୧୨ହଜାର ସୈନ୍ୟଙ୍କୁ ହରାଇଛି ରୁଷ : ୟୁକ୍ରେନ୍
ନୂଆଦିଲ୍ଲୀ: ୟୁକ୍ରେନ୍ ଏବଂ ରୁଷ ମଧ୍ୟରେ ଘମାଘୋଟ୍ ଯୁଦ୍ଧକୁ ଗୁରୁବାର ୧୫ ଦିନରେ ପହଂଚିଛି । ଏହି ଯୁଦ୍ଧରେ ୟୁକ୍ରେନ୍ରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା ବେଳେ ରୁଷ ମଧ୍ୟ ଅନେକ କିଛି ହରାଇଛି । ଆକ୍ରମଣକାରୀ ରୁଷ ଏହି ଯୁଦ୍ଧରେ ୧୨,୦୦୦ ସୈନ୍ୟଙ୍କୁ ହରାଇଛି । ସେହିପରି ୪୯ଟି ପ୍ଲେନ୍, ୮୧ଟି ଚପର ଏବଂ ୩୩୫ଟି ଟ୍ୟାଙ୍କ ନଷ୍ଟ ହୋଇଥିବା ୟୁକ୍ରେନ୍ ଦାବି କରିଛି । ଏହି ଲଢ଼େଇରେ ରୁଷକୁ ମଧ୍ୟ କଡ଼ା ଜବାବ ଦେଥିବା ୟୁକ୍େର୍ରନ୍ ଦାବି କରିଛି । କିଭ୍ ଇଣ୍ଡିପେଡେଂଟ ଗଣମାଧ୍ୟମ ଅନୁଯାୟୀ, ରୁଷର ୧୨,୦୦୦ ସୈନ୍ୟ ନିହତ ହୋଇଥିବା ୟୁକ୍ରେନ୍ ସେନା ଦାବି କରିଛି । ସେହିପରି ୧୧୦୫ଟି ଯୁଦ୍ଧ ସାମଗ୍ରୀ ଭର୍ତି ପ୍ୟାକେଟ, ୫୨୬ଟି ଯାନ ଏବଂ ୬୦ଟି ତୈଳ ଟ୍ୟାଙ୍କକୁ ନଷ୍ଟ କରାଯାଇଛି ।
ଏଥିସହ ୧୨୩ଟି ତୋପ, ୨ଟି ଯୁଦ୍ଧ ବୋଟ୍, ୫୬ଟି ମଲ୍ଟି ରକେଟ ଲଂଚ ସିଷ୍ଟମ, ୨୯ଟି ଆଂଟି ଏୟାରକ୍ରଫ୍ଟ ୱେପନ୍ ଏବଂ ୭ଟି ଡ୍ରୋନ୍କୁ ମଧ୍ୟ ନଷ୍ଟ କରି ଦିଆଯାଇଛି । ଅନ୍ୟପକ୍ଷରେ ବୁଧବାର ମାରିଓପୁଲରେ ଏକ ହସପିଟାଲରେ ଆକ୍ରମଣ କରିଛି ରୁଷ । ଏଥିରେ ୧୭ ଜଣ ଲୋକ ଆହତ ହୋଇଛନ୍ତି । ସେହିପରି ଜଣେ ଶିଶୁ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି । ରୁଷର ଏହି ଆକ୍ରମଣକୁ ୟୁକ୍ରେନ୍ ରାଷ୍ଟ୍ରପତି କଡ଼ା ନିନ୍ଦା କରି ରୁଷ ନରସଂହାର କରୁଛି ବୋଲି ଅଭିଯୋଗ ଆଣିଛି । ରୁଷ ରକ୍ତମୁଖା ହୋଇ ଶିଶୁ ଏବଂ ସାଧାରଣ ଲୋକଙ୍କୁ ଆକ୍ରମଣ କରୁଛି ବୋଲି ସେ ଅଭିଯୋଗ ଆଣିଛନ୍ତି । ଯଦି ମେଡିକାଲ ଏବଂ ମାତୃ ଆଶ୍ରୟସ୍ଥଳୀକୁ ରୁଷ ଭୟ କରୁଛି ତେବେ ସେ କିଭଳି ପ୍ରକୃତିର ଦେଶ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ପ୍ରଶ୍ନ କରିଛନ୍ତି । ମାତୃଆଶ୍ରୟସ୍ଥଳ ଉପରେ ବୋମା ବର୍ଷଣ ହେଉଛି ନରସଂହାର ତାଜା ଉଦାରଣ । ଏହି ଦୃଶ୍ୟକୁ ୟୁରାପୀୟ ଦେଶମାନେ ଦେଖିପାରୁଛନ୍ତିକି ନାହିଁ କହି ଜେଲେନସ୍କି ଉପହାସ କରିଛନ୍ତି । ସେ କହିଛନ୍ତି ଯେ, ରୁଷ ବିରୋଧରେ କଟକଣା ତୀବ୍ର କଲେ ମଧ୍ୟ ମସ୍କୋ ଉପରେ କୌଣସି ଫରକ ପଡ଼ୁନି । କଟକଣା ଯୁଦ୍ଧକୁ ରୋକି ପାରୁଛି କି ସେ ପ୍ରଶ୍ନ କରିଛନ୍ତି । ଏହି ଯୁଦ୍ଧରେ ୨ ଲକ୍ଷ ୟୁକ୍ରେନବାସୀ ଦେଶ ଛାଡ଼ି ପଡ଼ୋଶୀ ଦେଶରେ ଆଶ୍ରୟ ନେଇଥିବା ଜାତିସଂଘ କହିଛି ।