ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ଅନିଲ୍ ଅମ୍ୱାନୀଙ୍କ ଅର୍ଥନୈତିକ ସମସ୍ୟାରେ ସୁଧାର
ମୁମ୍ୱାଇ : ସୁଧୁରୁଛି ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ଅନିଲ୍ ଅମ୍ୱାନୀଙ୍କ ଅର୍ଥନୈତିକ ସମସ୍ୟା । ଗତ କିଛି ବର୍ଷ ଧରି ଅନେକ ସମସ୍ୟା ଦେଇ ଗତି କରୁଥିବା ଅନିଲ୍ ଅମ୍ବାନୀଙ୍କ କମ୍ପାନୀ ସମୁହ ପାଇଁ ଏବେ ଭଲ ଖବର ସାମ୍ନାକୁ ଆସିଛି । ଗତ ୩ ମାସରେ ଅନିଲ୍ ଅମ୍ବାନୀ ସମୁହ କମ୍ପାନୀର ବଜାର ପୁଞ୍ଜିକରଣରେ ୧୦୦୦ ପ୍ରତିଶତରୁ ମଧ୍ୟ ଅଧିକ ବୃଦ୍ଧି ହୋଇଛି । ଚଳିତ ବର୍ଷ ମାର୍ଚ୍ଚରେ ଅନିଲ୍ ଅମ୍ବାନୀଙ୍କ ରିଲାଏନ୍ସ ସମୂହର କମ୍ପାନୀମାନଙ୍କର ମାର୍କେଟ କ୍ୟାପ୍ ହ୍ରାସ ପାଇ ମାତ୍ର ୭୩୩ କୋଟି ଟଙ୍କାରେ ପହଞ୍ଚିଯାଇଥିଲା । କିନ୍ତୁ ଏବେ ଏହା ବୃଦ୍ଧି ପାଇ ୮,୨୮୮ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଛି । କେବଳ ମେ ମାସରେ ଅନିଲ୍ ଅମ୍ବାନୀଙ୍କ ଗ୍ରୁପର କମ୍ପାନୀଗୁଡ଼ିକର ବଜାର ପୁଞ୍ଜିରେ ୩୮୯୦ କୋଟି ଟଙ୍କା ବୃଦ୍ଧି ହୋଇଛି ।
ସେୟାର ବଜାରରେ କେବଳ ଗତ ୩ ମାସରେ ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍ଚର, ରିଲାଏନ୍ସ ପାୱର ଓ ରିଲାଏନ୍ସ କ୍ୟାପିଟାଲର ବଜାର ପୁଞ୍ଜିରେ ୧୦୦୦ ପ୍ରତିଶତରୁ ଅଧିକ ବୃଦ୍ଧି ଆସିଛି । ରିଲାଏନ୍ସ ପାୱରର ମାର୍କେଟ୍ ପ୍ୟାପ୍ ବୃଦ୍ଧି ପାଇ ୪୭୮୦ କୋଟି ଟଙ୍କା, ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍ଚରର ପ୍ରାୟ ୨୮୧୪ କୋଟି ଟଙ୍କା ଓ ରିଲାଏନ୍ସ କ୍ୟାପିଟାଲର ପ୍ରାୟ ୬୯୪ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଛି । କହିରଖୁଛୁ ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍ଚର, ରିଲାଏନ୍ସ ପାୱର ଓ ରିଲାଏନ୍ସ କ୍ୟାପିଟାଲରୁ ପ୍ରାୟ ୫୦ ଲକ୍ଷ ଛୋଟ ନିବେଶକଙ୍କ ପଇସା ଲାଗିଛି । ତେଣୁ ଏହା ବଢିବା ଫଳରେ ସେମାନଙ୍କୁ ମଧ୍ୟ ଫାଇଦା ହୋଇଛି । ରିଲାଏନ୍ସ ପାୱରରେ ପ୍ରାୟ ୩୩ ଲକ୍ଷ ଛୋଟ ନିବେଶକ, ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍ଚରରେ ୯ ଲକ୍ଷ ଛୋଟ ନିବେଶକ ଓ ରିଲାଏନ୍ସ କ୍ୟାପିଟାଲରେ ୮ ଲକ୍ଷ ଛୋଟ ନିବେଶକ ଯୋଡି ହୋଇଛନ୍ତି ।