ଗଣତନ୍ତ୍ର ଦିବସ ପରେଡ-୨୦୨୨ : ଶ୍ରେଷ୍ଠ ସ୍ଥାନ ହାସଲ କଲା ଉତର ପ୍ରଦେଶ ମେଢ
ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ପରେଡ-୨୦୨୨ରେ ସାମିଲ ପ୍ରଜ୍ଞାପନ ମେଢ ମଧ୍ୟରୁ ଉତର ପ୍ରଦେଶର ମେଢ ଶ୍ରେଷ୍ଠ ସ୍ଥାନ ହାସଲ କରିଛି । ରାଜ୍ୟ ତରଫରୁ କାଶୀ ବିଶ୍ୱନାଥ କରିଡର ଉପରେ ଆଧାରିତ ପ୍ରଜ୍ଞାପନ ମେଢ ପ୍ରଦର୍ଶନରେ ସାମିଲ କରାଯାଇଥିଲା । ଏହାଛଡା ପପୁଲାର ଚଏସ ବର୍ଗରେ ମହାରାଷ୍ଟ୍ରକୁ ପ୍ରଥମ ସ୍ଥାନ ମିଳିଛି । ସେହିପରି କେନ୍ଦ୍ରୀୟ ସଶସ୍ତ୍ର ବଳ ମଧ୍ୟରେ ସିଆଇଏସଏଫକୁ ସର୍ବଶ୍ରେଷ୍ଠ ମାର୍ଚ୍ଚିଂ ଦଳ ଘୋଷଣା କରାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ସେନାଗୁଡିକ ମଧ୍ୟରୁ ଭାରତୀୟ ନୌସେନାକୁ ସର୍ବଶ୍ରେଷ୍ଠ ମାର୍ଚ୍ଚିଂ ଦଳ ରୁପରେ ଚୟନ କରାଯାଇଛି । ଏଥିରେ ପପୁଲାର ଚଏସ ବର୍ଗରେ ଭାରତୀୟ ବାୟୁସେନା ପ୍ରଥମ ସ୍ଥାନରେ ରହିଛି । ସେହିପରି ଗଣତନ୍ତ୍ର ଦିବସ ପରେଡରେ ନଅଟି ମନ୍ତ୍ରଣାଳୟର ପ୍ରଜ୍ଞାପନ ମେଢ ସ୍ଥାନ ପାଇଥିଲା । ଏହି ମନ୍ତ୍ରଣାଳୟ ଗୁଡିକ ମଧ୍ୟରେ ହୋଇଥିବା ପ୍ରତିଯୋଗୀତାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଶିକ୍ଷା ମନ୍ତ୍ରଣାଳୟକୁ ମିଳିତ ରୁପେ ବିଜେତା ଘୋଷଣା କରାଯାଇଛି । ଗଣତନ୍ତ୍ର ଦିବସ ପରେଡରେ ଚିଳତ ଥର ୧୨ଟି ରାଜ୍ୟର ପ୍ରଜ୍ଞାପନ ମେଢ ସାମିଲ ହୋଇଥିଲା । ଏଥିରେ ଉତର ପ୍ରଦେଶ, ମହାରାଷ୍ଟ୍ର, ଜମ୍ମୁ କଶ୍ମୀର, ଗୋଆ, ଉତରାଖଣ୍ଡ, ପଞ୍ଜାବ ପରି ରାଜ୍ୟ ସାମିଲ ଥିଲେ । ଉତର ପ୍ରଦେଶ, ମହାରାଷ୍ଟ୍ର ଏବଂ ଜମ୍ମୁ କଶ୍ମୀରର ପ୍ରଜ୍ଞାପନ ମେଢ ବେଶ ପ୍ରଶଂସା ସାଉଁଟିଥିଲା ।