ଆରପିଏଫ୍ ଯବାନଙ୍କ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ଷ୍ଟେସନରେ ତୁମୁଳ କାଣ୍ଡ
ବଡ଼ବିଲ : କେନ୍ଦୁଝର ଜିଲା ବାଂଶପାଣି ରେଳ ଷ୍ଟେସନରେ ତୁମୁଳ କାଣ୍ଡ । ଆରପିଏଫ ଯବାନଙ୍କ ମାଡରେ ସ୍ଥାନୀୟ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ଆସିବା ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ପରିସ୍ଥିତି ଉତ୍ତେଜନାପୂର୍ଣ ରହିଥିବା ବେଳେ ଯୋଡ଼ା ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଯେ, ମଙ୍ଗଳବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ସ୍ଥାନୀୟ ଯୁବକ ଲକ୍ଷ୍ମଣ ପାତ୍ର ୨ ନମ୍ବର ରେଳ ସାଇଡିଂକୁ ଯାଇଥିଲେ । ତେବେ ସେଠାରେ ଆରପିଏଫ୍ ଯବାନମାନେ ତାଙ୍କୁ ଚୋର ସନ୍ଦେହରେ ନିସ୍ତୁକ ମାଡ଼ ମାରିଥିଲେ । ଏଥିରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ ଆଣିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା । ଫଳରେ କୋଇଲା ହଟିଂ, ଭଞ୍ଜ ହଟିଂ ଓ ରାଧା ହଟିଂର ଶତାଧିକ ମହିଳା ପୁରୁଷ ସଂଘବଦ୍ଧ ହୋଇ ଷ୍ଟେସନରେ ପଶି ବିଭିନ୍ନ ରେକର୍ଡ ପତ୍ର, ଆସବାବପତ୍ର ନଷ୍ଟ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏଥିସହ ଆରପିଏଫ ବାରାକରେ ପଶି ଯବାନ ମାନଙ୍କୁ ମର୍ପିତ ମଧ୍ୟ କରିଥିଲେ । ଉତ୍ୟକ୍ତ ଲୋକଙ୍କ ମାଡ଼ରେ ୩ଜଣ ଆରପିଏଫ ଯବାନ ଓ ଜଣେ ଏସଆଇ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଯୋଡ଼ା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଯୋଡ଼ା, ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି କରିଥିଲା ।