ଆଇଟିଆରରୁ ଗୁପ୍ତ ତଥ୍ୟ ଲିକ୍ ଘଟଣା : ଅଭିଯୁକ୍ତକୁ ୪ ଦିନିଆ ରିମାଣ୍ଡରେ ନେଲା ପୋଲିସ
ବାଲେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁର ସ୍ଥିତ ଆଇଟିଆରରୁ ଗୁପ୍ତ ତଥ୍ୟ ଲିକ୍ ଘଟଣାରେ ଗିରଫ ହୋଇଥିବା ବରିଷ୍ଠ ବୈଷୟିକ ଅଧିକାରୀ ବାବୁରାମ ଦେଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା ପୋଲିସ । କେଉଁ କେଉଁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସେ ପାକିସ୍ତାନ ଏଜେଣ୍ଟକୁ ଦେଇଛନ୍ତି, ଦେଶର ଗୁପ୍ତ ତଥ୍ୟ ପାଇଁ କୌଣସି ଆର୍ଥିକ କାରବାର ହୋଇଛି କି ନାହିଁ ସେନେଇ ରିମାଣ୍ଡ ସମୟରେ ଅଭିଯୁକ୍ତକୁ ଗୁଡାଇ ତୁଡାଇ ପ୍ରଶ୍ନ କରିବ ପୋଲିସ । ସେହିପରି ଆଇଟିଆରରୁ ଏହି ତଥ୍ୟ ଲିକ୍ ଘଟଣାରେ ଆହୁରି କିଛି କର୍ମଚାରୀ କିମ୍ବା ଅଧିକାରୀଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରିଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।
ପାକିସ୍ତାନକୁ ତଥ୍ୟ ଲିକ୍ ମାମଲାରେ ଗତ ଶୁକ୍ରବାର ଗିରଫ ହୋଇଥିବା ଚାନ୍ଦିପୁର ସ୍ଥିତ ଆଇଟିଆର୍ର ବରିଷ୍ଠ ବୈଷୟିକ ଅଧିକାରୀ ବାବୁରାମ ଦେ’ଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ସ୍ଥାନୀୟ ଏସ୍ଡିଜେଏମ୍ କୋର୍ଟରେ ଆବେଦନ କରିଥିଲା । କିନ୍ତୁ କୋର୍ଟ ୪ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି । ବାବୁରାମ ଦେ’ଙ୍କ ରିମାଣ୍ଡ ଅବଧି ଆଜିଠାରୁ ଆରମ୍ଭ ହୋଇଥିଲା ବେଳେ ଏହା ଆଗାମୀ ୨୮ ତାରିଖରେ ଶେଷ ହେବ ।
ଗିରଫ ବ୍ୟକ୍ତି ଜଣକ ହେଲେ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ୍ ସମ୍ପତ୍ତିଆ ପଞ୍ଚାୟତ ବାଗପୁଞ୍ଜି ଗ୍ରାମର ବାବୁରାମ ଦେ (୫୧) । ସେ ଚାନ୍ଦିପୁର ଆଇଟିଆର୍ ଟେଲିମେଟ୍ରି ବିଭାଗର ଟେକ୍ନିକାଲ ଅଫିସର ଭାବେ ବାବୁରାମ କାର୍ଯ୍ୟ କରୁଥିଲେ । ଡିଆର୍ଡିଓ ଏବଂ ଅନ୍ୟାନ୍ୟ ପ୍ରତିରକ୍ଷା ଏଜେନ୍ସି ଦ୍ୱାରା ପ୍ରାୟ ସମସ୍ତ ମିସାଇଲ୍, କ୍ଲଷ୍ଟର ବମ୍ ଇତ୍ୟାଦି ପରୀକ୍ଷା ସମୟରେ ବାବୁରାମ ଉପସ୍ଥିତ ରହିଥାନ୍ତି । ସେ ଡିଆର୍ଡିଓ କର୍ମଚାରୀ / ବୈଜ୍ଞାନିକମାନଙ୍କ ସହିତ ଯୋଗାଯୋଗରେ ରହି ମିସାଇଲ୍ ଲଞ୍ଚ ସମ୍ବନ୍ଧୀୟ ସମ୍ବେଦନଶୀଳ ବୈଷୟିକ ତଥ୍ୟର ସୂଚନା ସମ୍ପର୍କରେ ଅବଗତ ରୁହନ୍ତି । ଏହା ବ୍ୟତୀତ ମିସାଇଲ୍ ଇତ୍ୟାଦିର ପରୀକ୍ଷଣ ସମ୍ବନ୍ଧରେ ସେ ଅଗ୍ରୀମ ସୂଚନା ପାଇଥାନ୍ତି । ବାବୁରାମ ଦୀର୍ଘ ୧ ବର୍ଷ ଧରି ଭାରତର ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ପାକିସ୍ତାନକୁ ଯୋଗାଇ ଆସୁଥିଲା । ସେ ପାକିସ୍ତାନୀ ମହିଳାଙ୍କ ମାୟାଜାଲରେ ପଡି ଭିଡିଓ କଲ ମାଧ୍ୟମରେ ଆଇଟିଆରର ଗୋପନୀୟ ତଥ୍ୟ ପ୍ରଦାନ କରିଥିଲେ । ପାକିସ୍ତାନକୁ ଦେଶର ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ପ୍ରଘଟ କରିଥିବା ଜଣାପଡ଼ିବା ପରେ ବାଲେଶ୍ୱର ପୋଲିସ ଏବଂ ସେଣ୍ଟ୍ରାଲ ଏଜେନ୍ସି ମିଳିତ ଭାବେ ତଦନ୍ତ କରି ବାବୁରାମକୁ ଗତ ଶୁକ୍ରବାର ଗିରଫ କରିବା ସହ ତାଙ୍କର ମୋବାଇଲ ଜବତ କରିଥିଲେ । ଏନେଇ ଚାନ୍ଦିପୁର ଥାନାରେ ମାମଲା (ନଂ. ୨୫/୨୩) ରୁଜୁ ସହ ଧାରା ୧୨୦(ଏ)/୧୨୦(ବି)/୩୪ ଆଇପିସି/ ୩, ୪, ୫ ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ୧୯୨୩ ମୂଳେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।