ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ ୪ କୋଟି ଟପିଲା, ଆଗରେ ଓଡ଼ିଶା
ଭୁବନେଶ୍ୱର: ମାତ୍ର ଦୁଇ ମାସ ମଧ୍ୟରେ ଇ-ଶ୍ରମ ପୋର୍ଟାଲରେ ୪ କୋଟିରୁ ଅଧିକ ଅସଂଗଠିତ କ୍ଷେତ୍ରର ଶ୍ରମିକ ପଞ୍ଜୀକରଣ କରିଛନ୍ତି । ସର୍ବାଧିକ ସଂଖ୍ୟକ ଶ୍ରମିକ ପଞ୍ଜୀକରଣ କରିବାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ସର୍ବାଗ୍ରେ ରହିଛି । ସଦ୍ୟତମ ତଥ୍ୟ ଅନୁଯାୟୀ, ଏହି ପୋର୍ଟାଲରେ ଓଡ଼ିଶାର ୮୮ ଲକ୍ଷ ୩୫ ହଜାର ୫୭୨ ଜଣ ଶ୍ରମିକ ପଞ୍ଜୀକରଣ କରିଛନ୍ତି । ଟୁଇଟ୍ ଯୋଗେ ଏହି ସୂଚନା ଦେଇ ଶ୍ରମ ଏବଂ ନିୟୋଜନ ମନ୍ତ୍ରୀ ଭୂପେନ୍ଦର ଯାଦବ କହିଛନ୍ତି ଯେ, ଏହି ପୋର୍ଟାଲରେ ପଞ୍ଜୀକରଣ କରିବା ପରେ ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ସହଜରେ ସରକାରୀ ଯୋଜନାଗୁଡ଼ିକର ଲାଭ ପାଇପାରିବେ । ନିର୍ମାଣ, ବସ୍ତ୍ର ଉତ୍ପାଦନ, ମତ୍ସ୍ୟଚାଷ, ଗିଗ୍ ଓ ପ୍ଲାଟଫର୍ମ କାମ, ଉଠାଦୋକାନୀ, ଘରୋଇ କର୍ମଜୀବୀ, କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ର, ପରିବହନ କ୍ଷେତ୍ର ଆଦି ବିଭିନ୍ନ କ୍ଷେତ୍ରର ଶ୍ରମିକମାନେ ଏହି ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି । ଏଥିମଧ୍ୟରୁ କେତେକ କ୍ଷେତ୍ରରେ ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକ ନିୟୋଜିତ ଅଛନ୍ତି । ପ୍ରବାସୀ ଶ୍ରମିକଙ୍କ ସମେତ ଅସଂଗଠିତ କ୍ଷେତ୍ରର ସମସ୍ତ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ କରିବା ଜରିଆରେ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଏବଂ ନିଯୁକ୍ତି ଆଧାରିତ ଯୋଜନାର ଲାଭ ପାଇବାକୁ ସକ୍ଷମ ହେବେ ।
ସଦ୍ୟତମ ତଥ୍ୟ ଅନୁଯାୟୀ, ୪.୦୯ କୋଟି ଶ୍ରମିକ ଏହି ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି । ଏଥିମଧ୍ୟରୁ ୫୦.୦୨ ପ୍ରତିଶତ ହିତାଧିକାରୀ ମହିଳା ଏବଂ ୪୯.୯୮ ପ୍ରତିଶତ ହିତାଧିକାରୀ ପୁରୁଷ । ପ୍ରାୟତଃ ସମାନ ସଂଖ୍ୟକ ପୁରୁଷ ଏବଂ ମହିଳାମାନେ ଏହି ଅଭିଯାନର ଅଂଶବିଶେଷ ହେବା ବିଶେଷ ଉତ୍ସାହଜନକ । ଲିଙ୍ଗ ଅନୁପାତରେ ସାପ୍ତାହିକ ପଞ୍ଜୀକରଣ ବୃଦ୍ଧି ପରିଲକ୍ଷିତ ହୋଇଛି । ପୁରୁଷ ଓ ମହିଳା ଶ୍ରମିକମାନେ ତୁଳନାତ୍ମକ ଭାବେ ପଞ୍ଜୀକରଣ କରୁଛନ୍ତି, ଯାହାକି ନିମ୍ନ ଗ୍ରାଫରେ ପ୍ରଦର୍ଶିତ କରାଯାଇଛି । ଏହି ପୋର୍ଟାଲରେ ଶ୍ରମିକ ପଞ୍ଜୀକରଣ କରିବାରେ ଓଡ଼ିଶା ସବୁଠୁ ଆଗରେ ରହିଥିବା ବେଳେ ଏହାପଛକୁ ପଶ୍ଚିମବଙ୍ଗ, ଉତର ପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶ ରହିଛନ୍ତି । ନିମ୍ନ ଗ୍ରାଫରେ ଏହାର ତଥ୍ୟ ପ୍ରଦାନ କରାଯାଇଛି । ତେବେ ଛୋଟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକରେ ମଧ୍ୟ ଶ୍ରମିକ ପଞ୍ଜୀକରଣ ସଂଖ୍ୟା ଉତ୍ସାହଜନକ ରହିଛି ।
କୃଷି ଏବଂ ନିର୍ମାଣ ଶ୍ରମିକ କ୍ଷେତ୍ରର ସର୍ବାଧିକ ସଂଖ୍ୟକ ଶ୍ରମିକ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି । ଭାରତରେ ଏହି ଦୁଇଟି କ୍ଷେତ୍ରରେ ସର୍ବାଧିକ ସଂଖ୍ୟକ ଲୋକମାନଙ୍କୁ ନିଯୁକ୍ତି ମିଳିଥାଏ । ଏହାଛଡ଼ା ଘରୋଇ ଏବଂ ପାରିବାରିକ ଶ୍ରମିକ, ବସ୍ତ୍ର ଉତ୍ପାଦନ କ୍ଷେତ୍ରର ଶ୍ରମିକ, ଅଟୋମୋବାଇଲ ଏବଂ ସାମଗ୍ରୀ ପରିବହନ ଶ୍ରମିକ, ଇଲେକ୍ଟ୍ରୋନିକ୍ସ ଏବଂ ହାର୍ଡୱେର ଶ୍ରମିକ, କ୍ୟାପିଟାଲ ସାମଗ୍ରୀ, ଶିକ୍ଷା, ସ୍ୱାସ୍ଥ୍ୟ, ଖୁଚୁରା ବ୍ୟବସାୟ, ପର୍ୟ୍ୟଟନ ଓ ଆତିଥେୟ, ଖାଦ୍ୟ ଉଦ୍ୟୋଗ ଏବଂ ଅହୁରି ବିଭିନ୍ନ ପେସା ଏବଂ କ୍ଷେତ୍ରର ଶ୍ରମିକମାନେ ଏହି ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି । ପଞ୍ଜୀକରଣ କରିଥିବା ୬୫.୬୮ ପ୍ରତିଶତ ଶ୍ରମିକଙ୍କ ବୟସ ୧୬ରୁ ୪୦ ବର୍ଷ ମଧ୍ୟରେ ଏବଂ ୩୪.୩୨ ପ୍ରତିଶତ ଶ୍ରମିକଙ୍କ ବୟସ ୪୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ରହିଛି । ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ସାଧାରଣ ବର୍ଗରୁ ଯଥାକ୍ରମେ ୪୩ ଏବଂ ୨୭ ପ୍ରତିଶତ ଶ୍ରମିକ ପଞ୍ଜୀକରଣ କରିଛନ୍ତି । ସେହିପରି ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗରୁ ଯଥାକ୍ରମେ ୨୩ ଏବଂ ୭ ପ୍ରତିଶତ ଶ୍ରମିକ ପଞ୍ଜୀକରଣ କରିଛନ୍ତି । ଇ-ଶ୍ରମ ମୋବାଇଲ ଆପ୍ଲିକେସନ କିମ୍ବା ୱେବସାଇଟ ମାଧ୍ୟମରେ ଶ୍ରମିକମାନେ ନିଜେ ଅନଲାଇନରେ ପଞ୍ଜୀକରଣ କରିପାରିବେ । ସେମାନେ ମଧ୍ୟ ଜନ ସେବା କେନ୍ଦ୍ର, ରାଜ୍ୟ ସେବା କେନ୍ଦ୍ର, ଶ୍ରମ ସୁବିଧା କେନ୍ଦ୍ର, ନିର୍ଦ୍ଦିଷ୍ଟ ଡାକ ଘରେ ଥିବା ଡାକ ବିଭାଗର ଡିଜିଟାଲ ସେବା କେନ୍ଦ୍ରକୁ ଯାଇ ଏହି ପୋର୍ଟାଲରେ ନିଜର ପଞ୍ଜୀକରଣ କରାଇ ପାରିବେ । ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ ପରେ ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ଏକ ଡିଜିଟାଲ ଇ-ଶ୍ରମ କାର୍ଡ ପାଇବେ ଏବଂ ସେମାନେ ପୋର୍ଟାଲ କିମ୍ବା ମୋବାଇଲ ଆପ୍ ମାଧ୍ୟମରେ ସେମାନଙ୍କର ପ୍ରୋଫାଇଲ ଅପଡେଟ୍ କରିପାରିବେ । ସେମାନଙ୍କୁ ଇ-ଶ୍ରମ କାର୍ଡ ଉପରେ ଗୋଟିଏ ଏକକ ପରିଚୟ ସଂଖ୍ୟା ମିଳିବ । ସାରା ଦେଶରେ ସାମାଜିକ ସୁରକ୍ଷା ଯୋଜନାର ଲାଭ ପାଇବା ପାଇଁ ଏହା ଗ୍ରହଣୀୟ ହେବ ।