ଦ୍ୱିତୀୟ ଟି-୨୦ : ୬୫ ରନରେ ନ୍ୟୁଜିଲାଣ୍ଡକୁ ହରାଇ ଦମଦାର ବିଜୟ ଲାଭ କଲା ଭାରତ
ମାଉଣ୍ଟ ମୌଙ୍ଗନୁଇ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-୨୦ରେ ଚମକିଲେ ସୂର୍ଯ୍ୟ କୁମାର ଯାଦବ । ସୂର୍ଯ୍ୟକୁମାରଙ୍କ ପୁଣି ଏକ ଏକ ସୁପର ଶୋ’ ବଳରେ ଭାରତର ୟଙ୍ଗ୍ ବ୍ରିଗେଡ୍ ଏଠାରେ ରବିବାର ଅନୁଷ୍ଠିତ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୬୫ ରନ୍ରେ ହରାଇଲା ଭାରତ। ବିଶାଳ ଟାର୍ଗେଟକୁ ପିଛା କରି ୧୮.୫ ଓଭରରେ ସମସ୍ତ ୱିକେଟ ହରାଇ ୧୨୬ ରନ୍ ହିଁ କରି ପାରିଥିଲା ନ୍ୟୁଜଲାଣ୍ଡ ଦଳ। ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ ହରାଇ ୧୯୧ ରନ୍ କରିଥିଲା। ବ୍ୟାଟିଂ ପରେ ବୋଲିଂରେ କମାଲ ଦେଖାଇଥିଲା ଟିମ୍ ଇଣ୍ଡିଆ। ଏହି ବୃହତ ବିଜୟ ସହ ଭାରତ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି । ସିରିଜର ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇ ହୋଇଯାଇଥିଲା।
ମାଉଣ୍ଟ ମୌଙ୍ଗନୁଇରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତୀୟ ଦଳ। ଯେଉଁଥିରେ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକ ଦେଖିବାକୁ ମିଳିଥିଲା। ସେ ୫୧ଟି ବଲ୍ରୁ ୧୧ଟି ଚୌକା ଓ ୭ଟି ଛକା ସହାୟତାରେ ୧୧୧ ରନ୍ କରି ଅପରାଜିତ ରହିଥିଲେ। ଫଳରେ ନ୍ୟୁଜିଲ୍ୟାଣ୍ଡ ଆଗରେ ଭାରତ ଏକ ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିବାରେ ସଫଳ ହୋଇଥିଲା । ଅନ୍ୟମାନେ ସେତେ ଭଲ ଖେଳ ଦେଖାଇ ପାରି ନ ଥିଲେ। ସୂର୍ଯ୍ୟକୁମାରଙ୍କ ବ୍ୟତୀତ ଓପନର୍ ଇଶାନ୍ କିଶନ (୩୧ ବଲରେ ୩୬ ରନ୍) ଏବଂ ଚତୁର୍ଥ ନମ୍ବର ଶ୍ରେୟସ୍ ଆୟର (୯ ବଲରେ ୧୩ ରନ୍) ଭଲ ଆରମ୍ଭ କରିଥିଲେ ମଧ୍ୟ ଏହାକୁ ଏକ ବଡ଼ ସ୍କୋରରେ ପରିଣତ କରିପାରି ନଥିଲେ। ଅନ୍ୟପକ୍ଷରେ ରିଷଭ ପନ୍ତଙ୍କ ସହ ଇନିଂସ ଓପନ କରିବା ପାଇଁ ଭାରତର ପରୀକ୍ଷା ନିରୀକ୍ଷା କାମ କରିନଥିଲା । ସେ ୧୩ଟି ବଲରେ ୬ ରନ୍ କରି ଆଉଟ୍ ହୋଇଥିଲେ।
ଜବାବରେ କିୱି ଦଳ ୧୮.୫ ଓଭରରେ ମାତ୍ର ୧୨୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ନ୍ୟୁଜିଲାଣ୍ଡ ତରଫରୁ ଅଧିନାୟକ କେନ୍ ଓ୍ବିଲିୟମସନ ସର୍ବାଧିକ ୬୧ ରନ୍ କରିଥିବା ବେଳେ ଅନ୍ୟ କେହି ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ । ନ୍ୟୁଜ୍ଲାଣ୍ଡ ପକ୍ଷରୁ ଫିନ୍ ଏଲେନ୍ ଶୂନ୍ୟ, ଦିବନ୍ କନ୍ୱେ ୨୫ ରନ୍, ଗ୍ଲେନ୍ ଫିଲିପ୍ ୧୨ ରନ୍, ଡେରିଲ୍ ମିସେଲ୍ ୧୦ ରନ୍, ଜେମ୍ସ୍ ନୀଶାମ୍ ଶୂନ୍ୟ, ମିସେଲ୍ ସାଣ୍ଟର୍ ୨ ରନ୍, ଆଦାମ୍ ମିଲନି ୬ ରନ୍, ଈଶ୍ ସୋଢ଼ି ୧ ରନ୍, ଟିମ୍ ସାଉଥି ଶୂନ୍ୟ ଓ ଲକି ଫର୍ଗୁସନ୍ ଅପରାଜିତ ୧ ରନ୍ କରିଥିଲେ। ଅଧିନାୟକ କେନ୍ ୱିଲିୟମ୍ସନ୍ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ କରିଥିଲେ ହେଁ ତାହା ବେକାର ହୋଇଛି। ତାଙ୍କ ବ୍ୟତୀତ ନ୍ୟୁଜ୍ଲାଣ୍ଡର ଅନ୍ୟ କୌଣସି ବ୍ୟାଟର୍ ଭଲ ଖେଳ ଦେଖାଇ ପାରି ନ ଥିଲେ। ନିୟମିତ ରନ୍ ବ୍ୟବଧାନରେ ୱିକେଟ ହରାଇଥିଲା ଦଳ। ଭାରତ ତରଫରୁ ଦୀପକ ହୁଡା ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ। ୟୁଜବେନ୍ଦ୍ର ଚହଲ ଓ ମହମ୍ମଦ ସିରାଜ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।