ଦ୍ବିତୀୟ ଦିନିକିଆ : ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ
ରାୟପୁର : ଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଦିନିକିଆ । ଦିନ ସାଢ଼େ ଗୋଟାଏରେ ରାୟପୁରରେ ଖେଳାଯିବ ଏହି ମ୍ୟାଚ୍ । ୩ ଟିକିଆ ଦିନିକିଆ ସିରିଜରେ ପ୍ରଥମ ମ୍ୟାଚକୁ ଜିତି ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ଆଜିର ମ୍ୟାଚ୍ ଜିତି ସିରିଜ ହାତେଇବାକୁ ଲକ୍ଷ୍ୟ ରଖିଛି ମେନ ଇନ ବ୍ଲୁ । ଆଜିର ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ ।
ପ୍ରଥମ ଦିନିକିଆରେ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରିଥିଲା ରୋହିତ ବାହିନୀ । ଶୁବମନ ଗିଲଙ୍କ ଦ୍ବିଶତକ ବଳରେ ଦଳର ସ୍କୋର ୩୦୦ ପାର ହୋଇଥିଲା। ମାତ୍ର ବୋଲିଂରେ ଦଳ ସେତେଟା ପ୍ରଭାବୀ ପ୍ରଦର୍ଶନ କରିପାରିନଥିଲା । ଶେଷ ମୁହୂର୍ତ୍ତରେ ଭାରତ ବିଜୟ ହାସଲ କରିଥିଲା । ଏଣୁ ଏଥର ବୋଲିଂ ଲାଇନକୁ ଫୋକସ କରିବ ଭାରତ। ଅନ୍ୟପକ୍ଷରେ ପ୍ରଥମ ଦିନିକିଆ ପରାଜୟ ପରେ ବ୍ୟାକଫୁଟରେ ରହିଛି ନ୍ୟୁଜିଲାଣ୍ଡ । ତେବେ ରାୟପୁରରେ ଖେଳାଯିବାକୁ ଥିବା ଦ୍ୱିତୀୟ ଦିନିକିଆରେ ବିଜୟ ଲାଭ କରି ସିରିଜକୁ ଫେରିବାକୁ ଉଦ୍ୟମ କରିବ ଭ୍ରମଣକାରୀ ଦଳ । ଦଳର ବ୍ୟାଟିଂ ଲାଇନ ମଧ୍ୟ ଭଲ ରହିଛି । ଟିମ୍ ଇଣ୍ଡିଆକୁ ଟକ୍କର ଦେବାକୁ ସ୍ୱତନ୍ତ୍ର ରଣନୀତି କରିଛି ନ୍ୟୁଜିଲାଣ୍ଡ ।
ରାଏପୁରସ୍ଥିତ ସହିଦ୍ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ ଦେଶର ୫୦ତମ ଦିନିକିଆ ଅନ୍ତର୍ଜାତୀୟ ଷ୍ଟାଡିୟମ୍ ହେବାକୁ ଯାଉଛି। ୫୦,୦୦୦ ପ୍ରାୟ ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମ୍ ପ୍ରଥମ ଥର ପାଇଁ ଏକ ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ଆୟୋଜନ କରିବ। ୨୦୦୮ରେ ନିର୍ମିତ ଏହି ଷ୍ଟାଡିୟମ୍ ଦେଶର ତୃତୀୟ ଏବଂ ବିଶ୍ବର ଚତୁର୍ଥ ବୃହତମ। ଛତିଶଗଡ଼ରୁ ୧୮୫୭ରେ ଦେଶ ସ୍ବାଧୀନତାର ନେତୃତ୍ବ ନେଇଥିବା ସୋନଖମର ଜମିଦାର ବୀର ନାରାୟଣ ସିଂହ ଭିଜ୍ଞୱାରଙ୍କ ନାମରେ ଏହା ନାମିତ ହୋଇଛି। ଭାରତ-ନ୍ୟୁଜିଲାଣ୍ଡ୍ର ମ୍ୟାଚ୍ ପାଇଁ ଜଣ ପିଛା ୩୦୦ ଟଙ୍କା ଦାମରେ ୪,୦୦୦ ଟିକେଟ୍ ସ୍କୁଲ୍ ପିଲାଙ୍କୁ ପ୍ରଦାନ କରାଯାଇଛି ବୋଲି ଛତିଶଗଡ଼ ରାଜ୍ୟ କ୍ରିକେଟ୍ ସଂଘ ସମ୍ପାଦକ ମୁକୁଲ ତିୱାରୀ ପ୍ରକାଶ କରିଛନ୍ତି। ୨୦୧୩ ଓ ୨୦୧୫ ମସିହାରେ ଏଠାରେ ଦୁଇଟି ଆଇପିଏଲ୍ ମ୍ୟାଚ୍ ଖେଳାଯାଇଛି। ଏବେ ଅଚଳ ଅବସ୍ଥାରେ ଥିବା ସିଏଟି୨୦ର ୮ ମ୍ୟାଚ୍ ୨୦୧୪ରେ ଖେଳାଯାଇଥିଲା। ଚଳିତ ବର୍ଷ ମହିଳା ଆଇପିଏଲ୍ର କିଛି ମ୍ୟାଚ୍ ମଧ୍ୟ ଏଠାରେ ଖେଳାଯିବାକୁ ଯାଉଛି।