ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ୍, ଦିନକରେ ୧୬ ପଜିଟିଭ ଚିହ୍ନଟ
ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ୍ । ଏହି ରୋଗ ଦିନକୁ ଦିନ ବୃଦ୍ଧି ଘଟିବାରେ ଲାଗିଛି । ଜିଲାରେ ଏହି ସଂକ୍ରମଣ ଅଧିକ ପରିମାଣରେ ଘଟୁଛି । ପୁଣି ଦିନକରେ ଜିଲାରେ ୧୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୧୧୪ ନମୁନାରୁ ୧୬ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮୯ ରେ ପହଞ୍ଚିଛି। ଏନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି।
ଅନ୍ୟପଟେ ସରକାରଙ୍କ ତରଫରୁ କୀଟନାଶକ ଔଷଧ ସିଞ୍ଚନ ଚାଲିଛି । ରୋଗୀମାନଙ୍କୁ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ମାଗଣାରେ ଔଷଧ ଯୋଗାଇ ଦିଆଯାଉଛି । ତେବେ ସୂଚନାଯୋଗ୍ୟ ଯେ, ଏହି ରୋଗ କେବଳ ସୁନ୍ଦରଗଡ଼ ନୁହେଁ ବଲାଙ୍ଗିର ଏବଂ ବରଗଡ଼ରେ ମଧ୍ୟ ଆତଙ୍କ ଖେଳାଉଛି । ପଶ୍ଚିମ ଓଡିଶା ପରେ ଦକ୍ଷିଣ ଓଡିଶାର କୋରାପୁଟ ଜିଲ୍ଲାରେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ଜୀବାଣୁ ଚାଷ ଜମି ଓ ଜଙ୍ଗଲରେ ରହିଥାନ୍ତି । ଲାର୍ଭା ମାଇଟ୍ସ ନାମକ ପୋକ କାମୁଡିବା ଫଳରେ ଏହା ଭୂତାଣୁ ଶରୀରର ଚର୍ମକୁ ଚାଲିଯାଇଥାଏ । ପୋକଟି ଯେଉଁଠି କାମୁଡିଥାଏ ସେଠାରେ ପ୍ରଥମେ ଗୋଟିଏ ଛୋଟିଆ ବ୍ରଣ ଭଳି ହୋଇଥାଏ । ପରେ ଏହା ଘା’ ହୋଇଯାଇଥାଏ । ଲମ୍ବା ସମୟ ଧରି ଜ୍ୱର ସହିତ ହାତ, ଗୋଡ ଓ ତଣ୍ଟି ବିନ୍ଧା ଲାଗିରହିଥାଏ । ଏପରିକି ଝାଡା ଓ କାଶ ମଧ୍ୟ ହୋଇଥାଏ । ତେବେ ପ୍ରାଥମିକ ଚିକିତ୍ସା କଲେ ଏହି ରୋଗ ଭଲ ହୋଇଥାଏ ।