ପରମାଣୁ ଅଭ୍ୟାସ୍ ଆରମ୍ଭ କଲା ରୁଷ
ନୂଆଦିଲ୍ଲୀ : ପରମାଣୁ ଅଭ୍ୟାସ୍ ଆରମ୍ଭ କଲା ରୁଷ। ଏଥିରେ ୟୁକ୍ରେନରେ ଭୟର ମାହୋଲ ସୃଷ୍ଟି ହେବା ସହ ପାଶ୍ଚାତ୍ୟ ଦେଶଗୁଡିକର ଚିନ୍ତା ବଢି ଯାଇଛି। ରୁଷ ଶନିବାର ୟୁକ୍ରେନ ସୀମା ନିକଟରେ ଆଣବିକ ସୈନ୍ୟ ଅଭ୍ୟାସ୍ ଆରମ୍ଭ କରି ଦେଇଛି। ରାଷ୍ଟ୍ରପତି ପୁଟିନ୍ ଖୋଦ୍ ସମରାଭ୍ୟାସର ଉଦଘାଟନ କରିଛନ୍ତି। ଏପରିକି ବେଲାରୁସ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାଶେଙ୍କୋ ସହିତ ନିୟନ୍ତ୍ରଣ କେନ୍ଦ୍ରରେ ମିସାଇଲ ପରୀକ୍ଷଣର ପ୍ରକ୍ଷେପଣ ପରଖିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମତରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ମନସ୍ଥ କରି ସାରିଛି। ଏପରିକି ପୁଟିନ୍ ପରମାଣୁ ଆକ୍ରମଣର ବିକଳ୍ପ ଉପରେ ମଧ୍ୟ ବିଚାର କରୁଛନ୍ତି।
ସମସ୍ତ ପ୍ରକାରର କଳ୍ପନା ଜଳ୍ପନା ଏବଂ ୟୁକ୍ରେନ ସୀମା ନିକଟରେ ୧.୫୦ ଲକ୍ଷ ସୈନିକ, ଏୟାର ଫିଲ୍ଡ ଏବଂ ତୋପଖାନା ମୁତୟନ ପରେ ବି ରୁଷ ଆକ୍ରମଣ ଯୋଜନାକୁ ଖଣ୍ଡନ କରି ଆସିଛି। ତେବେ ଏସବୁ ମଧ୍ୟରେ ଶନିବାର ରୁଷ ପରମାଣୁ ସୈନ୍ୟ ଅଭ୍ୟାସ୍ ଆରମ୍ଭ କରି ଦେଇଛି। ଏଥିରେ ଅନେକ ନୂତନ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି। ଏହାର ମାରକ କ୍ଷମତାର ସଠିକ୍ ଯାଞ୍ଚ ମଧ୍ୟ କରିଛି ରୁଷ। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ବ୍ୟକ୍ତିଗତ ଭାବେ ବାଲିଷ୍ଟିକ ମିସାଇଲର ପରୀକ୍ଷଣକୁ ପରଖିଛନ୍ତି। ଏହି ଯୁଦ୍ଧାଭ୍ୟାସରେ ଅଧିକ ଦୂରଗାମୀ କ୍ଷେପଣାସ୍ତ୍ରକୁ ସାମିଲ୍ କରାଯାଇଛି।
ପରମାଣୁ ଅଭ୍ୟାସରେ ହାଇଟେକ୍ ହାଇପରସୋନିକ, କ୍ରୁଜ ଏବଂ ପରମାଣୁ ବାଲିଷ୍ଟିକ ମିସାଇଲ୍ ପରୀକ୍ଷଣ କରାଯାଇଛି। ଏଥିରେ ରୁଷର ବୋମାବର୍ଷକ ବିମାନ ଟିୟୁ-୯୫ ଓ ବୁଡାଜାହାଜ, ରୁଷର ଜେଟ୍, ହେଲିକପ୍ଟର, ଟ୍ୟାଙ୍କ ଏବଂ ପାରାଟ୍ରୁପର୍ସ, ସ୍ଥଳ ସେନା ବ୍ୟାପକ ଭାବେ ଏହି ସମରାଭ୍ୟାସରେ ସାମିଲ୍ ହୋଇଛନ୍ତି। ରୁଷର ଏହି ସୈନ୍ୟ ଅଭ୍ୟାସ ପରିଧିରେ ରହିଛି ୟୁକ୍ରେନର ଉପକୂଳବର୍ତ୍ତୀ ଅଞ୍ଚଳ। ଏଥିରେ ୟୁକ୍ରେନର ବନ୍ଦର ପ୍ରତି ବିପଦ ବଢି ଯାଇଛି।