ଦ୍ଵିତୀୟ ଟି-୨୦ : ଓ୍ଵେଷ୍ଟଇଣ୍ଡିଜକୁ ୧୮୭ ରନ ଟାର୍ଗେଟ୍ ଦେଲା ଭାରତ
କୋଲକାତା : ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଦିନିକିଆରେ ଗର୍ଜିଲା କୋହଲି ଓ ପନ୍ତଙ୍କ ବ୍ୟାଟ୍ । ବିରାଟ କୋହଲିଙ୍କ ଅର୍ଦ୍ଧଶତକ ପରେ ଋଷଭ ପନ୍ତ ଏବଂ ଭେଙ୍କଟେଶ ଆୟରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଏଠାରେ ଖେଳାଯାଉଥିବା ଦ୍ଵିତୀୟ ଟି-୨୦ ମ୍ୟାଚ୍ରେ ବଡ ସ୍କୋର କରି ପାରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୬ ରନ କରିଛି। ଦଳ ପକ୍ଷରୁ ବିରାଟ କୋହଲି ୫୨ ରନ କରିଥିବା ବେଳେ ଋଷଭ ପନ୍ତ ଅପରାଜିତ ୫୨ ରନ କରିଛନ୍ତି। ଭେଙ୍କଟେଶ ଆୟର ୩୩ ରନ କରିଛନ୍ତି। ଏହି ମ୍ୟାଚ୍ ଜିତି ସିରିଜ୍ ବରାବର କରିବାକୁ ହେଲେ ଓ୍ଵେଷ୍ଟଇଣ୍ଡିଜକୁ ୧୮୭ ରନ କରିବାକୁ ପଡିବ। ଭ୍ରମଣକାରୀ ଦଳ ପକ୍ଷରୁ ରୋଷ୍ଟନ ଚେଜ୍ ୨୫ ରନ ଦେଇ ୩ ଓ୍ଵିକେଟ୍ ନେଇଛନ୍ତି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ନିରାଶ ଜନକ ଥିଲା। ଇଶାନ କିଶନ(୨) ଆଉଟ୍ ହୋଇଥିଲେ। ଏହା ପରେ ରୋହିତ ଏବଂ କୋହଲି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୪୯ ରନ ଯୋଡିଥିଲେ। ୫୯ ରନ ଦଳୀୟ ସ୍କୋରରେ ରୋହିତ ଶର୍ମା ୧୮ ରନ କରି ବିଦାୟ ନେଇଥିଲେ। ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ(୮) ଆଉଟ୍ ହୋଇଥିଲେ। ଅନ୍ୟପଟେ ବିରାଟ କୋହଲି ଦମଦାର ବ୍ୟାଟିଂ କରି ଟି-୨୦ରେ ୩୦ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଦଳୀୟ ସ୍କୋର ୧୦୬ ରନରେ କୋହଲି ଆଉଟ୍ ହୋଇଥିଲେ। ସେ ୪୧ ବଲ୍ରୁ ୭ ଚୌକା ଓ ୧ ଛକା ସହ ୫୨ ରନ କରିଥିଲେ। ରୋଷ୍ଟନ ଚେଜ୍ ରୋହିତ, ସୂର୍ଯ୍ୟକୁମାର ଏବଂ କୋହଲିଙ୍କ ଓ୍ଵିକେଟ୍ ନେଇ ଭାରତକୁ ଚାପରେ ରଖିଥିଲେ।
ତେବେ ଋଷଭ ପନ୍ତ ଏବଂ ଭେଙ୍କଟେଶ ଆୟର କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଉଭୟ ଇଣ୍ଡିଜ ବୋଲରଙ୍କୁ ପ୍ରହାର କରି ପଞ୍ଚମ ଓ୍ଵିକେଟ୍ ପାଇଁ ୭୬ ରନ ଯୋଡିଥିଲେ। ଫଳରେ ଭାରତ ୫ ଓ୍ଵିକେଟ୍ ହରାଇ ୧୮୬ ରନର ବଡ ସ୍କୋର କରି ପାରିଛି। ଭେଙ୍କଟେଶ ୧୮ ବଲ୍ରୁ ୪ ଚୌକା ଏବଂ ୧ ଛକା ସହ ୩୩ ରନ କରି ପାଭିଲିୟନ ଫେରିଥିଲେ। ପନ୍ତ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୨୮ ବଲ୍ରୁ ୭ ଚୌକା ଏବଂ ୧ ଛକା ସହ ୫୨ ରନରେ ଅପରାଜିତ ଥିଲେ।