ଜ୍ଞାନ-ବିଜ୍ଞାନ ମେଳା ଅନୁଷ୍ଠିତ; ୩୦ରୁ ଉର୍ଦ୍ଧ୍ୱ ପ୍ରକଳ୍ପ ପ୍ରଦର୍ଶିତ
ବାଲେଶ୍ୱର : ବାଲେଶ୍ୱର ରେମୁଣା ବ୍ଲକ ଅନ୍ତର୍ଗତ ରସାଳପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଶ୍ୱ ଛାତ୍ର ଦିବସ ପାଳନ ଅବସରରେ ଜ୍ଞାନ-ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ରସାଳପୁର ହାଇସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀ ଶକ୍ତି ସାଧନା ରାଉତ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ସେହି ମହାମାନବଙ୍କ ସ୍ମୃତି ଚାରଣ କରାଯାଇଥିଲା । ଜୟସ୍ମିତା ଗୁରୁମା’ ୰ କଲାମ୍ଙ୍କ ଉଦ୍ଦେଶ୍ୟରେ ଏକ ସଂଗୀତ ପରିବେଷଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଜ୍ଞାନ-ବିଜ୍ଞାନ ମେଳା କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନଙ୍କ ମାର୍ଗଦର୍ଶନ ହୋଇଥିଲା । ମୁଖ୍ୟଅତିଥି ସୁଶ୍ରୀ ରାଉତ ବିଜ୍ଞାନ ମେଳାର ଆଭିମୁଖ୍ୟ ସମ୍ପର୍କରେ ବହୁ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିବାବେଳେ ମୁଖ୍ୟ ବକ୍ତା ସମାଜସେବୀ ଶିବାଜୀ, ଅବଦୁଲ୍ କଲାମ୍ଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଆହ୍ୱାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ସମ୍ପାଦକ ଶମ୍ଭୁନାଥ ଯାଦବ କଲାମ୍ଙ୍କ କେତେକ ସ୍ମରଣୀୟ ମୁହୂର୍ତ୍ତକୁ ଉପସ୍ଥାପନ କରିଥିଲେ ।
ପ୍ରଧାନ ଆଚାର୍ଯ୍ୟ ସୁରେଶ ଚନ୍ଦ୍ର ପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଗ୍ରାମ ଗୁରୁଜୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲା ବେଳେ ଶିଶୁ ଭାଇଭଉଣୀ ମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ମିତା ଗୁରୁମା’ ଅମୃତ ବଚନ ପାଠ କରିଥିଲା ବେଳେ ଜୟସ୍ମିତା ଗୁରୁମା’ ଧନ୍ୟବାଦ ଅର୍ପଣ କରିଥିଲେ । ବିଜ୍ଞାନ ମେଳାକୁ ଦେବସ୍ମିତା ଗୁରୁମା’ ପରିଚାଳନା କରିଥିଲେ । ଶିଶୁ ବିଭାଗ ଓ ବାଲ୍ ବିଭାଗର ୩୦ରୁ ଉର୍ଦ୍ଧ୍ୱ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନା ରେ ସମସ୍ତ ଗୁରୁଜୀ-ଗୁରୁମା’ ଓ ସେବୀକାଙ୍କ ସମେତ ଅଭିଭାବକମାନେ ସହଯୋଗ କରିଥିଲେ ।