ଦ୍ଵିତୀୟ ଟି-୨୦ : ଟସ ଜିତି ଭାରତ ବିପକ୍ଷରେ ବୋଲିଂ ନିଷ୍ପତ୍ତି ନେଲା ଓ୍ଵେଷ୍ଟଇଣ୍ଡିଜ
ନୂଆଦିଲ୍ଲୀ: ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ଦ୍ଵିତୀୟ ମ୍ୟାଚରେ ଟସ ଜିତି ଭାରତ ବିପକ୍ଷରେ ବୋଲିଂ ନିଷ୍ପତ୍ତି ନେଲା ଓ୍ଵେଷ୍ଟଇଣ୍ଡିଜ । ଉଭୟ ଦଳର ଖେଳାଳି ତ୍ରିନିଦାଦରୁ ସେଣ୍ଟ କିଟ୍ସରେ ପହଞ୍ଚିବାରେ ହୋଇଥିବା ବିଳମ୍ବ କାରଣରୁ ମୁକାବିଲା ଦୁଇ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଛି।
କ୍ରିକେଟ୍ ଓ୍ଵେଷ୍ଟଇଣ୍ଡିଜ ନିଜ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛି ଯେ, ବୋର୍ଡର ନିୟନ୍ତ୍ରଣ ବାହାରେ ଥିବା ପରିସ୍ଥିତି କାରଣରୁ ଦଳର ଗୁରୁତ୍ଵପୂର୍ଣ୍ଣ ସାମଗ୍ରୀ ତ୍ରିନିଦାଦରୁ ସେଣ୍ଟ କିଟ୍ସରେ ପହଞ୍ଚିବାରେ ବିଳମ୍ବ ଘଟିଛି। ଏହି କାରଣରୁ ଆଜିର ମୁକାବିଲା ଭାରତୀୟ ସମୟନୁସାରେ ରାତି ୧୦ଟାରୁ ଆରମ୍ଭ ହେବ। ଆମର ମୂଲ୍ୟବାନ ପ୍ରଶଂସକ, ପ୍ରାୟୋଜକ, ପ୍ରସାରଣ ଭାଗିଦାରୀ ଏବଂ ଅନ୍ୟ ସମସ୍ତ ହିତଧାରକଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ।
ପ୍ରଥମ ମ୍ୟାଚ୍ରେ ଭାରତ ୬୮ ରନ୍ରେ ବିଜୟ ହାସଲ କରିଥିଲା । ରୋହିତ ଶର୍ମା ଅର୍ଦ୍ଧଶତକ ଅର୍ଜନ କରି ଫର୍ମକୁ ଫେରିଥିଲେ । ଦିନେଶ କାର୍ତ୍ତିକ ନିମ୍ନ ଭାଗରେ ଦର୍ଶନୀୟ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଆଗକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ରହିଥିବାରୁ କାର୍ତ୍ତିକଙ୍କୁ ଫିନିଶର ଦାୟିତ୍ୱ ପ୍ରଦାନ କରାଯିବା ଏକ ପ୍ରକାର ନିଶ୍ଚିତ ଜଣା ପଡ଼ୁଛି । ବୋଲିଂ ବିଭାଗକୁ ନେଇ ଦଳର ଚିନ୍ତା ଏକପ୍ରକାର ଦୂର ହୋଇଛି । ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତି ଦଳକୁ ପ୍ରଭାବିତ କରୁନାହିଁ । ଭୁବନେଶ୍ୱର କୁମାରଙ୍କ ସହ ଯୁବ ପେସ ବୋଲର ଅର୍ଶଦୀପ ସିଂହ ପେସ୍ ବିଭାଗ ସମ୍ଭାଳିବାର କ୍ଷମତା ରଖିଥିବା ପ୍ରମାଣ କରିଛନ୍ତି । ବାକି ସ୍ପିନ ବିଭାଗ ବେଶ୍ ଶକ୍ତିଶାଳୀ ରହିଛି । ରବି ଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା ଓ ରବି ବିଷ୍ଣୋଇ ପ୍ରଥମ ମ୍ୟାଚ୍ରେ ଘାତକ ସାବ୍ୟସ୍ତ ହୋଇଥିଲେ ।