ସାଇବାବାଙ୍କ ବାଲ୍ୟଲୀଳା
ଗଙ୍ଗାଭବ ଓ ଦେବଗିରି ଆମ୍ମା ଦେବଗିରି ଆମ୍ମା ଚାଲିଲେ ଅରଣ୍ୟ ବାସ ପାଇଁ । କିନ୍ତୁ ସେତେବେଳକୁ ଦେବଗିରି ଆମ୍ମା ଅନ୍ତଃସତ୍ତ୍ୱା । ଘୋର ଅରଣ୍ୟ ଭିତରେ ଚାଲିଛନ୍ତି ସେମାନେ । ବୃକ୍ଷ, ଲତା ପଶୁପକ୍ଷୀମାନେ ହିଁ ସେମାନଙ୍କ ଆତ୍ମୀୟ ସ୍ୱଜନ । ଆଜି ଏଠି ତ କାଲି ସେଠି । ଯାଉ ଯାଉ ସେହି ଜଙ୍ଗଲ ଭିତରେ ଦେବଗିରି ଆମ୍ମାଙ୍କ ଗର୍ଭରୁ ଜାତ ହେଲା ଏକ ଶିଶୁପୁତ୍ର । ଶିଶୁର ମୁହଁରେ ଅପୂର୍ବ ଜ୍ୟୋତି । ତଥାପି ଶିଶୁ ପ୍ରତି ସେମାନଙ୍କର ଆସକ୍ତି ନଥିଲା ତିଳେ ହେଲେ । ସେହି ଜଙ୍ଗଲ ଭିତରେ ପତ୍ର ଉପରେ ଶିଶୁଟିକୁ ଶୁଖାଇ ଦେଇ ଚାଲିଗଲେ ଦୁହେଁ ଅନ୍ୟତ୍ର । କେବଳ ଶିଶୁକୁ ଶୁଣାଇବା ଭଳି କହିଦେଲେ ଯିଏ ଜଗତପାଳକ, ଯାହାର ଭୂ କଟାକ୍ଷରେ ଜନ୍ମ ମୃତ୍ୟୁର ଲୀଳା ଚାଲିଛି ଜୀବଜଗତରେ, ସଂହାର ମଧ୍ୟ ଚାଲିଛି ଯହାର ଇଚ୍ଛାରେ, ତା’ର ଲାଳନ ପାଳନ କରିବ କିଏ ? ତୋର ଲାଳନ ପାଳନର ଦାୟିତ୍ୱ ତୋ ଉପରେ ଲଦି ଦେଇ ଆମେ ଯାଉଛୁ । ଅବତରଣ କଲେ ସ୍ୱୟଂ ଶିବ ଧରାଧାମରେ । ସେ ଜାତ ହେଲେ ଯେପରି ବିଚିତ୍ର ଭାବରେ, ତାଙ୍କର ଲାଳନ ପାଳନ କାର୍ଯ୍ୟ ମଧ୍ୟ ଚାଲିଲା ବିଚିତ୍ର ଭାବରେ । ଅରଣ୍ୟର ସେହି ବାଟ ଦେଇ ଯାଉଥିଲେ ଜଣେ ମୁସଲମାନ ଫକୀର । ବାଟରେ ନବଜାତ ଶିଶୁକୁ ଦେଖି ସେ ବିସ୍ମିତ ହୋଇପଡ଼ିଲେ । ଉଠେଇ ଧରିଲେ ଦି’ହାତରେ । ଚୁମା ଦେଲେ ଶିଶୁର ଗାଲରେ ।
ଫକୀରଙ୍କ ସଂସାର ଚାଲୁଥିଲା କେବଳ ଭିକ୍ଷାରେ । ସେହି ଭିକ୍ଷାନ୍ନରେ ପ୍ରତିପାଳିତ ହେଲେ ଜଗତ୍ଗୁରୁ ଜଗତପିତା । ଚନ୍ଦ୍ରକଳା ଭଳି କ୍ରମଶଃ ବଢ଼ିବାକୁ ଲାଗିଲେ । ବଢ଼ିବଢ଼ି ବୟସ ହେଲା ବାରବର୍ଷ । କିଶୋର ବୟସ । ଭାରି ଦୁଷ୍ଟ, ଚଗଲା । ତା’ ପ୍ରକୋପରେ ଗାଁ ଲୋକେ ଥରହର । ବେପରୁଆ ଭାବ । କୌଣସି କାମରେ ହଟିଯିବା ପ୍ରଶ୍ନ ତା’ ଠାରେ ନାହିଁ । କେତେବେଳେ ଊର୍ଦ୍ଧ୍ୱ ଲଙ୍ଗଳା ତ କେତେବେଳେ ଦେହରେ ରହୁଥିଲା ଖଣ୍ଡିଏ କୌପୀନ । ଦିନସାରା ଏଠିକି ସେଠିକି ବୁଲିବା ଥିଲା ତା’ର କାମ । ମୁସଲମାନ ଫକୀର ଭିକ୍ଷା ପାଇଁ ଚାଲି ଯାଉଥିଲେ ଅନ୍ୟତ । ପିଲାଟିକୁ ପଦେ କଥା କହିବାର ସାହସ ନଥିଲା କାହାର । ଗାଁଟା ଯାକର ପିଲାଙ୍କୁ ଏକଠି କରି ନାନା ଖେଳ କସରତରେ ଦିନ କଟୁଥିଲା ତା’ର । ସେ ଗାଁରେ ସବୁଠୁ ବଡ଼ ଖେଳ ଥିଲା କାଚ ଗୋଲି ବା ବାଟୁଳି ଖେଳ । ସମସ୍ତଙ୍କୁ ହରେଇ, ସମସ୍ତଙ୍କର ଗୋଲି ଜିଣି ନେଇଥିଲା ପିଲାଟି । ଦିନେ ଗାଁ ଜମିଦାରଙ୍କ ପୁଅ ଆସି ଏହି ମୁସଲମାନ ଫକୀରଙ୍କ ପିଲା ସହିତ ମିଶି ଗୋଲି ଖେଳିଲା । ଜମିଦାର ପୁଅ ହେଲେ ହେବ, ଫକୀର ପିଲା ସହିତ ଖେଳରେ ହାରିଗଲା ସେ । ସବୁତକ ଗୋଲି ଫକୀର ପିଲା ହାସଲ କରି ନେବାରେ, ଜମିଦାରଙ୍କ ପୁଅ ମୁଣ୍ଡରେ ହାତ ଦେଇ ବସି ରହିଲା । ତା’ ମନରେ କିଭାବ ଆସିଲା କେଜାଣି ଦୌଡ଼ିଗଲା ଘରକୁ । ତା’ ମା ପୂଜା କରୁଥିବା ଏକ ଶିବ ଲିଙ୍ଗ (ଶାଳଗ୍ରାମ)କୁ ଧରି ଆସିଲା ଖେଳିବା ପାଇଁ । ତା’ର ଆଶା ଥିଲା ଏଥର ଖେଳିଲେ ସେ ନିଶ୍ଚୟ ଜିତିବ । ଏହି ଶାଳଗ୍ରାମଟିକୁ କୌଣସି ଜଣେ ସନ୍ଥ ସନ୍ନ୍ୟାସୀ ଦେଇଥିଲେ ଜମିଦାରର ପୁଅର ମା’କୁ ପୂଜା କରିବା ପାଇଁ । ଶାଳଗ୍ରାମଟି ସ୍ଥାପିତ ହୋଇଥିଲା ଖଟୁଲିରେ । କିନ୍ତୁ ମୁସଲମାନ ପୁଅ ତ କେବେ ହାରିବା ଜାଣିନି । ଏଥର ମଧ୍ୟ ଜମିଦାରର ପୁଅ ହାରିଗଲା । ଶାଳଗ୍ରାମଟିକୁ ମଧ୍ୟ ହାସଲ କରି ନେଲା ଫକୀର ପୁଅ । କିନ୍ତୁ ଫକୀର ପୁଅ ଭାରି ଚାଲାକ । ସବୁ ପିଲାଙ୍କ ଆଗରେ ଶାଳଗ୍ରାମଟିକୁ ପାଟିକୁ ନେଇ ଗିଳିଦେଲା ଏକା ଢୋକରେ ।