୧୪ରୁ ଖୋଲିବ ସ୍କୁଲ୍, ୨୮ରୁ ସ୍କୁଲ୍ ଯିବେ ପିଲା
ଭୁବନେଶ୍ୱର : ଆସନ୍ତା ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବ । କିନ୍ତୁ ପିଲାମାନେ ୨୮ ତାରିଖରୁ ସ୍କୁଲ୍ ଯିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ଏହି ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏନେଇ ଗଣଶିକ୍ଷା ସଚିବ ସମସ୍ତ ଜିଲ୍ଲାପାଳ ଓ ଡିଇଓମାନଙ୍କୁ ଚିଠି ଲେଖିଛନ୍ତି । ଭୋଟ୍ ପାଇଁ ସ୍କୁଲ୍ ଗୁଡ଼ିକରେ ବୁଥ୍ ହେବାକୁ ଥିବାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।
ନିର୍ଦ୍ଦେଶନାମା ଅନୁଯାୟୀ, ଫେବ୍ରୁଆରୀ ୨୭ ପର୍ଯ୍ୟନ୍ତ ପିଲାଙ୍କର ଅନ୍ ଲାଇନ୍ କ୍ଲାସ ହେବ । ୧୪ରୁ ସମସ୍ତ ଶିକ୍ଷକ ଓ କର୍ମଚାରୀ ସ୍କୁଲ୍ ଯିବେ । ସ୍କୁଲକୁ ଯାଇ ସେମାନେ ଏହା ପରିସରର ସଫେଇ କାର୍ଯ୍ୟ ତଦାରଖ କରିବେ । ପୂର୍ବରୁ ରାଜ୍ୟ ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ନିମନ୍ତେ ବିଦ୍ୟାଳୟରେ ପାଠପଢ଼ା ନିଷ୍ପତି ନେଇଥିଲେ ମଧ୍ୟ ଦୀର୍ଘ ଦୁଇ ବର୍ଷ ଧରି ବିଦ୍ୟାଳୟଗୁଡ଼ିକ ବନ୍ଦ ଥିବା ଯୋଗୁଁ ଏଗୁଡ଼ିକର ସଫେଇ, ସାମାନ୍ୟ ମରାମତି ଏବଂ ପିଲାମାନଙ୍କ ନିମନ୍ତେ ଉତମ ପରିବେଶ ସୃଷ୍ଟି ନିମନ୍ତେ ସମୟର ଆବଶ୍ୟକତା ରହିଛି । ଏଥି ସହିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଶିକ୍ଷକମାନେ ନିୟୋଜିତ ହେବେ । ଏଥି ସହିତ ନିର୍ବାଚନ ସମୟରେ ପୋଲିସ ଏବଂ ନିର୍ବାଚନ ଅଧିକାରୀମାନଙ୍କ ଗହଳି ଯୋଗୁଁ କୋଭିଡ୍ -୧୯ ସଂକ୍ରମଣର ଆଶଙ୍କା ମଧ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଉପରୋକ୍ତ ମର୍ମରେ ନିଷ୍ପତି ନିଆଯାଇଛି । ଫେବୃଆରୀ ୨୮ରେ ଅଫ୍ ଲାଇନ୍ ପାଠପଢ଼ା ଆରମ୍ଭ ହେଲେ ମଧ୍ୟ ୧୪ ତାରିଖଠାରୁ ସମସ୍ତ ଶିକ୍ଷକ ଓ କର୍ମଚାରୀ ବିଦ୍ୟାଳୟରେ ଯୋଗଦେବେ ଏବଂ ବିଦ୍ୟାଳୟର ଉପଯୁକ୍ତ ସାନିଟାଇଜେସନ୍କୁ ସୁନିଶ୍ଚିତ କରାଇବେ । ଏହି ସମୟ ମଧ୍ୟରେ ପିଲାମାନଙ୍କର ଅନ୍ଲାଇନ୍ ପାଠପଢ଼ା ଜାରି ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ । ଉଲ୍ଲେଖନୀୟ ଯେ ଗତ ୭ ତାରିଖରୁ ଅଷ୍ଟମରୁ ତଦୁର୍ଦ୍ଧ ଶ୍ରେଣୀ ଖୋଲି ସାରିଛି । ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ ବି ଖୋଲି ସାରିଛି । କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ଥିବା ସ୍କୁଲ୍ ଗୁଡ଼ିକୁ ମଧ୍ୟ ଫେବ୍ରୁଆରୀ ୧୪ ତାରିଖରୁ ଖୋଲିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ୧୪ରୁ ପ୍ଲେ ସ୍କୁଲ୍ ଗୁଡ଼ିକୁ ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି ।
ସୂଚନା ଯେ, ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆସନ୍ତା ୧୪ ତାରିଖରେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ ବୋଲି ଗତ ସପ୍ତାହରେ ଘୋଷଣା କରିଥିଲେ । କିନ୍ତୁ କରୋନା ଯୋଗୁଁ ଦୀର୍ଘ ଦିିନ ଧରି ହେବ ସ୍କୁଲ ଗୁଡ଼ିକ ବନ୍ଦ ଥିବାରୁ ଏହାକୁ ସଫାଇ କରିବା ପାଇଁ ସମୟ ଦରକାର । ସ୍କୁଲ ପରିସର ସ୍ୱଚ୍ଛ ଓ ମରାମତି ପ।।ଇଁ ଜିଲ୍ଲାପାଳମାନେ ସମୟ ମାଗିଥିଲେ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୮ ତାରିିଖ ଠାରୁ ଶ୍ରେଣୀ ଗୃହରେ କ୍ଲାସ ଆରମ୍ଭ ନେଇ ନିଷ୍ପତି ହୋଇଛି । ତେବେ ରାଜ୍ୟ ସରକାରଙ୍କ ପୂର୍ବ ନିଷ୍ପତି ଅନୁସାରେ ଆସନ୍ତା ୧୪ ତାରିଖ ଠାରୁ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ଓଏସ୍ଇପିଏ, ଓଏଭିଏସ୍, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ଏଲିମେଂଟାରି ଶିକ୍ଷା ନିର୍ଦ୍ଦେଶକ, ସିଏଚ୍ଏସ୍ଇ ଅଧ୍ୟକ୍ଷ, ବିଏସ୍ଇ ସଭାପତି, ଏମ୍ଡିଏମ୍, ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଶ୍ରୀ ସେଠୀ କହିଛନ୍ତି, ଆସନ୍ତା ୧୪ ତାରିଖ ଠାରୁ ଶିକ୍ଷକ ଓ କର୍ମଚାରୀ ସ୍କୁଲ ଆସିବେ । ଏହି ସମୟରେ ଅନ୍ଲାଇନ୍ କ୍ଲାସ ହୋଇପାରିବ ।