ଆଇପିଓ ନିୟମକୁ କଡ଼ାକଡ଼ି କଲା ସେବି
ନୂଆଦିଲ୍ଲୀ: ସେୟାର ବଜାରରେ ଷ୍ଟାର୍ଟଅପ କମ୍ପାନୀଙ୍କ ଲିଷ୍ଟିଂ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛି ବଜାର ନିୟାମକ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) । ଗତ ୨୦୨୧ରେ ପେଟିଏମ ଓ ଜୋମାଟୋଙ୍କ ଭଳି ଫିନଟେକ୍ କମ୍ପାନୀମାନେ ଆଇପିଓ ଆଣିଥିଲେ । ହେଲେ ଏଥିରୁ ଏବେ ନିବେଶକଙ୍କୁ ସେଭଳି ରିଟର୍ଣ୍ଣ ମିଳିପାରୁନାହିଁ । ଏଣୁ କ୍ଷତିର ଏହି କାଳରେ ସେବି ଆଇପିଓ ନିୟମ କଡ଼ାକଡି କରିଛନ୍ତି ।
ଏନେଇ ସେବି ଏକ ପରାମର୍ଶପତ୍ର ଜାରି କରିଛନ୍ତି । ଯେଉଁଥିରେ ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ମଞ୍ଜୁରୀ ଲାଗି ଆବେଦନ କାଳରେ ନୂଆ ସେୟାରଙ୍କ ନିର୍ଗମ ଓ ପୂର୍ବବର୍ତ୍ତି ୧୮ ମାସରେ ଅଧିଗ୍ରହଣ କରାଯାଇଥିବା ସେୟାରଙ୍କ ଆଧରରେ କମ୍ପାନୀମାନେ ପ୍ରଥମେ ନିଜର ମୂଲ୍ୟାୟନ କରନ୍ତୁ ବୋଲି କହିଛନ୍ତି । ଏହି ବାବଦରେ ସେମାନଙ୍କ ବଜାର ମୂଲ୍ୟ ସାର୍ବଜନିକ କରିବା ପରେ ଆଇପିଓ ଲାଗି ଆବେଦନ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ବଜାରରୁ ଅର୍ଥ ସଂଗ୍ରହ ଲାଗି ନୂଆ ଆଇଟି କମ୍ପାନୀମାନେ ଆଣୁଥିବା ଆଇପିଓ ସନ୍ଦର୍ଭରେ ସେବି ଏହି ପରାମର୍ଶ ଦେଇଛନ୍ତି । କାରଣ ନିକଟରେ ଆଇପିଓ ଆଣିଥିବା କମ୍ପାନୀଙ୍କ ମଧ୍ୟରେ ଏପରିବି କମ୍ପାନୀ ଅଛନ୍ତି ଯେଉଁମାନଙ୍କର ଆଇପିଓ ଆଣିବା ପୂର୍ବରୁ ଗତ ୩ ବର୍ଷର ପରିଚାଳନା ଲାଭ ନେଇ କୌଣସି ଟ୍ରାକ୍ ରେକର୍ଡ ମଧ୍ୟ ନାହିଁ । ସାଧାରଣତଃ ଏପରି କମ୍ପାନୀମାନେ ଦୀର୍ଘ ସମୟ ପର୍ୟ୍ୟନ୍ତ ଲାଭ ଅର୍ଜନ କରିବା ପରିସ୍ଥିତିକୁ ପହଞ୍ଚି ପାରୁ ନାହାନ୍ତି । କାରଣ ଏମାନେ ନା ଲାଭ ନା କ୍ଷତି ପରିସ୍ଥିତିକୁ ପହଞ୍ଚିବା ପୂର୍ବରୁ ପ୍ରାରମ୍ଭିକ ବର୍ଷମାନଙ୍କରେ ଲାଭ ଅର୍ଜନ ବଦଳେ ବ୍ୟବସାୟୀକ ବିସ୍ତାର ଉପରେ ଗୁରୁତ୍ୱ ଦେଉଛନ୍ତି ।
କ୍ଷତିରେ ଚାଲୁଥିବା କମ୍ପାନୀମାନଙ୍କ ଆଇପିଓ ସମ୍ପର୍କିତ ଡିସକ୍ଲୋଜର ପ୍ରୋଭିଜନରେ ସେବି ଏହି ପରାମର୍ଶ ଦେଇଥିବା ବେଳେ କମ୍ପାନୀମାନଙ୍କୁ ମାର୍ଚ୍ଚ ୫ ତାରିଖ ପୂର୍ବରୁ ସେମାନଙ୍କ ମତାମତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗତ ଦିନରେ ପେଟିଏମ ଆଣିଥିବା ଆଇପିଓ ନିବେଶକଙ୍କୁ କ୍ଷତିରେ ପକାଇଛି । ପ୍ରାରମ୍ଭିକ ସେୟାର ମୂଲ୍ୟ ବଜାରରେ ହ୍ରାସ ପାଇବା ଯୋଗୁ ନିବେଶକ ବିପୁଳ କ୍ଷତିରେ ପଡିଛନ୍ତି । ଏଣୁ ଏପରି କମ୍ପାନୀଙ୍କ ଲିଷ୍ଟିଂ ଲାଗି ଏବେ ସେବି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।