ସମାଜବାଦୀ ପାର୍ଟିକୁ ଝଟକା, ବିଜେପିରେ ଯୋଗଦେଲେ ୪ ଏମଏଲସି
ନୂଆଦିଲ୍ଲୀ : ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାର ଅଛି । ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହାସହ ନେତାଙ୍କ ଦଳ ବଦଳର ପର୍ବ ମଧ୍ୟ ଆରମ୍ଭ ହୋଇସାରିଛି । ଏହି କ୍ରମରେ ଆଜି ସମାଜବାଦୀ ପାର୍ଟିକୁ ବଡ଼ ଝଟକା ଲାଗିଛି । ଦଳର ୪ ଜଣ ଏମଏଲସି ଭାରତୀୟ ଜନତା ପାର୍ଟିରେ ଯୋଗ ଦାନ କରିଛନ୍ତି । ଯାହାକୁ ବର୍ତ୍ତମାନ ଅଖିଳେଶ ଯାଦବ ପାଇଁ ଏକ ବଡ଼ ଝଟକା ଭାବେ ଦେଖାଯାଉଛି । ଦୁଇ ସପ୍ତାହ ପୂର୍ବେ ଗାଜୀପୁରର ସୟଦପୁରରୁ ଦୁଇଥର ବିଧାୟକ ସୁଭାଷ ପାସି ସମାଜବାଦୀ ପାର୍ଟି ଛାଡି ବିଜେପିରେ ଯୋଗ ଦେଇଥିଲେ । ଏବେ ବୁଧବାର ସକାଳେ ସମାଜବାଦୀ ପାର୍ଟିର ୪ ଜଣ ଏମଏଲସି ବିଜେପିରେ ଯୋଗ ଦେଇଛନ୍ତି ।
ବିଜେପିରେ ଯୋଗ ଦେଇଥିବା ନେତାଙ୍କ ମଧ୍ୟରେ ସମାଜବାଦୀ ପାର୍ଟିର ଏମଏଲସି ରବି ଶଙ୍କର ସିଂ ଓରଫ ପପ୍ପୁ, ଗୋରଖପୁରର ଏସପି ଏମଏଲସି ସିପି ଚାନ୍ଦ, ଜାଲୌନରୁ ଏସପି ଏମଏଲସି ରମା ନିରଂଜନ ଏବଂ ପଶ୍ଚିମ ଉତ୍ତରପ୍ରଦେଶର ଏସପି ଏମଏଲସି ନରେନ୍ଦ୍ର ଭାଟି ସାମିଲ ଅଛନ୍ତି । ରବି ଶଙ୍କର ସିଂ ଓରଫ ପପ୍ପୁ ଗତ ୧୮ ବର୍ଷ ଧରି ବିଧାନ ପରିଷଦର ସଦସ୍ୟ ରହିଆସିଛନ୍ତି । ନରେନ୍ଦ୍ର ଭାଟି ତିନିଥର ସମାଜବାଦୀ ପାର୍ଟିର ବିଧାୟକ ରହିସାରିଛନ୍ତି । ସିପି ଚାନ୍ଦ ଏସପିରୁ ଲୋକସଭା ନିର୍ବାଚନରେ ଲଢ଼ିସାରିଛନ୍ତି । ସମାଜବାଦୀ ପାର୍ଟିରେ ଥିବାବେଳେ ଏମଏଲସି ନରେନ୍ଦ୍ର ଭାଟି ଅନେକ ବିବାଦ ଘେରି ରହିଥିଲେ । ୨୦୧୩ରେ ଭାଟି ବେଆଇନ ଖନନ ବିରୋଧରେ କାର୍ଯ୍ୟାନୁଷ୍ଠାନ କରୁଥିବା ଆଇଏଏସ୍ ଅଧିକାରୀ ଦୁର୍ଗା ଶକ୍ତି ନାଗପାଲଙ୍କୁ ବିରୋଧ କରିଥିଲେ, ଯାହା ପରେ ତାଙ୍କୁ ଅଖିଳେଶ ସରକାର ନିଲମ୍ବିତ କରିଥିଲେ । ଗ୍ରେଟର ନୋଏଡାରେ ଦୁର୍ଗା ଶକ୍ତି ନାଗପାଲଙ୍କୁ ଟ୍ରାନ୍ସଫର କରାଯାଇଥିଲା । ସ୍ଥାନୀୟ ନିର୍ବାଚନରେ ଆଶା କରାଯାଉଥିବା ପ୍ରଦର୍ଶନଠାରୁ କମ୍ ପ୍ରଦର୍ଶନ ପରେ ଏସପି ମ୍ୟୁନିସିପାଲିଟି ଅଞ୍ଚଳରେ ଦଳକୁ ମଜବୁତ କରିବାକୁ ଚେଷ୍ଟା କରୁଛି ଓ ଦଳର ଅଧିକାଂଶ ଏମଏଲସି ମ୍ୟୁନିସିପାଲିଟି ଅଞ୍ଚଳରୁ ଆସିଛି ।