ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା ନୀତି ପାଳିତ
ପୁରୀ : ଶ୍ରୀମନ୍ଦିରରେ ଶନିବାର ସପ୍ତପୁରୀ ଅମାବାସ୍ୟା ସ୍ୱତନ୍ତ୍ର ନୀତି ପାଳିତ ହୋଇଯାଇଛି । ମହାପ୍ରଭୁଙ୍କ ପାଖରେ ସାତଟି ପୁରୀ ଭୋଗ କରାଯାଉଥିବାରୁ ଏହାକୁ ସପ୍ତପୁରୀ ଭୋଗ କୁହାଯାଏ । ଏଥିପାଇଁ ବିଶେଷ ପୂଜା ନୀତି ଅନୁଷ୍ଠିତ ହୋଇଥିଲା । ଭାଦ୍ରବ ମାସ ଅମାବାସ୍ୟାରେ ସପ୍ତପୁରୀ ଅମାବାସ୍ୟା ଭାବେ ପାଳିତ ହେଉଛି । ସେବାୟତଙ୍କ ଦ୍ୱାରା ଏକ ବଡ଼ ସପ୍ତପୁରୀ ଭୋଗ ଲାଗି ହୋଇଥିଲା । ଏହାକୁ ମଧ୍ୟ ସପ୍ତପୁରୀ ତାଡ଼ କୁହନ୍ତି ।
ଏହି ସପ୍ତପୁରୀ ତାଡ଼ ଅମାବାସ୍ୟା ପୂର୍ବଦିନ କୁମ୍ଭାରପଡ଼ା ନିକଟ ମା ଆଲାମଚଣ୍ଡୀଙ୍କ ମନ୍ଦିରରୁ କୁମ୍ଭକାର ସେବକମାନେ ପାଟିରେ ତୁଣ୍ଡି ବାନ୍ଧି ଘଂଟ, ଘଂଟା ସହ ଶୋଭାଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ଆସିଥିଲେ । ଏହି ତାଡ଼ ଗୁଡ଼ିକ ରୋଷ ଘର ବେହେରଣରେ ରଖାଯାଇଥିଲା । ସଂଧ୍ୟା ଧୂପ ପରେ ପ୍ରଭୁଙ୍କ ଶ୍ରୀଅଙ୍ଗରୁ ଏକ ଗୁପ୍ତ ଆଜ୍ଞାମାଳ ନେଇ ପଟୁଆରରେ ଦକ୍ଷିଣକାଳୀ ମନ୍ଦିର ନିକଟକୁ ଯାଇଥିଲେ । ସେଠାରୁ ମଧ୍ୟ ମା ଦକ୍ଷିଣକାଳୀଙ୍କ ଏକ ଆଜ୍ଞାମାଳ ଶ୍ରୀମନ୍ଦିରକୁ ଆସିଥିଲା । ଆଜି ଅବକାଶ ନୀତି ବଢିବା ପରେ ତିନି ବାଡ଼ରେ ବେଶ ଅନୁଷ୍ଠିତ ହୋଇଥିଲା । ତଢାଉ ୬ ମୂର୍ତି ଲାଗି ହେବା ପରେ ଗୋପାଳବଲ୍ଲଭ ଭୋଗ ଶେଷ ହୋଇଥିଲା । ରୋଷଘରେ ପ୍ରସ୍ତୁତ ସପ୍ତପୁରୀ ଭୋଗ ଉପରେ ଶଙ୍ଖ, ଚକ୍ର, ହଳ, ମୂଷଳ, ଦଡ଼କୀ ପିଠା ଉପରେ ପ୍ରସ୍ତୁତ ହୋଇଥିଲା । ପାଣି ପଡ଼ିବା ପରେ ଟେରା ବନ୍ଧା ହୋଇ ସକାଳ ଧୂପରେ ସାତପୁରୀ ଭୋଗ ତାଟ ରୋଷଘରୁ ଘଂଟ, ଛତ୍ର, କାହାଳୀ ସହ ତଳିଚ୍ଛ, ପ୍ରଧାନୀ ପଟୁଆରେ ଛାମୁଙ୍କ ପାଖକୁ ଆସିଥିଲେ । ପ୍ରସାଦକୁ ପୂଜାପଣ୍ଡା ସେବକ ଷୋଡ଼ଶ ଉପଚାରରେ ଭୋଗ କରିଥିଲେ । ଆଳତି ପରେ ପଣ୍ଡା ଓ ମୁଦିରସ୍ତ ସେବକ ତିନି ବାଡ଼ରେ ବନ୍ଦାପନା କରିଥିଲେ ।