ଭାରତୀୟ ଭ୍ୟାକସିନ ଦେବାକୁ ସେନା ମୁଖ୍ୟ ନରଓ୍ବଣେଙ୍କୁ ଚିଠି ଲେଖିଲେ ନେପାଳର ଅବସରପ୍ରାପ୍ତ ଗୋର୍ଖା ସୈନିକ
ନୂଆଦିଲ୍ଲୀ : ଭାରତୀୟ ସେନାରେ ପୂର୍ବରୁ କାର୍ଯ୍ୟ କରିଥିବା ପଡୋଶୀ ନେପାଳର ଗୋର୍ଖା ସୈନିକମାନେ ଟିକା ପାଇଁ ଭାରତୀୟ ସେନା ମୁଖ୍ୟ ଏମ. ଏମ. ନରଓ୍ବଣେଙ୍କୁ ଅନୁରୋଧ କରିଛନ୍ତି । ଗୋର୍ଖା ସୈନିକ ଏବଂ ତାଙ୍କ ପରିବାର ଲୋକଙ୍କୁ ଭାରତୀୟ ଭ୍ୟାକସିନ ଦେବାକୁ ସେମାନେ ସେନାମୁଖ୍ୟଙ୍କୁ ଅନୁରୋଧ କରିଛନ୍ତି । ଏଭଳି ସମୟରେ ସେମାନେ ଅନୁରୋଧ କରିଛନ୍ତି ଯେତେବେଳେକି ନେପାଳରେ ମହାମାରୀର ମାତ୍ରା ବୃଦ୍ଧିପାଇବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧିପାଇବାରେ ଲାଗିଛି ।
ଚିଠି ଅନୁସାରେ ପୂର୍ବରୁ ଭାରତୀୟ ସେନାରେ ଗୋର୍ଖା ସୈନିକ ଭାବେ କାର୍ଯ୍ୟ କରିସାରିଥିବା ଏବଂ ଯେଉଁ ମାନେକି ନେପାଳର ମୂଳ ବାସିନ୍ଦା ସେମାନଙ୍କ ମଧ୍ୟରୁ ୧୫୦ରୁ ଉର୍ଦ୍ଧ୍ବଙ୍କ ମୃତ୍ୟୁ ହୋଇସାରିଲାଣି । ଏମାନଙ୍କ ମଧ୍ୟରୁ କେହିବି କୋଭିଡ ଭ୍ୟାକସିନ ନେଇନଥିଲେ । ନେପାଳରେ ଏବେ କୋଭିଡ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । କିନ୍ତୁ ନେପାଳ ସରକାର ଏହାକୁ ଆୟତ କରିବା ଏବଂ ଭ୍ୟାକସିନ ଯୋଗଇବାରେ ବିଫଳ ହୋଇଛନ୍ତି । ଯାହାଫଳରେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧିପାଇବାରେ ଲାଗିଛି । ନେପାଳ ଟିକା ପାଇଁ ମୁଖ୍ୟତଃ ଅନ୍ୟ ଦେଶମାନଙ୍କ ଉପରେ ନିର୍ଭର କରିଥାଏ । କ୍ଷୋଭର ସହ ସେମାନେ ଚିଠିରେ ଲେଖିଛନ୍ତି, ନା ଭାରତ ସରକାର ନା ନେପାଳ ସରକାର କେହିବି ସେମାନଙ୍କ ଅଗ୍ରାଧିକାର ଭିତ୍ତିରେ ଟିକା ଦେଉନାହାନ୍ତି । ଇସିଏଚଏସ ଭାରତରେ ଏହାର ପଲିକ୍ଲିନିକ୍ସ ମାଧ୍ୟମରେ ଇଏସଏମ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ଟିକା ପ୍ରଦାନ କରୁଥିବାବେଳେ ନେପାଳର ଅବସରପ୍ରାପ୍ତ ଗୋର୍ଖା ସୈନିକମାନେ ଏପର୍ଯ୍ୟନ୍ତ ପ୍ରଥମ ଟିକା ନେଇନାହାନ୍ତି । ତେବେ ବର୍ତ୍ତମାନ ପାଇଁ ୩ ଲକ୍ଷ ଡୋଜ ଭ୍ୟାକସିନ୍ ଅଗ୍ରାଧିକାର ଭିତ୍ତିରେ ଦେବା ପାଇଁ ଚିଠି ଲେଖି ସେମାନେ ଜଣାଇଛନ୍ତି । ଏହା ଦ୍ୱାରା ହଜାର ହଜାର ସଂଖ୍ୟାରେ ଅବସରପ୍ରାପ୍ତ ଗୋର୍ଖା ସୈନିକମାନଙ୍କୁ ଟିକାକରଣ କରାଯାଇପାରିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।