ସୁନ୍ଦରଗଡରେ ଚିନ୍ତା ବଢ଼ାଇଛି ସ୍କ୍ରବ ଟାଇଫସ୍ : ଆଉ ୩ ପଜିଟିଭ, ମୋଟ ୧୮୩ ଚିହ୍ନଟ
ସୁନ୍ଦରଗଡ଼ : ରାଜ୍ୟରେ ଚିନ୍ତା ବଢ଼ାଇଛି ସ୍କ୍ରବ ଟାଇଫସ୍ । ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲାରେ ସ୍କ୍ରବ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲାରେ ଆଉ ତିନି ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ପରୀକ୍ଷା ପାଇଁ ପଠାଯାଇଥିବା ନମୁନା ମଧ୍ୟରୁ ୩ଟି ପଜିଟିଭ ଆସିଛି । ଏହା ପୂର୍ବରୁ ଶନିବାର ହୋଇଥିବା ନମୁନା ପରୀକ୍ଷାରେ ୧୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏବେ ଜିଲାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ସଂଖ୍ୟା ୧୮୩ରେ ପହଞ୍ଚିଛି ।
ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଔଷଧ ଓ ନମୁନା ପରୀକ୍ଷା ପାଇଁ ସମସ୍ତ ସୁବିଧା ଥିବା ସହ ସ୍ବତନ୍ତ୍ର ଡାକ୍ତରୀ ଦଳ ପ୍ରସ୍ତୁତ ରହିଛନ୍ତି। ଲୋକମାନଙ୍କୁ ସଚେତନ କରାଯିବା ସହ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି। ଚିଗର୍ସ ନାମକ ଏକ କୀଟ କାମୁଡ଼ିବା ଦ୍ବାରା ଲୋକଙ୍କ ଶରୀରରେ ଏହି ସଂକ୍ରମଣ ଆରମ୍ଭ ହୋଇଥାଏ। ପୋଖରୀ , ବିଲ କି ଜଙ୍ଗଲକୁ ଯାଉଥିବା ଲୋକ ଏହି କୀଟ ଦଂଶନର ଶିକାର ହୋଇଥାନ୍ତି।
ବିଲ ଓ ଗହଳିଆ ବୁଦ୍ଧିରେ ରହୁଥିବା ଲାର୍ଭା ମାଇଟ୍ସ ନାମକ ଏକ ପୋକ କାମୁଡ଼ିବା ପରେ ତା’ ଦେହରେ ଥିବା ଓରିଏଣ୍ଟାଲ୍ ଶୁଶୁକ ନାମକ ଏକ ବ୍ୟାକଟେରିଆ ମଣିଷ ଶରୀର ଚର୍ମକୁ ଚାଲିଯାଇଥାଏ। ଯେଉଁ ସ୍ଥାନରେ ପୋକଟି କାମୁଡେ, ସେଠାରେ ପ୍ରଥମେ ଗୋଟିଏ ଘା’ ହୋଇଥାଏ। ଯାହାକୁ ସ୍କ୍ରବ ଟାଇଫସ୍ କୁହାଯାଏ। ସ୍କ୍ରବ ଟାଇଫସ ହେଲେ ଲମ୍ୱା ସମୟ ଧରି ଜ୍ୱର ହେବା ସହ ହାତଗୋଡ଼ ଓ ତଣ୍ଟି ବିନ୍ଧେ । ଝାଡ଼ା ଓ କାଶ ମଧ୍ୟ ହୋଇଥାଏ। ପ୍ରାଥମିକ ଚିକିତ୍ସା କଲେ ରୋଗ ଭଲ ହୋଇଯିବ। ହେଲେ ଯେଉଁମାନେ ବିଳମ୍ୱରେ ମେଡିକାଲ୍ ଆସନ୍ତି, ସେମାନଙ୍କର ମୃତ୍ୟୁ ଆଶଙ୍କା ରହିଥାଏ ।
ସୂଚନା ଯେ, ଗତ ଜାନୁୟାରୀ ୧ରୁ ସେପଟେମ୍ବର ୧୨ ତାରିଖ ମଧ୍ୟରେ ସୁନ୍ଦରଗଡ଼ ଜିଲାରେ ୧୩୨ ଜଣ ସ୍କ୍ରବ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଣଙ୍କ ମୃତ୍ୟୁ ହୋଇଛି। ସେହି ରୋଗୀ ଜଣକ ପ୍ରାୟ ୨୦ ଦିନ ଧରି ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ ।