ମ୍ୟାଚ ବେଳେ ଆହତ ହେଲେ ରୋହିତ, ହସ୍ପିଟାଲରେ ଭର୍ତ୍ତି
ଢାକା : ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଭାରତକୁ ଲାଗିଲା ବଡ଼ ଝଟକା। ଅଧିନାୟକ ରୋହିତ ଶର୍ମା ଗୁରୁତର । ରୋହିତଙ୍କ ହାତରେ ଲାଗିଥିବା ଆହତ ହେତୁ ମ୍ୟାଚ ମଝିରୁ ତାଙ୍କୁ ପଡ଼ିଆ ଛାଡ଼ି ହସ୍ପିଟାଲ ଯିବାକୁ ପଡ଼ିଛି। ସ୍ଲିପରେ ଫିଲ୍ଡିଂ କରିଥିବା ବେଳେ ରୋହିତ ଗୋଟିଏ କ୍ୟାଚ୍ ନେବାକୁ ଚେଷ୍ଟା କରିଥିଲେ। ହେଲେ ବଲଟି ତାଙ୍କ ବାମ ହାତର ବୁଢ଼ା ଅଙ୍ଗୁଳିରେ ଜୋରରେ ମାଡ଼ ହୋଇଥିଲା। ଏଥିଯୋଗୁ ରୋହିତ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ମ୍ୟାଚ୍ ଅଧାରୁ ହିଁ ରୋହିତ ଶର୍ମାଙ୍କୁ ଏକ୍ସ-ରେ ପାଇଁ ଢାକା ହସ୍ପିଟାଲ ଯିବାକୁ ପଡ଼ିଛି। ଏଭଳି ସମୟରେ କେଏଲ ରାହୁଲ ଦଳର ଅଧିନାୟକ ଭାବେ ପଡ଼ିଆରେ ନିଜର କର୍ତ୍ତବ୍ୟ ତୁଲାଉଛନ୍ତି।
ସୂଚନା ଯେ, ବାଂଲାଦେଶ ଇନିଂସର ଦ୍ୱିତୀୟ ଓଭରରେ ପୂରା ଘଟଣା ଘଟିଥିଲା। ମହମ୍ମଦ ସିରାଜ ବୋଲିଂ କରୁଥିବା ବେଳେ ବ୍ୟାଟିଂ କରୁଥିଲେ ଅନମମୁଲ ହକ୍। ତେବେ ବ୍ୟାଟ୍ର ଏଡଜ ହୋଇ ବଲ୍ଟି ସ୍ଲିପରେ ଫିଲ୍ଡିଂ କରିଥିବା ରୋହିତଙ୍କ ପାଖକୁ ଯାଇଥିଲା। ସେ ବଲକୁ କ୍ୟାଚ୍ କରିବା ପାଇଁ ଦୁଇଟି ଯାକ ହାତ ବଢ଼ାଇଥିଲେ ମଧ୍ୟ କ୍ୟାଚ୍ ଧରିପାରି ନଥିଲେ। ଏତିକି ବେଳେ ବଲ୍ଟି ତାଙ୍କୁ ବୁଢ଼ା ଅଙ୍ଗୁଳରେ ମାଡ଼ ହୋଇଥିଲେ। ଏହି ଆଘାତ ଲାଗିବା ପରେ ତାଙ୍କ ଆଙ୍ଗୁଳିରୁ ରକ୍ତ ବାହାରିଥିଲା। ଏହି କାରଣରୁ ତୁରନ୍ତ ତାଙ୍କୁ ପଡ଼ିଆ ଛାଡ଼ି ହସ୍ପିଟାଲ ଯିବାକୁ ପଡ଼ିଛି। ଢାକାସ୍ଥିତ ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ବିସିସିଆଇ ମେଡିକାଲ ଟିମ ରୋହିତଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି। ଏଥିସହିତ ଟୁଇଟ କରି ରୋହିତଙ୍କ ଏହି ଅବସ୍ଥା ବିଷୟରେ ସୂଚନା ଦେଇଛି। ତେବେ କ୍ରିକେଟ ଖେଳ ପ୍ରେମୀ ରୋହିତ ଖୁବଶୀଘ୍ର ସୁସ୍ଥ ହୋଇ ପଡ଼ିଆକୁ ଫେରି ଆସନ୍ତୁ ବୋଲି ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି। ତେବେ ରୋହିତ ପୁଣି ପଡ଼ିଆକୁ ଫେରିବେ କି ନାହିଁ ତାହା ଡାକ୍ତର କହିବେ।
ଅନ୍ୟପକ୍ଷରେ ରୋହିତଙ୍କ ଆହତ ସମସ୍ୟା ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ୫ମ ଓଭରରେ ଆଉ ଏକ ଝଟକା ଲାଗିଥିଲା। ଦ୍ରୁତ ବୋଲର ଦୀପକ ଚହର ମାଂସପେଶୀ ଜନିତ ସମସ୍ୟା ଯୋଗୁ ବାଂଲାଦେଶ ଇନିଂସର ୫ମ ଓଭରରେ ପଡ଼ିଆ ଛାଡ଼ିଥିଲେ। ସେ ମଧ୍ୟ ଆଉ ମୈଦାନକୁ ଓହ୍ଲାଇ ନାହାନ୍ତି। ଆହତ ହେବା ପୂର୍ବରୁ ସେ ମାତ୍ର ୩ ଓଭର ବୋଲିଂ କରିବାକୁ ସକ୍ଷମ ହୋଇଥିଲେ।