ବାଲିଆପାଳ ବ୍ଲକ ଛକରେ ସାରସ୍ୱତ ସହର ଚା’ ଖଟି ଉଦ୍ଘାଟିତ
ବାଲିଆପାଳ : ସାରସ୍ୱତ ଅନୁଷ୍ଠାନ ସୃଜନିକା ଓ ଏସକେଜି ସାରସ୍ୱତ ଟ୍ରଷ୍ଟ ଓ ପଠାଗାର ତଥା ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀଙ୍କ ପକ୍ଷରୁ ବାଲିଆପାଳକୁ ସାରସ୍ୱତ ସହର କରିବା ଲକ୍ଷ୍ୟ ନେଇ ଶୁକ୍ରବାର ବ୍ଲକ ଛକ ଠାରେ ସାରସ୍ୱତ ସହର ଚା\’ ଖଟି ଉଦ୍ଘାଟିତ ହୋଇଯାଇଛି । ଅବସରପ୍ରାପ୍ତ ଅଧ୍ୟକ୍ଷ ହୃଦୟ ରଞ୍ଜନ ତ୍ରିପାଠୀ ଉଦ୍ଘାଟନ କରି ଏହାକୁ ଅଭିଯାନରେ ପରିଣତ କରିବାକୁ ପରାମର୍ଶ ଦେଇଥିଲେ । ବରିଷ୍ଠ ନାଗରିକ ଗୌରହରି ଜେନା ବାଲିଆପାଳ ସାରସ୍ୱତ ପ୍ରଜ୍ଞା ମାଟି ବୋଲି କହିଥିଲେ । ଏହାର ଅତୀତ ଅତୀବ ଗୌରବମୟ ବୋଲି ବରିଷ୍ଠ ଖବରଦାତା ଅଜୟ କୁମାର ସାହୁ କହିଥିଲେ । ପ୍ରାକ୍ତନ ଅଧ୍ୟାପକ ବୀର ମାଧବ ଦାସ, ଭୂପତି ଚରଣ ଭୂୟାଁ, ରାମ କୃଷ୍ଣ ଦାସ ଅଧିକାରୀ, ବାଲିଆପାଳ ସୂଚନା ଅଧିକାର ଅଭିଯାନ ସଂଘର ସଭାପତି ଅନୁଜ କୁମାର ମହାପାତ୍ର, ଚା\’ ଖଟିର ମାଲିକ ସୁଧୀର କୁମାର ସାହୁ, ଖବର କାଗଜ ବିତରକ ନଗେନ୍ଦ୍ର ନାଥ ବିଶ୍ୱାଳ, ଖବର ଦାତା ହରେକୃଷ୍ଣ ଦାସ, ଦିଲ୍ଲୀପ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସାରସ୍ୱତ ସହରର ମୁଖ୍ୟ ପୁରୋଧା ଅଧ୍ୟାପକ ଡ. ସୁକାନ୍ତ ଗିରି ବାଲିଆପାଳର ସାହି ବସ୍ତି, ହାଟ ବଜାର ସବୁଠି ଏଭଳି କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ କରାଯିବ ବୋଲି ପ୍ରକାଶ କରିଥିଲେ ।
ପ୍ରକାଶ ଥାଉକି ଗତ ୩ ବର୍ଷ ତଳେ ଉତ୍କଳ ଦିବସର ପବିତ୍ର ତିଥିରେ ଏକ ସଭାରେ ବାଲିଆପାଳକୁ ସାରସ୍ୱତ ସହର କରିବା ପାଇଁ ଉପରୋକ୍ତ ଅନୁଷ୍ଠାନ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା ।