍ କର୍ଫ୍ୟୁ ସହ ୧୪୪ ଧାରା
- ଅମାନିଆଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଟ୍ୱିନସିଟିରେ ଆଜି ରାତି ୯ ଟାରୁ ସକାଳ ୫ ଟା ଯାଏଁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେଉଛି । ଏହି ସମୟ ମଧ୍ୟରେ ୧୪୪ ଧାରା ମଧ୍ୟ ବଳବତର ରହିବ । ଏହା କଟକ ଓ ଭୁବନେଶ୍ୱର ପାଇଁ ଲାଗୁ କରାଯାଇଥିବା ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ୧୪୪ ଧାରା ଲାଗୁ ହେଉଥିବାରୁ ବିନା କାରଣରେ ବାହାରେ ବୁଲିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କେବଳ ଅତ୍ୟାବଶ୍ୟକୀୟ ସେବା ସହ ଜଡିତ ବ୍ୟକ୍ତିମାନଙ୍କୁ ଯିବାଆସିବା ଲାଗି ଅନୁମତି ମିଳିବ । ସେମାନେ ସଂସ୍ଥା ପକ୍ଷରୁ ଦିଆଯାଇଥିବା ପରିଚୟପତ୍ର ଦେଖାଇ ଯାଇପାରିବେ ।
ସୂଚନା ଅନୁଯାୟୀ କଟକରେ ନାଇଟ୍ କର୍ଫ୍ୟୁ ସମୟରେ ୨୩ଟି ସ୍ଥାନରେ ଚେକିଂ ପୋଷ୍ଟ ହେବ । ଏଥିପାଇଁ ୧୦ ପ୍ଲାଟୁନ ପୁଲିସ ମୁତୟନ ହେବେ । ୬୦ ପୋଲିସ୍ ଅଧିକାରୀ ନିୟୋଜିତ ହେବେ । ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭୁବନେଶ୍ୱରରେ ୨୫ଟି ସ୍ଥାନରେ ବ୍ଲକିଂ ପଏଂଟ କରାଯାଇଛି । ଏହା ବ୍ୟତୀତ ପିସିଆର୍ ଗାଡ଼ି, ପାଟ୍ରୋଲିଂ ଗାଡ଼ି ଓ କର୍ଫ୍ୟୁ ଏନ୍ଫୋର୍ସମେଂଟ ଗାଡ଼ି ମୁତୟନ କରାଯାଇଛି । ନାଇଟ୍ କର୍ଫ୍ୟୁ ସମୟରେ ସବୁ ସିନିୟର ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ଭୁବନେଶ୍ୱରରକୁ ୩ଟି ଜୋନରେ ବିଭକ୍ତ କରାଯାଇ ୩ ଜଣ ଡିଏସ୍ପି ପାହ୍ୟା ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ଉଲ୍ଲେଖ୍ୟଯୋଗ୍ୟ ଯେ, କରୋନା ସଂକ୍ରମଣ ବୃଦ୍ଧିରେ ବ୍ରେକ୍ ଲଗାଇବାପାଇଁ ରଖି ରାଜ୍ୟ ସରକାର ଶନିବାର ଠାରୁ ୧୦ ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ସହ ସପ୍ତାହାନ୍ତ ଲକଡାଉନ୍ ଘୋଷଣା କରିଥିଲେ । ଏହାସହ ଅନ୍ୟ ୨୦ ଟି ଜିଲ୍ଲାର ସହରାଂଚଳରେ ରାତି ୯ ଟା ଠାରୁ ସକାଳ ୫ଟା ପର୍ଯ୍ୟନ୍ତ କେବଳ ନାଇଟ କର୍ଫ୍ୟୁ ଘୋଷଣା କରିଥିଲେ । ହେଲେ କଟକ ଓ ଭୁବନେଶ୍ୱରରେ କଟକଣା କଡ଼ାକଡ଼ି କରିବା ଲକ୍ଷ୍ୟରେ ନାଇଟ୍ କର୍ଫ୍ୟୁ ସହ ୧୪୪ ଧାରା ଲାଗୁହେବ ।