ଅନ୍ତର୍ଜାତୀୟ କ୍ରିକେଟରେ ଆଉ ବୋଲିଂ କରିପାରିବେନି ରୟ କାଇଆ
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବଡ଼ କାର୍ଯ୍ୟାନୁଷ୍ଠାନ। ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍ରେ ଡେବ୍ୟୁ କରିଥିବା ଜଣେ ଅଫ ସ୍ପିନରଙ୍କ ବୋଲିଂ ଉପରେ ରୋକ ଲାଗଇଦେଇଛି। ଏହି ବୋଲର ଏବେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ମୈଦାନରେ ବୋଲିଂ କରିପାରିବେ ନାହିଁ ବୋଲି ଜଣାପଡ଼ିଛି। କିନ୍ତୁ ସେ ଘରୋଇ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିପାରିବେ ।
ଆଇସିସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜିମ୍ବାଓ୍ବେର ଅଫ ସ୍ପିନର ରୟ କାଇଆଙ୍କୁ ତାଙ୍କର ଭୁଲ ବୋଲିଂ ଆକ୍ସନ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କୁ ଆଉ ବୋଲିଂ କରିବାର ସୁଯୋଗ ମିଳିପାରିବ ନାହିଁ। ଗତ ମାସ ବଂଲାଦେଶ ବିପକ୍ଷରେ ହୋଇଥିବା ଏକମାତ୍ର ଟେଷ୍ଟରେ କାଇଆ ୨୩ ଓଭର ବୋଲିଂ କରିଥିଲେ। କିନ୍ତୁ ଗୋଟିଏ ହେଲେ ମଧ୍ୟ ଓ୍ବିକେଟ ଅକ୍ତିଆର କରିପାରିନଥିଲେ। କାଇଆଙ୍କ ବୋଲିଂ ସମୀକ୍ଷା କରିବାକୁ ଏକ ବିଶେଷଜ୍ଞ ଟିମ୍ ଗଠନ କରାଯାଇଥିଲା । ବୋଲିଂ ବେଳେ ତାଙ୍କର କହୁଣୀ ୧୫ ଡିଗ୍ରିରୁ ଅଧିକ ମୋଡ଼ୁଥିବା ଜଣାପଡ଼ିଥିଲା। ତାଙ୍କର ଏହି ଆକ୍ସନ ଅବୈଧ ଥିଲା। ତେବେ କାଇଆ ଆଇସିସିର କାର୍ଯ୍ୟାନୁଷ୍ଠାନ ବିରୋଧରେ ପୁଣି ଥରେ ଆବେଦନ କରିପାରିବେ। ଏନେଇ ପୁଣି ଥରେ ଯାଞ୍ଚ ହେବ। ଏହା ପରେ ସ୍ପଷ୍ଟ ହେବ କାଇଆ ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ କରିପାରିବେ କି ନାହିଁ। ୨୯ ବର୍ଷୀୟ ରୟ କାଇଆ ପାକିସ୍ତାନ ବିପକ୍ଷରେ ହରାରେ ଟେଷ୍ଟରେ ଡେବ୍ୟୁ କରିଥିଲେ । ନିଜର ପ୍ରଥମ ମ୍ୟାଚ୍ରେ ସେ ୪୮ ରନ୍ କରିଥିଲେ କିନ୍ତୁ ଗୋଟିଏ ବି ଓ୍ବିକେଟ ନେଇପାରି ନଥିଲେ। ୨୦୧୫ରେ ସେ ଜିମ୍ବାଓ୍ବେ ପାଇଁ ଗୋଟିଏ ଦିନିକିଆ ଖେଳିଥିଲେ। ପରେ ତାଙ୍କୁ ଏହି ଫର୍ମାଟରେ ସୁଯୋଗ ମିଳିନଥିଲା ।