ଯୁଦ୍ଧରେ ରୁଷ ହରାଇଲାଣି ୯ ହଜାରରୁ ଅଧିକ ସୈନ୍ୟ, ୨୫୦ ଟ୍ୟାଙ୍କ ଧ୍ୱଂସ : ୟୁକ୍ରେନ୍
କିଭ୍: ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ରୂପ ନେଉଛି । ରୁଷ ଏବେ ଆଣବିକ ଶକ୍ତି କେନ୍ଦ୍ରଗୁଡ଼ିକୁ ନିଜ ନିୟନ୍ତ୍ରଣକୁ ନେଉଥିବାରୁ ସାରା ୟୁରୋପ ପାଇଁ ବିପଦ ସୃଷ୍ଟି ହୋଇଛି । ଗତ ଗୁରୁବାର ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଆଜି ୯ମ ଦିନରେ ପହଂଚିଛି । ହେଲେ ଯୁଦ୍ଧ ଆରମ୍ଭର ୮ ଦିନ ଭିତରେ ରୁଷ ବ୍ୟାପକ କ୍ଷତି ସହିଥିବା ୟୁକ୍ରେନ ସରକାର ଦାବି କରିଛନ୍ତି । ରୁଷ ଆକ୍ରମଣରେ ୟୁକ୍ରେନର ପ୍ରାୟ ସବୁ ସହର ଛିନଛତ୍ର ହୋଇଯାଇଛି ସତ, ହେଲେ କିଭ୍ ପାଲଟା ଜବାବ ଦେବାରେ କୌଣସି ଅବହେଳା କରିନି । ୟୁକ୍ରେନର ଜବାବୀ କାର୍ଯ୍ୟାନୁଷ୍ଠାନରେ ରୁଷ ଏଯାଏ ୯ ହଜାରରୁ ଅଧିକ ଯବାନଙ୍କୁ ହରାଇଲାଣି । ସେହିପରି ରୁଷର ୨୫୦ଟି ଟ୍ୟାଙ୍କକୁ ୟୁକ୍ରେନ ସେନା ଧ୍ୱଂସ କିମ୍ବା କବଜା କରିବାକୁ ସକ୍ଷମ ହୋଇଛନ୍ତି ।
ଶୁକ୍ରବାର ସକାଳ ୯ଟା ସୁଦ୍ଧା ରୁଷ ଯୁଦ୍ଧରେ ସହିଥିବା କ୍ଷୟକ୍ଷତି ସମ୍ପର୍କରେ ୟୁକ୍ରେନ ଆର୍ମଡ ଫୋର୍ସ ପକ୍ଷରୁ ବିସ୍ତୃତ ତଥ୍ୟ ଦିଆଯାଇଛି । ଏଥିରେ କୁହାଯାଇଛି ଯେ ଗତ ୮ ଦିନର ଏହି ଯୁଦ୍ଧ ଭିତରେ ରୁଷର ୨୫୧ଟି ଟ୍ୟାଙ୍କ ନଷ୍ଟ କରିଛି ୟୁକ୍ରେନ୍ ସେନା । ସେହିପରି ସମ୍ମୁଖ ଯୁଦ୍ଧରେ ରୁଷ ୯,୬୬୧ ଜଣ ଯବାନଙ୍କୁ ହରାଇଛି । ୩୩ଟି ଯୁଦ୍ଧ ବିମାନ, ୩୩ଟି ହେଲିକପ୍ଟର, ୧୦୫ଟି ତୋପ, ୯୩୯ଟି ଯୁଦ୍ଧ ଗାଡ଼ି, ୫୦ଟି ଏମଏଲଆର, ୨ଟି ଡଙ୍ଗା, ୪୦୪ଟି କାର, ୬୦ଟି ତୈଳ ପରିବହନ ଟ୍ୟାଙ୍କ, ୩ଟି ଡ୍ରୋନ ଓ ୧୮ଟି ବିମାନ ଧ୍ୱଂସକାରୀ ସିଷ୍ଟମକୁ ୟୁକ୍ରେନ ସେନା ସଂପୂର୍ଣ୍ଣ ଭାବେ ନଷ୍ଟ କରିଦେଇଛନ୍ତି ବୋଲି କିଭ୍ ପକ୍ଷରୁ ଦାବି କରାଯାଇଛି । ଅନ୍ୟପକ୍ଷରେ ରୁଷ ହମଲାରେ ମଧ୍ୟ ୟୁକ୍ରେନ ବ୍ୟାପକ କ୍ଷତି ସହିଛି । ୟୁକ୍ରେନର ଏକାଧିକ ସାମରିକ ମୁଖ୍ୟାଳୟ, ହସ୍ପିଟାଲ, ସ୍କୁଲ ଓ ଆବାସିକ କୋଠାକୁ ରୁଷ ସେନା ମାଟିରେ ମିଶାଇ ଦେଇଛନ୍ତି । ସେହିପରି ଦେଶର ୪ ପ୍ରମୁଖ ସହର ମଧ୍ୟ ରୁଷ କବଜାକୁ ଆସି ଯାଇଛି । ଖାରକିଭର ୭୦ ପ୍ରତିଶତ ଅଂଚଳ ରୁଷ ପଞ୍ଝାରେ ରହିଛି । କୌଣସି ମୁହୂର୍ତରେ ରାଜଧାନୀ କିଭ୍ ଉପରେ ମଧ୍ୟ ରୁଷ ତା’ର ଅଧିକାର ଜାହିର କରିବ । ଏହାବାଦ ଏକାଧିକ ନ୍ୟୁକ୍ଲିୟର ପାୱାର ପ୍ଲାଂଟରେ ରୁଷ ସେନା ପ୍ରବେଶ କରି ସାରିଛନ୍ତି ।