ବନ୍ଦ କରନି ବିଦ୍ୟୁତ ଯୋଗାଣ : ମୁଖ୍ୟ ଶାସନ ସଚିବ
ଖରା ବୃଦ୍ଧି ଓ ପିଲାଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟୁତ କାଟ ନକରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ଖରା ବୃଦ୍ଧି ଓ ପିଲାଙ୍କ ପରୀକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟବ୍ୟାପୀ ନିରବିଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବିଦ୍ୟୁତ ବିତରକ କମ୍ପାନିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସୋମବାର ବିଦ୍ୟୁତ ଯୋଗାଣକୁ ନେଇ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି । ଭିଡିଓ କନଫରେନସିଂରେ ହୋଇଥିବା ବୈଠକରେ ଶକ୍ତି ସଚିବ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ବିଦ୍ୟୁତ ବ୍ୟବହାର ଚାହିଦା ୧୦ % ବଢିଛି । ବିଦ୍ୟୁତ ଯୋଗାଣ ନେଇ ଯାହା ସମସ୍ୟା ରହିଛି ତାହା ସାମୟିକ । ମେ’ ପ୍ରଥମ ସପ୍ତାହ ସୁଦ୍ଧା ସମସ୍ୟାର ସମାଧାନ ହୋଇଯିବ । ତେଣୁ ଦିନବେଳେ ବିଦ୍ୟୁତ ଯୋଗାଣରେ ଯେଭଳି କୌଣସି ଅସୁବିଧା ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ବିଦ୍ୟୁତ ଯୋଗାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସନ୍ଧ୍ୟା ୭ଟାରୁ ରାତି ୧୧ଟା ମଧ୍ୟରେ ବିଦ୍ୟୁତ୍ ଚାହିଦା ୫ ହଜାର ୨ଶହ ମେଗାଓ୍ୱାଟରୁ ୫ ହଜାର ୪ଶହ ମଧ୍ୟରେ ରହୁଛି । ତେବେ ରାଜ୍ୟର ବିଦ୍ୟୁତ୍ ଉତ୍ପାଦନ କ୍ଷମତା ୪ ହଜାର ୮ଶହ ମେଗାଓ୍ୱାଟ ରହିଛି । ବିଦ୍ୟୁତ୍ ଉତ୍ପାଦନ କମ ରହୁଥିବାରୁ ଏଭଳି ସ୍ଥିତି ଦେଖାଦେଇଛି । ତେଣୁ ଏହାର ସମାଧାନ ନିମନ୍ତେ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଏନଟିପିସି ଦର୍ଲିପାଲି ପାଓ୍ୱାର ଷ୍ଟେସନରେ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେବା ପରେ ବିଦ୍ୟୁତ୍ ଶକ୍ତିର ଅଭାବ ଦେଖାଦେଇଛି । ଆବଶ୍ୟକ ବିଦ୍ୟୁତ୍ ଉତ୍ପାଦନ ହେଉ ନଥିବାରୁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି । ତେଣୁ ତୁରନ୍ତ ଏହି ଷ୍ଟେସନର ମରାମତି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏଥିସହ ଅଧିକ ବିଦ୍ୟୁତ ଉତ୍ପାଦନ କରିବାକୁ ବିଦ୍ୟୁତ୍ ବିତରଣକାରୀ କମ୍ପାନୀଗୁଡ଼ିକୁ ପରାମର୍ଶ ଦିଆଯିବା ସହ ପର୍ଯ୍ୟପ୍ତ ପରିମାଣର ଭଲ କୋଇଲା ଯୋଗାଣ ପାଇଁ ଆଇପିପିକୁ କୁହାଯାଇଛି। ସମସ୍ତ ଆଇଆଇପି ତଥା ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା ମାନଙ୍କୁ ଉନ୍ନତମାନର କୋଇଲା ଯୋଗାଇ ଦେବାକୁ ଏମସିଏଲକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଯେ, ଦିନକୁ ଦିନ ତାତି ବଢୁଥିବାବେଳେ ଗ୍ରାମାଞ୍ଚଳରେ ପାୱାରକଟ ସମସ୍ୟା ଦେଖିବାକୁ ମିଳିଛି । ରାଜ୍ୟରେ ଯେତେବେଳେ ଲୋକେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ଆଉଟୁପାଉଟୁ ହେଉଛନ୍ତି, ସେତେବେଳେ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ୍ ଚାଲିଛି। ପ୍ରତିଦିନ ବିଜୁଳି କାଟ୍ ହେଉଛି, ରାତିରେ ପରିସ୍ଥିତି ଆହୁରି ଖରାପ। ଖରାଦିନ କାରଣରୁ ବିଦ୍ୟୁତ ଚାହିଦା ବୃଦ୍ଧି ପାଇଥିବାବେଳେ ଜଳ ଅଭାବରୁ ୩୦୦ ମେଗାୱାଟ କମ୍ ବିଦ୍ୟୁତ ଉତ୍ପାଦନ ହେଉଛି। ସେଥିପାଇଁ ରାଜ୍ୟର କେତେକ ଅଞ୍ଚଳରେ ଦିନକୁ ଅସ୍ଥାୟୀ ଭାବେ ଅଧଘଣ୍ଟାରୁ ୪୫ ମିନିଟ୍ ପର୍ଯ୍ୟନ୍ତ ପାୱାର କଟ୍ ଆରମ୍ଭ ହେଉଛି ବୋଲି ଟିପିସିଓଡିଏଲ୍ ପକ୍ଷରୁ କୁହାଯାଇଥିଲା। ଆଉ ଏହାକୁ ନେଇ ଆଜି ରାଜ୍ୟ ସରକାର ସମୀକ୍ଷା କରିଛନ୍ତି ।