ବାଲେଶ୍ୱର : ଜିଲା ସଡକ ସୁରକ୍ଷା କମିଟି ବୈଠକ
ବାଲେଶ୍ୱର : ବାଲେଶ୍ୱର ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଅଗଷ୍ଟ ମାସ ପାଇଁ ଜିଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମୀ ରଞ୍ଜିତ ଦଳବେହେରା, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଦୁଲାଳ ସେନ ଜଗଦ୍ଦେବଙ୍କ ସମେତ ପୋଲିସ୍ ଅଧିକାରୀ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅଧିକାରୀ, ଜିଲା ସଡ଼କ ସୁରକ୍ଷା ସମିତିର ସଦସ୍ୟ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ବିଭିନ୍ନ ପରିବହନ ସଙ୍ଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।
ବୈଠକର ଆବାହକ ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମି ରଞ୍ଜିତ ଦଳବେହେରାଙ୍କ ଦ୍ୱାରା ଗତ ମାସର ବୈଠକର ବିବରଣୀ ଉପସ୍ଥାପନ ସହ ସେ ବାବଦରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ସମୀକ୍ଷା କରାଯାଇଥିଲା । ରାସ୍ତା ଦୁର୍ଘଟଣା ଓ ଜୀବନହାନୀ ହ୍ରାସ ପାଇଁ ବିଭିନ୍ନ ସମୟରେ ଦିଆଯାଇଥିବା ନିର୍ଦ୍ଦେଶନାମାର କଡ଼ାକଡ଼ି ଅନୁପାଳନ, ଦ୍ରୁତ ଗତି ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ଦୁର୍ଘଟଣା ବାବଦରେ ଠିକ୍ ସମୟରେ ମିଳିତ ତଦନ୍ତ ରିପୋର୍ଟ ପ୍ରଦାନ ଇତ୍ୟାଦି ଉପରେ ବୈଠକରେ ସମୀକ୍ଷା କରାଯାଇଥିଲା । ବିଶେଷ କରି ଦୁର୍ଘଟଣା ଘଟିବାର ୨୪ ଘଣ୍ଟା ମଧ୍ୟରେ ମିଳିତ ସରଜମିନ୍ ତଦନ୍ତ କରି ରିପୋର୍ଟ ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ତେବେ ଅଧିକାଂଶ ସମୟରେ ରୋଡ୍ ଇଞ୍ଜିନିୟରଙ୍କ ଅନୁପସ୍ଥିତି ଯୋଗୁଁ ମିଳିତ ତଦନ୍ତ ସମ୍ପୂର୍ଣ୍ଣ ହୋଇପାରୁନଥିବାରୁ ସେ ଦିଗରେ ତତ୍ପରତା ପ୍ରକାଶ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଥିଲା । ଭେଲୋରା ଠାରେ ବ୍ରିଜ ନିର୍ମାଣ କାର୍ଯ୍ୟ ଆସନ୍ତା ୨ ସପ୍ତାହ ମଧ୍ୟରେ ଆରମ୍ଭ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଖାଲ ଢିପ ଥିବା ସର୍ଭିସ ରୋଡ୍ ଗୁଡିକର ଯଥାଶୀଘ୍ର ମରାମତି କରାଯିବା, ହେଲମେଟ ଚେକିଂ ସହ ନାବାଳକ ଗାଡି ଚାଳନାକୁ ରୋକିବା, ଜାତୀୟ ରାଜପଥରେ ଡାଇଭର୍ସନ ଚିହ୍ନଟ କରାଯାଇ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୨୪ ଘଣ୍ଟା କର୍ମଚାରୀ ମୁତୟନ କରାଯିବା, ଜାତୀୟ ରାଜପଥକୁ ସଂଯୋଗ କରୁଥିବା ସର୍ଭିସ ରୋଡ୍ମାନଙ୍କର ବୁଲାଣି ଜାଗାରେ ସାଇନେଜ ଲଗାଯିବା ଆଦି ଉପରେ ସଡକ ସୁରକ୍ଷା ସମିତିର ସଦସ୍ୟମାନେ ଆଲୋକପାତ କରିଥିଲେ ।
ଅନୁରୂପ ଭାବେ ବାମପଦା ଛକଠାରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରିବା, ଆସନ୍ତା ସପ୍ତାହରୁ ବାଲେଶ୍ୱର ସହରରେ ପୂର୍ଣ୍ଣ ମାତ୍ରାରେ ସିସିଟିଭି ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବା, ଜାତୀୟ ରାଜପଥ କର୍ତୃପକ୍ଷ ପୁଲିସକୁ ନିର୍ଦ୍ଧାରିତ ୫୦ଟି ବାରିକେଡ୍ ଯୋଗାଇଦେବା, ସୋର ଅନନ୍ତପୁର ରାସ୍ତାରେ ଉପଯୁକ୍ତ ସାଇନେଜ୍ ବ୍ୟବସ୍ଥା କରିବା, ଜିଲା ସଦର ମହକୁମାର ପ୍ରତି ସରକାରୀ ଅଫିସ୍ ପ୍ରବେଶ ଦ୍ୱାରରେ “ହେଲମେଟ୍ ବିନା ପ୍ରବେଶ ନିଷେଧ” ବୋର୍ଡ଼ ଲଗାଇବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ରେମୁଣା ଗୋଲେଇ ନିକଟସ୍ଥ ଜାତୀୟ ରାଜପଥର ଦୁଇପାଖରେ ଛିଡ଼ା ହୋଇ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିବା ଟ୍ରକ୍ ଓ ଅନ୍ୟ ଗାଡ଼ି ସବୁକୁ ଫୁଲାଡ଼ି ନିକଟରେ ପାର୍କିଂ କରାଯିବା ପାଇଁ ପ୍ରାୟ ୫ ଏକର ଜାଗା ଚିହ୍ନଟ ପ୍ରକ୍ରିୟା ସରିଥିବା ବେଳେ ସାଇଟ୍ ସିଲେକ୍ସନ କମିଟି ରିପୋର୍ଟ ଆଧାରରେ ଖୁବ୍ ଶୀଘ୍ର ପରବର୍ତୀ ପଦକ୍ଷେପ ନିଆଯାଇ ପାର୍କିଂ ବ୍ୟବସ୍ଥା କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ସେହିପରି ବାରମ୍ବାର ଦୁର୍ଘଟଣା ଘଟୁଥିବା ଜିଲାର ବ୍ଲାକ ସ୍ପଟଗୁଡିକର ଅନୁଧ୍ୟାନ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣଙ୍କ ଏକ ଉଚ୍ଚସ୍ତରୀୟ ଟିମ୍ ଆସନ୍ତା ୧୪ତାରିଖ ଦିନ ବାଲେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ତା ପୂର୍ବରୁ ଆଞ୍ଚଳିକ ପରିବହନ ଅଧିକାରୀ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏବଂ ପୋଲିସର ଏକ ମିଳିତ ଟିମ୍ ଦ୍ୱାରା ଏହି ବ୍ଲାକ ସ୍ପଟ ଗୁଡିକର ଯାଞ୍ଚ କରାଯାଇ ଏକ ରିପୋର୍ଟ ପ୍ରସ୍ତୁତ ପାଇଁ ବୈଠକରେ ନିଷ୍ପତି ହୋଇଥିଲା । ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ରିପୋର୍ଟ ଆଧାରରେ ୩ଜଣ ଗୁଡ୍ ସାମାରିଟାନଙ୍କୁ ପୁରସ୍କୃତ କରାଯିବା ପାଇଁ ସିଦ୍ଧାନ୍ତ ହୋଇଥିଲା । ଅଧିକ ବେଗ, ଅଧିକ ବୋଝେଇ, ମାଲ୍ ପରିବହନ ଯାନରେ ଯାତ୍ରୀ ପରିବହନ, ଯାନ ଚାଳନା ସମୟରେ ମୋବାଇଲ ଫୋନର ବ୍ୟବହାର, ନିଶା ସେବନ କରି ଗାଡି ଚାଳନା, ବିନା ହେଲମେଟ୍ରେ ଗାଡି ଚାଳନା ଆଦି ଅପରାଧ ଅଧାରରେ ଆର୍ଟିଓଙ୍କ ଦ୍ୱାରା ଜୁଲାଇ ମାସରେ ୬୩୦ଜଣ ଆଇନ ଉଲ୍ଲଙ୍ଘନକାରୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମୋଟ ୨୪୮ଜଣଙ୍କର ଡ୍ରାଇଭିଂ ଲାଇସେନ୍ସକୁ ବାତିଲ୍ କରାଯାଇଛି ଏବଂ ଚଳିତ ବର୍ଷ ଜାନୁୟାରୀ ରୁ ଜୁଲାଇ ପର୍ଯ୍ୟନ୍ତ ସମୁଦାୟ ଚିହ୍ନଟ ୩୬୩୮ ଆଇନ ଉଲ୍ଲଙ୍ଘନକାରୀଙ୍କ ମଧ୍ୟରୁ ୧୨୫୯ଜଣଙ୍କ ଲାଇସେନସ ବାତିଲ ହୋଇଛି । ୨୦୨୧ ମସିହା ଜାନୁୟାରୀରୁ ଜୁଲାଇ ମଧ୍ୟରେ ପୋଲିସ୍ ଥାନାମାନଙ୍କ ଦ୍ୱାରା ପ୍ରଦତ ଦୁର୍ଘଟଣା ରିପୋର୍ଟ ଅନୁଯାୟୀ ସମୁଦାୟ ୨୩୮ଟି ଦୁର୍ଘଟଣା ଘଟିଛି ଏବଂ ଏହି ସମୟ ମଧ୍ୟରେ ୧୩୦ ଜୀବନହାନୀ ହୋଇଛି । ଦୁର୍ଘଟଣା ଓ ଜୀବନହାନୀ ହ୍ରାସ ପାଇଁ ସତର୍କତା ଅବଲମ୍ବନ ଓ ତତ୍ପରତାର ସହ କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ନିମନ୍ତେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ପରାମର୍ଶ ଦେଇଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମିରଞ୍ଜିତ ଦଳବେହେରା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।