ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପ୍ରସ୍ତୁତି
ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେବ ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ, ବୟନ ଶିଳ୍ପ, ହସ୍ତତନ୍ତ୍ର ଓ ହସ୍ତଶିଳ୍ପ, ଶକ୍ତି, ବିଜ୍ଞାନ ଓ କାରିଗରୀ, ସୂକ୍ଷ୍ମ, କ୍ଷୁଦ୍ର, ଓ ମଧ୍ୟମ ଉଦ୍ୟୋଗ, ସରକାର ଉଦ୍ୟୋଗ ବିଭାଗର ପ୍ରଶ୍ନ କାଳରେ ଆଲୋଚନା ରହିଛି ।
ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଗତ ୨ ଲକ୍ଷ ୩୦ ହଜାର କୋଟିର ବାର୍ଷିକ ବଜେଟ୍ ଉପରେ ଗୃହରେ ବିଭାଗୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ କରାଯିବ । ପ୍ରଥମ ପର୍ଯ୍ୟାୟ ଭଳି ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ମଧ୍ୟ ବେଶ୍ ସରଗରମ ରହିବା ସମ୍ଭାବନା ରହିଛି । ଏହି ମାସ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଗୃହରେ ବିଭାଗୀୟ ଖର୍ଚ୍ଚ ଦାବି ଆଲୋଚନା ଚାଲିବ । ୧୩ ତାରିଖରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ, ୧୪ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବ । ମାର୍ଚ୍ଚ ୩୧ ତାରିଖରେ ଗୃହରେ ପାରିତ ହେବ ଆସନ୍ତା ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରୀ ବିଲ୍ ।
ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ପୂର୍ବରୁ କହି ସାରିଛନ୍ତି ନବ ଦାସ ହତ୍ୟାକାଣ୍ଡକୁ ୪୦ ଦିନ ପୁରିଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ବିରୋଧୀ ଏ ପ୍ରସଙ୍ଗ ପୁଣି ସରକାରଙ୍କୁ ତଦଣ୍ତ ନେଇ ଜବାବ ମାଗିବେ । ଏହା ସହିତ ଚାଷୀ ସମସ୍ୟା, ହାତୀ ମୃତ୍ୟୁ, ଜଙ୍ଗଲରେ ନିଆଁ ଲାଗିବ ବିଭିନ୍ନ ପ୍ରସଙ୍ଗ ଉଠଇବେ । ଏପଟେ ବିରୋଧୀ ଯେଉଁ ପ୍ରସଙ୍ଗ ଉଠେଇବେ ଶାସକ ବିଜେଡି ସେ ସବୁ ପ୍ରସଙ୍ଗ ବିଧାନସଭା ଫ୍ଲୋରରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି । ଏହା ସହିତ ବିଜେଡି କେନ୍ଦ୍ରୀୟ ଅବହେଳା ଚାଉଳ ଏବଂ ଆବାସ କଥା ଉଠାଇବକୁ ରଣନୀତି ପ୍ରସ୍ତୁତ କରିଛି ।