ଗଙ୍ଗାହାର ନଦୀ ବନ୍ଧର ମରାମତି ପାଇଁ ବିଭଗୀୟ ଅଧିକାରିଙ୍କୁ ତାଗିଦ୍ କଲେ ରେମୁଣା ବିଧାୟକ
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ଦେଇ ପ୍ରବାହିତ ବିଭିନ୍ନ ନଦୀ ଯଥା ସୋନ, ଗଙ୍ଗାହାର, ବୁଢ଼ାବଳଙ୍ଗରେ ବନ୍ୟା ଯୋଗୁଁ ପ୍ରତିବର୍ଷ ବହୁ ଧନଜୀବନ ନଷ୍ଟ ହୋଇଥାଏ । ଗଙ୍ଗାହାର ନଦୀ କୂଳରେ ଅବସ୍ଥିତ ଗୁଡୁଦା ଓ ଦୁର୍ଗାଦେବୀ ପଞ୍ଚାୟତରେ ଗତବର୍ଷ ନଦୀ ବନ୍ଧରେ ବଡ଼ ବଡ଼ ଘାଇ ସୃଷ୍ଟି ହୋଇଥିଲା । ଏହାର ପ୍ରତିକାର ପାଇଁ ଉକ୍ତ ଅଞ୍ଚଳର ଅଧିବାସୀମାନଙ୍କ ଅନୁରୋଧ କ୍ରମେ ଶୁକ୍ରବାର ରେମୁଣାର ନବନିର୍ବାଚିତ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଇରିଗେସନ ଡିପାର୍ଟମେଣ୍ଟର ଅଧିକାରୀଙ୍କୁ ନେଇ ସେଠାରେ ପହଞ୍ଚିଥିଲେ ।
ଉଭୟ ପଞ୍ଚାୟତର ଅଧିବାସୀମାନଙ୍କୁ ବସାଇ ଏହାର ପ୍ରତିକାର ପାଇଁ ବିଭଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ବର୍ଷା ପୂର୍ବରୁ ଘାଇ ଗୁଡ଼ିକର ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉଭୟ ପଞ୍ଚାୟତବାସୀ ଉଦୟପୁର ଠାରୁ ଭଦ୍ରାସିୟା ଭାୟା ଦେଖଣ୍ଡ ପର୍ଯ୍ୟନ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ । ବିଧାୟକ ଶ୍ରୀ ଦାସ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିଜ ପ୍ରାଣପଣେ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଧାୟକଙ୍କ ସହିତ ଗୋପୀନାଥ ସେନାପତି, କାର୍ତ୍ତିକ ଚନ୍ଦ୍ର ଗିରି, ଶୋଭନା ମହାନ୍ତି, ଗିରିଧାରୀ ଦାସ, ଉମାକାନ୍ତ ପଣ୍ଡା, କୃଷ୍ଣ ଚନ୍ଦ୍ର ସାହା, କାହ୍ନୁ ଚରଣ ବେହେରା, ବସନ୍ତ ପ୍ରଧାନ, ଦେବେନ୍ଦ୍ର ମଣ୍ଡଳ, ନାରାୟଣ ମହନ୍ତ, ମହେଶ୍ୱର ପ୍ରଧାନ, ରଘୁନାଥ ଦଳେଇ, କାଲିଚରଣ ମଲ୍ଲିକ ପ୍ରମୁଖ ବରିଷ୍ଠ କାର୍ଯ୍ୟକର୍ତ୍ତା ଏବଂ ଦୁଇଟି ପଞ୍ଚାୟତର ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।