ବାଲେଶ୍ୱର କ୍ୟାଥଲିକ ଡାଇଓସିସିର ବିଶପ ଭାବେ ଦାୟିତ୍ୱ ଗ୍ରହଣ କଲେ ରେଭେରାନ୍ସ ଭର୍ଘିଜ
ବାଲେଶ୍ୱର : ଦୀର୍ଘ ୪ବର୍ଷ ଧରି ଖାଲିପଡ଼ିଥିବା ରୋମାନ କ୍ୟାଥୋଲିକ ଧର୍ମୀୟ ମଣ୍ଡଳୀ, ଉତ୍ତର ଓଡ଼ିଶା (ବାଲେଶ୍ୱର କ୍ୟାଥଲିକ) ଡାଇଓସିସିର ବିଶପ ପଦରେ ଅଧିସିକ୍ତ ହୋଇଛନ୍ତି ଆର୍ଟି ରେଭେରାନ୍ସ ଭର୍ଘିଜ୍ ଥୋତ୍ତାମକରା ସିଏମ । ଗତ ବୁଧବାର ସେ ଦକ୍ଷିଣ ଆଫ୍ରିକାରୁ ବିମାନ ଯୋଗେ କୋଲକାତା ଓ ବାଲେଶ୍ୱରରେ ପହଞ୍ଚିଥିଲେ । ଗୁରୁବାର ବିଏସ୍ଏସ୍ଏସ୍ କାର୍ଯ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରାରେ ତାଙ୍କୁ ଚର୍ଚ୍ଚକୁ ଅଣାଯାଇଥିଲା । ବାଣ ଫୁଟାଇ, ବାଜା ବଜାଇ ଓ ପୁଷ୍ପ ବୃଷ୍ଟି କରାଇ ଶତାଧିକ ଖ୍ରୀଷ୍ଟ ବିଶ୍ୱାସୀ ତାଙ୍କୁ ଚର୍ଚ୍ଚକୁ ଆଣିଥିଲେ । ଚର୍ଚ୍ଚର ପ୍ରାର୍ଥନା ଗୃହକୁ ଯାଇ ସେ ପ୍ରଭୁ ଯୀଶୁଙ୍କୁ ପ୍ରଣିପାତ ସହ ସାମୂହିକ ପ୍ରାର୍ଥନା ସଭାରେ ଯୋଗଦାନ କରିଥିଲେ । ପରେ ଓଡ଼ିଶା କ୍ୟାଥଲିକ ଡାଇଓସିସିର ମୁଖ୍ୟ ଆର୍କ ବିଶପ ଜୋହନ ବରୱା ଓ ଭାଟିକାନର ରାଷ୍ଟ୍ରଦୂତ ରେଭେରାନ୍ସ ଲିଓ ପୋଲଦୋ ଜିରିଲିଙ୍କ ଉପସ୍ଥିତିରେ ବିଶପ ରେଭେରାନ୍ସ ଭର୍ଘିଜ୍ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ ସହ ଶପଥ ପାଠ କରିଥିଲେ । ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ବିଶପ, ଆର୍କବିଶପ, ଫାଦର ତଥା ଖ୍ରୀଷ୍ଟ ଧର୍ମୀୟ ଯାଜକମାନେ ରେଭେରାନ୍ସ ଭର୍ଘିଜଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ବିଏସ୍ଏସ୍ଏସ୍ର ଆଡ଼ମିନଷ୍ଟ୍ରେସନ ଅଧିକାରୀ ଫାଦର ଆଇଜାକ ପୁତୁନାନାଡ଼ିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଫାଦାର ଭର୍ଗିଜ ପାନେନଗଦନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପୂର୍ବତନ ବିଶପ ଥୋମାସ ଥିରୁଥଲିଲ, ଉତ୍ତର ଭାରତ ପ୍ରଦେଶ ଡାଇଓସିସିର ମୁଖ୍ୟ ରେଭେରାନ୍ସ ଫାଦର ମାଥୱେ ନାୟକ, ଦକ୍ଷିଣ ଭାରତ କ୍ୟାଥଲିକ ଡାଇଓସିସି ମୁଖ୍ୟ ଫାଦର ଥୋମାସ, ସିଷ୍ଟର ରୀତି, ବାଲେଶ୍ୱର ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ପୌରାଧ୍ୟକ୍ଷା ସବିତା ସାହୁ ପ୍ରମୁଖ ଯୋଗଦେଇ ବିଶପ ରେଭେରାନ୍ସ ଭର୍ଘିଜଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଉତ୍ତର ଓଡ଼ିଶା ଡାଇଓସିସିର ମୁଖ୍ୟ ଭାବେ ତାଙ୍କର ସଫଳତା କାମନା କରିଥିଲେ । ଏହି ଅବସରରେ ବିଶପ ରେଭେରାନ୍ସ ଭର୍ଘିଜ କେକ କାଟି ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଜୀବନ ଯାତ୍ରାରେ ଏହା ତାଙ୍କ ପାଇଁ ଅନ୍ୟଏକ ଗୁରୁ ଦାୟିତ୍ୱ ବୋଲି କହିବା ସହ ପ୍ରଭୁ ଯୀଶୁଙ୍କ ନିକଟରେ ପୂର୍ଣ୍ଣ ସମର୍ପଣ ସହ ଈଶ୍ୱରଙ୍କ ଇଚ୍ଛାକୁ ଗ୍ରହଣ କରି ଏହି ଡାଇଓସିସିର ସମସ୍ତ କାର୍ଯ୍ୟକୁ ସମ୍ପାଦନ କରିବେ । ସାଧୁ ଅଗସ୍ତିଙ୍କ ଆଦର୍ଶକୁ ଗ୍ରହଣ ପୂର୍ବକ କର୍ତ୍ତବ୍ୟ ଓ ଅନୁଗ୍ରହ ମଧ୍ୟରେ ସମନ୍ୱୟ ରକ୍ଷା ସହ କାର୍ଯ୍ୟ କରିବେ । ଈଶ୍ୱରଙ୍କ କୃପା ଓ ସମସ୍ତଙ୍କ ସହଯୋଗରେ ଏକତ୍ର ଯାତ୍ରା କରିବା, ସେବା କରିବା ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ । ଆଫ୍ରିକାର ଦୀର୍ଘବର୍ଷ ମିଶନାରୀ ଅନୁଭୁତି ଓ ଅଭିଜ୍ଞତାକୁ ଗୁରୁତ୍ୱ ଦେଇ ସମସ୍ତଙ୍କୁ ସେବା ପ୍ରଦାନ କରିବା ଏବଂ ସ୍ୱର୍ଗତ ବିଶପ ସାଇମନ କାଇପୁରମଙ୍କ ସ୍ୱପ୍ନକୁ ସାକାର କରିବାକୁ ନିରନ୍ତର ଚେଷ୍ଟା କରିବେ ବୋଲି ପ୍ରକାଶ କରିଥିଲେ । କୃଷ୍ଣଚନ୍ଦ୍ର୍ରପୁରର ପ୍ୟାରିସ ୟୁଥ, ମୟୁରଭଞ୍ଜର ମନୋ ବିକାଶ ଛାତ୍ରୀ ଓ ବାଲେଶ୍ୱର ଡାଇଓସିସିର ସିଷ୍ଟରଙ୍କ ପକ୍ଷରୁ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା । କ୍ୟାଥଲିକ ଚର୍ଚ୍ଚ, ଜ୍ୟୋତି ହସପିଟାଲ, ବାଲେଶ୍ୱର ସାମାଜିକ ସେବା ସଂସ୍ଥା (ବିଏସ୍ଏସ୍ଏସ୍) କନଭେଣ୍ଟ ସ୍କୁଲ ସମେତ ସ୍ଥାନୀୟ ଶ୍ରୀକଣ୍ଠପୁର କ୍ୟାଥଲିକ ଯୁବକ ସଂଘ ଏବଂ ଜିଲାର ବିଭିନ୍ନ କ୍ୟାଥଲିକ ଅନୁଷ୍ଠାନର କର୍ମକର୍ତ୍ତା ଓ ସଦସ୍ୟମାନେ ଏହି ଦାୟିତ୍ୱଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ ।