ସୁନ୍ଦରଗଡ଼ରେ ମାଡିଚାଲିଛି ସ୍କ୍ରବ ଟାଇଫସ୍ ! ଆଉ ୬ ଆକ୍ରାନ୍ତ ଚିହ୍ନଟ, ୨୫୦ ଛୁଇଁଲା ମୋଟ ସଂଖ୍ୟା
ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ମାଡିଚାଲିଛି ସ୍କ୍ରବ ଟାଇଫସ୍ । ଲଗାତର ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବୁଧବାର ଦିନ ପୁଣି ଜିଲାରେ ଆଉ ୬ଜଣ ସ୍କ୍ରବ୍ ଟାଇଫସ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ୨୫୦ରେ ପହଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ।
ଜିଲାରେ ୪୦ଟି ରକ୍ତ ନମୁନା ପରୀକ୍ଷା ହେବା ପାଇଁ ଯାଇଥିଲା । ଯେଉଁଥିରେ ୬ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଆଉ ବାକି ରିପୋର୍ଟ ନେଗେଟିଭ୍ ଆସିଛି । ତେବେ ଚିହ୍ନଟ ହୋଇଥିବା ୬ ଆକ୍ରାନ୍ତଙ୍କ ଉପରେ ଲଗାତର ଭାବେ ନଜର ରଖାଯାଇଛି । ମେଡିକାଲ ଓ ଜିଲା ପ୍ରଶାସନ ପକ୍ଷରୁ ଗାଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଲୋକଙ୍କ ସ୍କ୍ରବ୍ ଟାଇଫସ ନେଇ ସଚେତନ କରାଯାଉଛି ।
ତେବେ ଭୟ ନକରି ଲୋକମାନେ ସଚେତନ ରହିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ସାମାନ୍ୟ ଜ୍ବର କିମ୍ବା ସେପରି କୌଣସି ଲକ୍ଷଣ ଦେଖାଗଲେ ସ୍କ୍ରବ ଟାଇଫସ ଟେଷ୍ଟ କରିବା ପାଇଁ ଜିଲ୍ଲାର ସମସ୍ତ ଡାକ୍ତରଙ୍କୁ ପରାମର୍ଶ ଦିଆଯାଇଛି । ସ୍କ୍ରବ ଟାଇଫସ ରୋଗୀଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ଔଷଧ ଏବଂ ଡାକ୍ତର ରହିଛନ୍ତି । ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁ ମଧ୍ୟ ରହିଛି । ଲକ୍ଷଣ ଦେଖାଗଲେ କିମ୍ବା ସପ୍ତାହେରୁ ଅଧିକ ସମୟ ଜ୍ବର ରହିଲେ ତୁରନ୍ତ ଡାକ୍ତରଖାନା ଯିବା ପାଇଁ ପରାମର୍ଶ ଦିଆଯାଇଛି । ଏନେଇ ଲୋକଙ୍କୁ ସଚେତନ କରାଯାଉଥିବା ସିଡିଏମଓ ସୂଚନା ଦେଇଛନ୍ତି । ଅନ୍ୟପଟେ ଗାଁ ଗାଁରେ ଡାକବାଜି ଯନ୍ତ୍ର ଦ୍ବାରା ସଚେତନା କରାଯାଉଥିବାବେଳେ ବିଭିନ୍ନ ଛକ ଓ ହାଟରେ ପାଲା ମାଧ୍ୟମରେ ସ୍କ୍ରବ ଟାଇଫସ ରୋଗର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ସଚେତନ କରାଯାଉଛି ।