ଦ୍ଵିତୀୟ ଟି-୨୦ : ବ୍ୟାଟିଂ ପରେ ଦମଦାର ବୋଲିଂ, ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୨-୦ରେ ସିରିଜ ଜିତିଲା ଭାରତ
କୋଲକାତା : କୋଲକାତାର ଇଡେନ ଗାର୍ଡେନ୍ସଠାରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଶୁକ୍ରବାର ଖେଳାଯାଉଥିବା ୨ୟ ଟି-୨୦କୁ ୮ ଉଇକେଟରେ ଜିତିଲା ଭାରତ । ଏଥିସହ ୩ ଟିକିଆ ସିରିଜରେ ୨-୦ରେ ମ୍ୟାଚ ଜିତି ସିରିଜେ ନିଜ ହାତେଇଲା ରୋହିତ ବାହିନୀ । ଶେଷ ପର୍ଯ୍ୟନ୍ତ ଲଢେଇ କରି ଓ୍ବେଷ୍ଟଇଣ୍ଡିଜ ପରାଜୟ ପରାଣ କରିଛି ।
ସଂଘର୍ଷପୂର୍ଣ୍ଣ ଏବଂ ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ଭାରତ। ଇଡେନ ଗାର୍ଡେନରେ ଖେଳା ଯାଇଥିବା ଦ୍ଵିତୀୟ ଟି-୨୦ ମ୍ୟାଚ୍ରେ ଭାରତ ଭ୍ରମଣକାରୀ ଓ୍ଵେଷ୍ଟଇଣ୍ଡିଜକୁ ୮ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ରୋହିତ ବାହିନୀ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍କୁ ଜିତିବା ସହ ୨-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ବିରାଟ କୋହଲି(୫୨) ଏବଂ ଋଷଭ ପନ୍ତଙ୍କ ଅପରାଜିତ ୫୨ ରନ ବଳରେ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୬ ରନ କରିଥିଲା। ଜବାବରେ ଓ୍ଵେଷ୍ଟଇଣ୍ଡିଜ ଶେଷ ପର୍ଯ୍ୟନ୍ତ ଲଢି ବିଜୟଠୁ ମାତ୍ର ୯ ରନରେ ଦୂରରେ ରହି ଯାଇଥିଲା। ଶେଷରେ ଓ୍ଵେଷ୍ଟଇଣ୍ଡିଜ ୩ ଓ୍ଵିକେଟ୍ ହରାଇ ୧୭୮ ରନ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ନିକୋଲାସ ପୁରନ ୬୨ ରନ ଏବଂ ରୋଭମାନ ପାଓ୍ଵେଲ ଅପରାଜିତ ୬୮ ରନ କରିଥିଲେ। ଶେଷ ଟି-୨୦ ଫେବୃଆରୀ ୨୦ରେ ଖେଳାଯିବ।
ସୂଚନା ଯେ, ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ନିରାଶ ଜନକ ଥିଲା। ଇଶାନ କିଶନ(୨) ଆଉଟ୍ ହୋଇଥିଲେ। ଏହା ପରେ ରୋହିତ ଏବଂ କୋହଲି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୪୯ ରନ ଯୋଡିଥିଲେ। ୫୯ ରନ ଦଳୀୟ ସ୍କୋରରେ ରୋହିତ ଶର୍ମା ୧୮ ରନ କରି ବିଦାୟ ନେଇଥିଲେ। ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ(୮) ଆଉଟ୍ ହୋଇଥିଲେ। ଅନ୍ୟପଟେ ବିରାଟ କୋହଲି ଦମଦାର ବ୍ୟାଟିଂ କରି ଟି-୨୦ରେ ୩୦ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଦଳୀୟ ସ୍କୋର ୧୦୬ ରନରେ କୋହଲି ଆଉଟ୍ ହୋଇଥିଲେ। ସେ ୪୧ ବଲ୍ରୁ ୭ ଚୌକା ଓ ୧ ଛକା ସହ ୫୨ ରନ କରିଥିଲେ। ରୋଷ୍ଟନ ଚେଜ୍ ରୋହିତ, ସୂର୍ଯ୍ୟକୁମାର ଏବଂ କୋହଲିଙ୍କ ଓ୍ଵିକେଟ୍ ନେଇ ଭାରତକୁ ଚାପରେ ରଖିଥିଲେ। ତେବେ ଋଷଭ ପନ୍ତ ଏବଂ ଭେଙ୍କଟେଶ ଆୟର କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଉଭୟ ଇଣ୍ଡିଜ ବୋଲରଙ୍କୁ ପ୍ରହାର କରି ପଞ୍ଚମ ଓ୍ଵିକେଟ୍ ପାଇଁ ୭୬ ରନ ଯୋଡିଥିଲେ। ଫଳରେ ଭାରତ ୫ ଓ୍ଵିକେଟ୍ ହରାଇ ୧୮୬ ରନର ବଡ ସ୍କୋର କରି ପାରିଛି। ଭେଙ୍କଟେଶ ୧୮ ବଲ୍ରୁ ୪ ଚୌକା ଏବଂ ୧ ଛକା ସହ ୩୩ ରନ କରି ପାଭିଲିୟନ ଫେରିଥିଲେ। ପନ୍ତ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୨୮ ବଲ୍ରୁ ୭ ଚୌକା ଏବଂ ୧ ଛକା ସହ ୫୨ ରନରେ ଅପରାଜିତ ଥିଲେ।