ସଂଘର୍ଷପୂର୍ଣ୍ଣ ହେବ ଦ୍ଵିତୀୟ ଦିନିକିଆ, ବିଜୟ ଲକ୍ଷ୍ୟରେ ଭାରତ-ଅଷ୍ଟ୍ରେଲିଆ
ବିଶାଖାପଟ୍ଟନମ୍ : ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ଵିତୀୟ ଦିନିକିଆ । ବିଶାଖାପଟ୍ଟନମ୍ରେ ଖେଳାଯିବ ଏହି ମ୍ୟାଚ୍ । ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଥିବା ଭାରତ ଏହି ମ୍ୟାଚ୍ ଜିତି ସିରିଜ୍ ସିଲ୍ କରିବା ଲକ୍ଷ୍ୟରେ ରହିଛି । ଅନ୍ୟପଟେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ଏହି ମ୍ୟାଚକୁ ଜିତି ସିରିଜ୍ ବରାବାର କରିବାକୁ ଚେଷ୍ଟା କରିବ । ତେଣୁ ଦ୍ବିତୀୟ ଦିନିକିଆ ସଂଘର୍ଷପୂର୍ଣ୍ଣ ହେବ ବୋଲି ଦର୍ଶକ ଆଶା ରଖିଛନ୍ତି।
ପ୍ରଥମ ଦିନିକିଆ ଖେଳିନଥିବା ରୋହିତ ଶର୍ମା ଏହି ମ୍ୟାଚର ନେତୃତ୍ବ ନେବେ । ଶୁବମନ୍ ଗିଲଙ୍କ ସହିତ ହିଟ୍ ମ୍ୟାନ୍ ଓପନିଂ କରିବେ । ତେଣୁ ଇଶାନ କିଷନ କିମ୍ବା ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରୁ ଜଣେ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିପାରନ୍ତି । ସେପଟେ ଓ୍ବାଙ୍ଖେଡେରେ ଭଲ ପ୍ରଦର୍ଶନ କରିନଥିବା ବିରାଟ କୋହଲିଙ୍କ ଉପରେ ସମସ୍ତ ନଜର ରହିବ । ସେହିପରି ପ୍ରଥମ ଦିନିକିଆ ହିରୋ ଥିବା କେ.ଏଲ ରାହୁଲଙ୍କ ଛକା, ଚୌକାକୁ ମଧ୍ୟ ଅପେକ୍ଷା କରିଛନ୍ତି କ୍ରିକେଟ୍ ପ୍ରେମୀ। ପେସ୍ ବୋଲିଂ ଭାର ସମ୍ଭାଳିବେ ମହମ୍ମଦ ସିରାଜ ଓ ମହମ୍ମଦ ସାମି । ଦ୍ବିତୀୟ ଦିନିକିଆରେ ଯୁବ ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦରଙ୍କୁ ମଧ୍ୟ ସୁଯୋଗ ମିଳିପାରେ ।
ସେପଟେ ବିଶାଖାପଟ୍ଟନାମ ଦିନିକିଆରେ କଙ୍ଗାରୁ ଦଳ ମଧ୍ୟ ସଂଘର୍ଷ କରିବ । ଦ୍ବିତୀୟ ଓ୍ବାନଡେ’କୁ ଜିତି ସିରିଜକୁ ବରାବାର କରିବାକୁ ପ୍ରୟାସ କରିବ । ଷ୍ଟିଭ୍ ସ୍ମିଥଙ୍କ ନେତୃତ୍ବରେ ପଡ଼ିଆରେ ଓହ୍ଲାଇବ ଅଷ୍ଟ୍ରେଲିଆ ଟିମ୍ । ଅନ୍ୟପଟେ ଡେଭିଡ୍ ୱାର୍ଣ୍ଣର ସମ୍ପୂର୍ଣ୍ଣ ଫିଟ୍ ହୋଇନଥିବାରୁ ଦଳ ପାଇଁ ଓପନିଂ ଯୋଡି ବଡ଼ ସମସ୍ୟା ପାଲଟିଛି । ଭାରତ ବିଶାଖାପଟ୍ଟନାମ ଲକି ଗ୍ରାଉଣ୍ଡ ସାବ୍ୟସ୍ତ ହୋଇଛି । ଏଠାରେ ଭାରତ ୯ଟି ଦିନିକିଆ ଖେଳିଥିବାବେଳେ ଏଥିମଧ୍ୟରୁ ୭ଟିରେ ବିଜୟ ଓ ଗୋଟିଏ ପରାଜୟ ମିଳିଛି ଏବଂ ଗୋଟିଏ ମ୍ୟାଚ୍ ‘ଟାଇ’ରେ ଶେଷ ହୋଇଛି । ସେପଟେ ପଶ୍ଚିମାଝଡ଼ ଯୋଗୁ ବିଶାଖାପଟ୍ଟନାମ ରବିବାର ବର୍ଷା ସମ୍ଭାବନା ରହିଛି । ଜାତୀୟ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଏଠାରେ ଅପରାହ୍ଣରେ ବର୍ଷା ହୋଇପାରେ । ତଥାପି ପୂର୍ଣ୍ଣ ୫୦ ଓଭର ଖେଳ ସମ୍ଭବ ହୋଇପାରିବ ବୋଲି ଆଶା କରାଯାଇପାରେ ।