ମୁମ୍ବାଇକୁ ସ୍ଥାନାନ୍ତର ହେବେ ଋଷଭ ପନ୍ତ, ଆଜି ହେବେ ଏୟାରଲିଫ୍ଟ
ନୂଆଦିଲ୍ଲୀ : ମୁମ୍ବାଇକୁ ସ୍ଥାନାନ୍ତର ହେବେ ସଡ଼କ ଦୁର୍ଘଟଣାରେ ଆହତ କ୍ରିକେଟର ଋଷଭ ପନ୍ତ । ଡେରାଡୁନରେ ଚିକିତ୍ସିତ ହେଉଥିବା ରିଷଭ ପନ୍ତଙ୍କୁ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥାନାନ୍ତର କରାଯିବ। ଆଜି ହିଁ ପନ୍ତଙ୍କୁ ମୁମ୍ବାଇକୁ ଏୟାରଲିଫ୍ଟ କରାଯିବ ବୋଲି ସୂଚନା ମିଳିଛି । ଏନେଇ ଡିଡିସିଏ ନିର୍ଦ୍ଦେଶକ ଶ୍ୟାମ ଶର୍ମା ସୂଚନା ଦେଇଛନ୍ତି।
ଗତ ଡିସେମ୍ବର ୩୦ରେ ଉତ୍ତରାଖଣ୍ଡ ରୁର୍କି ନିକଟରେ ଋଷଭ ପନ୍ତ ନିଜ ଘରକୁ ଫେରୁଥିବା ବେଳେ ରାସ୍ତାରେ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାରଟି ଡିଭାଇଡରରେ ପିଟି ହେବା ସହ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ତେବେ କାଚ ଭାଙ୍ଗି କାର ବାହାରକୁ ଆସିବା ସହ ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ଋଷଭ । ତେବେ ତୁରନ୍ତ ଋଷଭଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଋଷଭଙ୍କ ସ୍ୱାସ୍ଥ୍ୟବସ୍ଥାରେ ଏବେ ଉନ୍ନତି ପରିଲିକ୍ଷିତ ହେଉଥିବା ବେଳେ ଦେଶ ବିଦେଶରୁ ଋଷଭଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ପ୍ରଶଂସକ ।
ଅନ୍ୟପଟେ ବିସିସିଆଇ ପକ୍ଷରୁ ଏକ ଟ୍ୱିଟ୍ ସେୟାର କରି ଋଷଭଙ୍କୁ ଯୋଦ୍ଧା ବୋଲି କୁହାଯାଇଛି । ଋଷଭଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପୂରା ଟିମ୍ ଇଣ୍ଡିଆ । ଦଳର କୋଚ୍ ରାହୁଲ ଦ୍ରାବିଡ କହିଛନ୍ତି, ଯେତେବେଳେ ଟିମ ଇଣ୍ଡିଆ ସଙ୍କଟରେ ପଡିଛି ସେତେବେଳେ ନିଜର ଦମଦାର ଇନିଂସ ବଳରେ ଦଳକୁ ବିଜୟୀ କରିଛ । ତେଣୁ ଏହି ମାମଲାରେ ବି ତୁମେ ଯୋଦ୍ଧା ଭଳି ଲଢିବ ଓ ଖୁବଶୀଘ୍ର ସୁସ୍ଥ ହୋଇ ଫେରିବ । ସେହିଭଳି ଟିମ୍ ଇଣ୍ଡିଆର ଅନ୍ୟ ଖେଳାଳି ମଧ୍ୟ ଋଷଭ ଶୀଘ୍ର ସୁସ୍ଥ ହୋଇ ଫେରି ଆସନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।