ନବରାତ୍ରିର ଦ୍ୱିତୀୟ ଦିନରେ ମା’ଙ୍କ ବ୍ରହ୍ମଚାରିଣୀ ରୂପ, ଜାଣନ୍ତୁ ପୂଜା ବିଧି ଓ ମହତ୍ତ୍ବ

ପ୍ରଥମଂ ଶୈଳପୁତ୍ରୀତି ଦ୍ୱିତୀୟେ ବ୍ରହ୍ମଚାରିଣୀ ।
ତୃତୀୟମ୍ ଚନ୍ଦ୍ରଘଣ୍ଟେତି କୁଷ୍ମାଣ୍ଡେତି ଚତୁର୍ଥକମ୍ ।
ପଞ୍ଚମ ସ୍କନ୍ଧମାତେତି ଷଷ୍ଠ କାତ୍ୟାୟନୀ ତଥା ।
ସପ୍ତମେ କାଳରାତ୍ରେତି ମହାଗୌରୀତିଚାଷ୍ଟମମ୍ ।
ନବମଂ ସିଦ୍ଧିଦାତ୍ରୀ ଚ ନବଦୁର୍ଗା ପ୍ରକିକୀର୍ତ୍ତିତାଃ ।।
ଆରମ୍ଭ ହୋଇଯାଇଛି ମା’ ଦୁର୍ଗାଙ୍କ ନବରାତ୍ରୀ ପୂଜା, ଆଉ ଦିନ କେଇଟା ପରେ ଦଶହରା, ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଶକ୍ତିପୀଠ ସହ ପୂଜା ମଣ୍ଡପ । ନବରାତ୍ରୀରେ ମା’ ଦୁର୍ଗା ନଅଟି ରୂପରେ ପୂଜା ପାଇଥାନ୍ତି । ଶୁକ୍ରବାର ଦ୍ୱିତୀୟ ଦିନରେ ମା’ଙ୍କୁ ବ୍ରହ୍ମଚାରିଣୀ ସ୍ୱରୂପରେ ଭକ୍ତମାନେ ଉପାସନା କରୁଛନ୍ତି। ସାରାଦେଶରେ ବେଶ୍ ଉତ୍ସାହ ଓ ଉତ୍କଣ୍ଠାର ସହ ଏହି ପର୍ବ ପାଳିତ ହେଉଛି। ଏହି ରୂପରେ ମା’ଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ।
ପ୍ରଥମ ଦିନରେ ମା’ ଶୈଳପୁତ୍ରୀ ରୂପରେ ପୂଜା ପାଇବା ପରେ ଆଜି (ଶୁକ୍ରବାର) ବ୍ରହ୍ମଚାରିଣୀ ରୂପରେ ପୂଜା ପାଇବେ । ନବରାତ୍ରର ଦ୍ବିତୀୟ ଦିନରେ ମାତା ଦୁର୍ଗାଙ୍କୁ ଭକ୍ତମାନେ ବ୍ରହ୍ମଚାରିଣୀ ରୂପରେ ଉପାସନା କରିଥାନ୍ତି । ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ । ମା’ ଭଗବାନ ଶିବଙ୍କୁ ପତି ରୂପେ ପାଇବା ପାଇଁ କଠିନ ତପସ୍ୟା କରିଥିଲେ । ଏହି କଠିନ ତପସ୍ୟା ପାଇଁ ଦେବୀଙ୍କ ନାମ ତପଶ୍ଚାରିଣୀ ଅର୍ଥାତ୍ ବ୍ରହ୍ମଚାରିଣୀ ହୋଇଛି । ତାଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ । ଭକ୍ତ ନିଜ ମନକୁ ସ୍ୱାଧିଷ୍ଠାନ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି । ମା’ଙ୍କ ଏହି ସ୍ବରୂପକୁ ପୂଜା କଲେ ସର୍ବତ୍ର ସିଦ୍ଧି ଓ ବିଜୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ମା’ଙ୍କର ଅନ୍ୟ ଦୁଇନାମ ହେଲା ଅପର୍ଣ୍ଣା ଓ ଉମା ।
ମା’ଙ୍କ ଆରାଧନାରେ ତପ, ଶକ୍ତି, ତ୍ୟାଗ, ସଦାଚାର, ସଂଯମ ଓ ବୈଭବ ବୃଦ୍ଧି ହୋଇଥାଏ ଓ ଶତ୍ରୁଙ୍କୁ ପରାଜିତ କରି ମା’ ବିଜୟ ପ୍ରଦାନ କରିଥାନ୍ତି। ମା’ଙ୍କୁ ବିଧି ପୂର୍ବକ ପୂଜା କଲେ ମା’ ସବୁ ମନସ୍କାମନା ପୂରଣ କରିଥାନ୍ତି ଓ ସବୁ ସମସ୍ୟା ଦୂର କରିଥାନ୍ତି। ମା’ ବ୍ରହ୍ମଚାରିଣୀଙ୍କ ପୂଜା ମଙ୍ଗଳ ଗ୍ରହର ଖରାପ ପ୍ରଭାବକୁ କମ୍ କରିଥାଏ। ମା’ ବ୍ରହ୍ମଚାରିଣୀଙ୍କୁ ଜ୍ଞାନ, ତପସ୍ୟା ଏବଂ ବୈରାଗ୍ୟର ଦେବୀ ବୋଲି କୁହାଯାଏ। କଠୋର ସାଧନା ଏବଂ ବ୍ରହ୍ମରେ ଲୀନ ହେବା କାରଣରୁ ତାଙ୍କର ନାମ ବ୍ରହ୍ମଚାରିଣୀ। ବିଦ୍ୟାର୍ଥୀ ଏବଂ ତପସ୍ୱୀଙ୍କ ପାଇଁ ମା’ଙ୍କ ପୂଜା କରିବା ଶୁଭଫଳ ଦେଇଥାଏ। ଯେଉଁ ଲୋକଙ୍କର ସ୍ୱାଧିଷ୍ଠାନ ଚକ୍ର ଦୁର୍ବଳ ରହିଥାଏ ସେମାନେ ମା’ ବ୍ରହ୍ମଚାରିଣୀଙ୍କୁ ଉପସନା କରିବା ଦ୍ୱାରା ଅନେକ ଲାଭ ମିଳିଥାଏ।
କ’ଣ ରହିଛି ମା’ଙ୍କ ପୂଜା ବିଧି :
ମା’ ବ୍ରହ୍ମଚାରିଣୀଙ୍କ ଉପାସନା ସମୟରେ ହଳଦିଆ କିମ୍ବା ଧଳା ବସ୍ତ୍ର ପିନ୍ଧିବା ଉଚିତ। ମା’ଙ୍କ ଧଳା ରଙ୍ଗର ବସ୍ତୁ ଅର୍ପଣ କରନ୍ତୁ। ଯେପରିକି ମିଶରି, ଚିନି, ପଞ୍ଚାମୃତ। ଜ୍ଞାନ ଏବଂ ବୈରାଗ୍ୟ ପାଇଁ କୌଣସି ମନ୍ତ୍ର ଜପ କରିପାରନ୍ତି। ମା’ ବ୍ରହ୍ମଚାରିଣୀଙ୍କ ପାଇଁ ‘ଓଁ ଏଁ ନମଃ’ ଜପ କରନ୍ତୁ। ଏହିଦିନରେ ଜଳୀୟ ଆହାର ଏବଂ ଫଳାହାର କରନ୍ତୁ।
ପୁରାଣ କଥା ଅନୁଯାୟୀ, ମା’ ବ୍ରହ୍ମଚାରିଣୀ ପର୍ବତରାଜ ହିମାଳୟଙ୍କ ପୁତ୍ରୀ। ଭଗବାନ ଶିବଙ୍କୁ ସ୍ୱାମୀ ରୂପେ ପାଇବାକୁ ମା’ ବ୍ରହ୍ମଚାରିଣୀ କଠୋର ତପସ୍ୟା କରିଥିଲେ। ସେଥିପାଇଁ ତାଙ୍କୁ ବ୍ରହ୍ମଚାରିଣୀ କୁହାଗଲା। ପୌରାଣିକ କଥା ଅନୁସାରେ ମା’ ହଜାରେ ବର୍ଷ ଯାଏଁ ଫଳମୂଳ ଖାଇ ଜୀବନ ଅତିବାହିତ କରିଥିଲେ। ଏହାପରେ ମା’ କଠିନ ଉପବାସ ରଖିଲେ ଓ ଖୋଲା ଆକାଶ ତଳେ ଖରା ବର୍ଷା ସହ୍ୟ କରିଥିଲେ। ଛିଣ୍ଡା ବେଲ ପତ୍ର ସେବନ କରି ଭଗବାନ ଶିବଙ୍କୁ ଆରାଧନା କରିଥିଲେ। ଶିବ ଯେତେବେଳେ ପ୍ରସନ୍ନ ହୋଇନଥିଲେ ସେ ବେଲ ପତ୍ର ସେବନ କରିବା ଛାଡିଦେଲେ ଓ ଅନେକ ବର୍ଷ ଯାଏଁ ନିର୍ଜଳା ତପସ୍ୟା କରିଥିଲେ। କଠୋର ତପସ୍ୟା ଯୋଗୁଁ ସେ ଦୁର୍ବଳ ହୋଇପଡିଥିଲେ। ମା’ଙ୍କ ତପସ୍ୟା ଦେଖି ଦେବତା, ମୁନିଋଷି ସମସ୍ତେ ତାଙ୍କୁ ପ୍ରଶଂସା କରିଥିଲେ ଓ ତାଙ୍କ ମନସ୍କାମନା ପୂରଣ ହେବ ବୋଲି ଆଶୀର୍ବାଦ ଦେଇଥିଲେ।