ଜୁଲାଇ ୬ରେ ମାଟ୍ରିକ୍ ପରୀକ୍ଷା ଫଳ : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଆଗାମୀ ଜୁଲାଇ ୬ ତାରିଖ ଦିନ ଗୋଟାଏ ବେଳେ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇବ । ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ । ସେ କହିଛନ୍ତି ଯେ bseodisha.ac.in ଏବଂ odisharesult.nic.in ରେ ଉପଲବ୍ଧ ହେବ । ସେ କହିଛନ୍ତି ଏବେ ମାଟ୍ରିକ୍ ପରୀକ୍ଷା ଖାତା ଦେଖା ସରିଥିବା ବେଳେ ଅନ୍ୟାନ୍ୟ ଆନୁସାଙ୍ଗିକ କାର୍ଯ୍ୟ ଚାଲିଛି । ନିର୍ଭୁଲ ପରୀକ୍ଷାଫଳ ପ୍ରକାଶ ପାଇଁ ଉଦ୍ୟମ ଜାରି ରହିଛି ।
ସେହିପରି ବୋର୍ଡ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ଯେ ଆସନ୍ତା ଜୁଲାଇ ୬ ତାରିଖ ଦିନ ୧ଟାରେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି ବୋର୍ଡ ୱେବସାଇଟ୍ ବ୍ୟତୀତ odisharesult.nic.inରେ ମଧ୍ୟ ପରୀକ୍ଷାଫଳ ଉପଲବ୍ଧ ହେବ । ସେହିପରି ପରୀକ୍ଷାର୍ଥୀ ମାନେ ମଧ୍ୟ ମୋବାଇଲ ମାଧ୍ୟମରେ ଫଳାଫଳ ଜାଣିପାରିବେ । ନିଜର ମୋବାଇଲ ରୁ ଓଆର୧୦ ଏବଂ ନିଜର ରୋଲ ନମ୍ବରକୁ ଟାଇପ କରି ୫୬୭୬୭୫୦ କୁ ପଠାଇଲେ ଫଳାଫଳ ଜାଣିହେବ ବୋଲି ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ପୂର୍ବରୁ ଓ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସୂଚନା ଦେଇଥିଲେ । ଉଲ୍ଲେଖନୀୟ ଯେ କରୋନା ମହାମାରୀ ଯୋଗୁଁ ୨ବର୍ଷ ପରେ ଏଥର ଅଫଲାଇନରେ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ଚଳିତ ବର୍ଷ ୩, ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏପ୍ରିଲ ୨୯ରୁ ମେ ୭ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିଥିଲା । ମଧ୍ୟମା ଓ ଓପନ ସ୍କୁଲ ପିଲାଙ୍କୁ ମିଶାଇଲେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପିଲା ୩୫୪୦ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ।
ଗତ ମଇ ମାସ ୨୧ ତାରିଖରେ ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ରେଗୁଲାର ପରୀକ୍ଷା ସହିତ ଏସ୍ଓସ୍ ଓ ମଧ୍ୟମା ପରୀକ୍ଷାର ଖାତା ମୂଲ୍ୟାୟନ ହୋଇଥିଲା । ରାଜ୍ୟର ମୋଟ୍ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହୋଇଥିଲା । ଖାତା ଦେଖା ପାଇଁ ୪୮୧ ଜଣ ମୁଖ୍ୟ ପରୀକ୍ଷକଙ୍କ ସହ ୯୦୦ ଜଣ ଉପ ପରୀକ୍ଷକ, ୮୯୧୯ ଜଣ ସହକାରୀ ପରୀକ୍ଷକ ଓ ୯୩୦ ଜଣ ସ୍କ୍ରୁଟିନାଇଜର ଏଥିରେ ନିୟୋଜିତ ହୋଇଥିଲେ ।