ଗୋଟିଏ ଛକା ମାରି ଇତିହାସ ରଚିଲେ ରୋହିତ, ପୁଣିଥରେ ନିଜ ନାମରେ କଲେ ଏହି ବିଶ୍ୱ ରେକର୍ଡ
ନୂଆଦିଲ୍ଲୀ : ଭାରତୀୟ ଅଧିନାୟକ ତଥା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । ସେ ଲମ୍ବା ଛକା ମାରିବା ପାଇଁ ବେଶ୍ ଜଣାଶୁଣା । ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍ ଇଣ୍ଡିଆକୁ ୬ ୱିକେଟ୍ ହରାଇ ପରାଜୟର ସମ୍ମୁଖୀନ ହେବାକୁ ପଡୁଥିଲେ ମଧ୍ୟ ଅଧିନାୟକ ରୋହିତ ଶର୍ମା ମାତ୍ର ଗୋଟିଏ ଛକା ମାରିବା ପରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି । ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ଏକ ବଡ଼ ଇନିଂସ ଖେଳିପାରିନଥିଲେ, ତଥାପି ସେ ଏହି ବଡ଼ ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇପାରିଛନ୍ତି ।
ଅଷ୍ଟ୍ରେଲିଆ ବିପକ୍ଷରେ ଟିମ ଇଣ୍ଡିଆର ଅଧନାୟକ ରୋହିତ ଶର୍ମାଙ୍କୁ ବହୁତ ଭଲ ଫର୍ମରେ ଦେଖିବାକୁ ମିଳିଥିଲା, କିନ୍ତୁ ସେ ଏକ ବଡ଼ ଇନିଂସ ଖେଳି ପାରିନଥିଲେ । ସେ ତାଙ୍କ ସର୍ଟ ଇନିଂସରେ ୯ ବଲରେ ୧୧ ରନ୍ ସଂଗ୍ରହ କରିଥିଲେ । ଏଥିରେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ ଥିଲା । ତାଙ୍କୁ ଜୋସ୍ ହାଜଲେଉଡ୍ ଆଉଟ୍ କରିଥିଲେ । କିନ୍ତୁ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ଛକା ମାରିବା ମାତ୍ରେ ସେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟର ମିଳିତ ଭାବେ ସର୍ବାଧିକ ଛକା ଲଗାଇବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଟି-୨୦ କ୍ରିକେଟରେ ରୋହିତଙ୍କ ନାମରେ ୧୭୨ଟି ଛକା ରହିଛି । ନ୍ୟୁଜିଲ୍ୟାଣ୍ଡର ଷ୍ଟାର୍ ବ୍ୟାଟ୍ସମ୍ୟାମ ମାର୍ଟିନ ଗୁପଟିଲ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରେ ୧୭୨ ଛକା ମାରିଛନ୍ତି ।
ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ରୋହିତ ଶର୍ମାଙ୍କ ନାମରେ ସର୍ବାଧିକ ୪ଟି ଶକତ ରହିଛି । ରୋହିତ ନିଜେ ଟିମ୍ ଇଣ୍ଡିଆକୁ ଅନେକ ମ୍ୟାଚ୍ ଜିତାଇଛନ୍ତି । ଓପେନିଂ କରିବାବେଳେ ସେ ନିଜ ଇନିଂସକୁ ଧୀରେ ଧୀରେ ଆରମ୍ଭ କରନ୍ତି, କିନ୍ତୁ ପିଚରେ ସେଟ୍ ହେବା ପରେ ସେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରନ୍ତି । ତାଙ୍କ ପୁଲ ସଟ୍ ପାଇଁ ସମସ୍ତେ ପାଗଳ । ମୋଟ ଉପରେ ରୋହିତ ଶର୍ମା ସମସ୍ତ ତିନୋଟି ଫର୍ମାଟ୍ (ଟେଷ୍ଟ, ଏକଦିବସୀୟ ଏବଂ ଟି-୨୦) ମିଶାଇ ୪୧୫ ମ୍ୟାଚରେ ୪୮୬ ଛକା ମାରିଛନ୍ତି । ରୋହିତ ଶର୍ମା ଭାରତ ପାଇଁ ତିନୋଟି ଫର୍ମାଟରେ କ୍ରିକେଟ୍ ଖେଳିଛନ୍ତି । ସେ ଟି-୨୦ କ୍ରିକେଟର ସର୍ବାଧିକ ରନ୍ ସ୍କୋରର ଭାବେ ନିଜ ନାମରେ ରେକର୍ଡ କରି ରଖିଛନ୍ତି । ସେ ଭାରତ ପାଇଁ ୧୩୬ଟି ମ୍ୟାଚରେ ମୋଟ ୩୬୨୦ ରନ୍ ସଂଗ୍ରହ କରିଛନ୍ତି । ସେହିପରି ରୋହିତ ଶର୍ମା ୨୩୩ ଦିନିକିଆରେ ୯,୩୭୬ ରନ୍ ସ୍କୋର କରିଛନ୍ତି । ଏଥି ସହିତ ସେ ଟେଷ୍ଟ କ୍ରିକେଟରେ ୩,୧୩୭ ରନ୍ ସଂଗ୍ରହ କରିଛନ୍ତି । ସେ ତିନୋଟି ଫର୍ମାଟରେ ଭାରତ ପାଇଁ ଅତ୍ୟନ୍ତ ବିଶ୍ୱସ୍ତ ବ୍ୟାଟ୍ସମ୍ୟାନ୍ ଭାବେ ଜଣାଶୁଣା ।