ୱାନୱେବ ରକେଟରୁ ସମସ୍ତ ଦେଶର ପତାକା କାଢ଼ିଲା ରୁଷ, ଭାରତୀୟ ପତାକା ଅକ୍ଷୁର୍ଣ୍ଣ
ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧକୁ ଆଜି ନବମ ଦିନ । ଯୁଦ୍ଧରେ ୟୁକ୍ରେନର ଅଧିକାଂଶ ସହର ଧ୍ୱଂସ ବିଧ୍ୱସ୍ତ ହୋଇଛି । ଏହି ନଅ ଦିନ ମଧ୍ୟରେ ୟୁକ୍ରେନର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି । ରୁଷ ସହିତ ୟୁକ୍ରେନ ମଧ୍ୟ କ୍ଷେପଣାସ୍ତ୍ର-ଡ୍ରୋନ୍-ଏୟାର ପାୱାରକୁ ତୀବ୍ର ବ୍ୟବହାର କରିଛି । ରାସ୍ତାରେ ଠିଆ ହୋଇଥିବା ଟ୍ୟାଙ୍କ, କ୍ଷେପଣାସ୍ତ୍ର ଆକ୍ରମଣ ଏବଂ ନିଛାଟିଆ ରାସ୍ତାରେ ନଷ୍ଟ ହୋଇଥିବା ଅଟ୍ଟାଳିକା ଚିତ୍ର ହୃଦୟ ବିଦାରକ । ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ସପ୍ତାହ ପୂର୍ବରୁ ୨୪ ଫେବୃଆରୀରେ ୟୁକ୍ରେନ ବିରୋଧରେ କଠୋର ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଯାହା ପରେ ଯୁଦ୍ଧ ଆରମ୍ଭ ହୋଇଥିଲା । ସେପଟେ ଋଷିଆ ଉପରେ ଆର୍ଥିକ କଟକଣା ଯୋଗୁଁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଧ୍ୱଂସ ପାଇଯିବ ବୋଲି ଋଷିଆ କହିବା ପରେ ସେମାନେ ଏବେ ଏକ ମହାକାଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କେବଳ ଭାରତର ପତାକା ଛାଡ଼ି ସମସ୍ତ ଦେଶର ପତାକାକୁ ଓହ୍ଲାଇଦେଇଛନ୍ତି ।
ଋଷ ମହାକାଶ ସଂସ୍ଥା ରସକସମସ ମୁଖ୍ୟ ଡିମିଟ୍ରି ରଗୋଜିନ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ବୈକୋନୁର ଲଞ୍ଚପ୍ୟାଡର କର୍ମଚାରୀ ମାନେ ଶୁକ୍ରବାର ଲଞ୍ଚ ହେବାକୁ ଥିବା ୱାନୱେବ ରକେଟରୁ ଆମେରିକା ଓ ଇଂଲଣ୍ଡ ଓ ଜାପାନର ପତାକା ଉପରେ ଧଳା ରଙ୍ଗ ବୋଳି ଢାଙ୍କୁ ଥିବାର ଦେଖାଯାଉଛି । କିନ୍ତୁ ଭାରତୀୟ ପତାକା ଅକ୍ଷୁର୍ଣ୍ଣ ରହିଛି । ଆମେରିକା, ଇଂଲଣ୍ଡ ଓ ଜାପାନ ପତାକା ଉପରେ ହ୍ୱାଇଟ ଭିନାଇଲ ମାରି ସେଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଅଦୃଶ୍ୟ କରାଯାଇଛି ।