ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଉଛି ସ୍କ୍ରବ ଟାଇଫସ୍, ୩୦୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ସୁନ୍ଦରଗଡ଼ : ରାଜ୍ୟରେ ବେକାବୁ ହେଲାଣି ସ୍କ୍ରବ୍ ଟାଇଫସ୍ । ଦିନକୁ ଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଛନ୍ତି ନୂଆ ନୂଆ କେସ୍ । ସବୁଠୁ ବେଶି ପ୍ରଭାବିତ ହୋଇଛି ସୁନ୍ଦରଗଡ ଜିଲା । ସୁନ୍ଦରଗଡରେ ଗତ ୨୪ ଘଣ୍ଟାରେ ଆଉ ୪ ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩୦୮ରେ ପହଞ୍ଚିଛି । ସେପଟେ ସୁନ୍ଦରଗଡ଼ରେ ପହଞ୍ଚି ସ୍କ୍ରବ ଟାଇଫସର ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରୀୟ ଟିମ୍ । ୬ ଜଣିଆ ଟିମରେ କେନ୍ଦ୍ରର ୪ ଜଣ ଓ ରାଜ୍ୟର ୨ ଜଣ ସଦସ୍ୟ ଅଛନ୍ତି । ଜିଲାରେ ସ୍କ୍ରବ ଟାଇଫସ ସ୍ଥିତି ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି ତଦନ୍ତକାରୀ ଟିମ୍ । ସ୍ୱାସ୍ଥ୍ୟ ବିଭାଗ ଏନେଇ ସଚେତନ ରହି ଦୃଢ ଭାବରେ ଲଢିବାପାଇଁ ପରାମର୍ଶ ଦେଇଛନ୍ତି ।
ସେହିପରି ବରଗଡ଼ରେ ୨ ଦିନ ତଳେ ଜଣଙ୍କର ମୃତ୍ୟୁ ହୋଇଥିଲା । ବରଗଡ଼ ଜିଲାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ମୃତ ବ୍ୟକ୍ତି ଜଣକ ସୋହେଲା ଅଞ୍ଚଳର ଥିବାବେଳେ ତାଙ୍କ ବୟସ ୪୮ । ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ବରଗଡ଼ ଜିଲାର ଜନସ୍ୱାସ୍ଥ୍ୟ ଅଧିକାରୀ ସାଧୁ ଚରଣ ଦାଶ ସୂଚନା ଦେଇଥିଲେ ।
ସୂଚନା ଯେ, ଏହି ରୋଗ କେବଳ ସୁନ୍ଦରଗଡ଼ ନୁହେଁ ବଲାଙ୍ଗିର ଏବଂ ବରଗଡ଼ରେ ମଧ୍ୟ ଆତଙ୍କ ଖେଳାଉଛି । ପଶ୍ଚିମ ଓଡିଶା ପରେ ଦକ୍ଷିଣ ଓଡିଶାର କୋରାପୁଟ ଜିଲାରେ ସ୍କ୍ରବ୍ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।