ରାଜ୍ୟରେ କମିଛି ସଂକ୍ରମଣ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ସଂକ୍ରମଣ ଧୀରେ ଧୀରେ କମିବା ଆରମ୍ଭ ହୋଇଛି । ଗତ ୧୨ ତାରିଖ ଠାରୁ ଏହିପରି ଭାବେ ସଂକ୍ରମଣ କମିବା ଆରମ୍ଭ ହୋଇଛି । କିନ୍ତୁ ଟେଷ୍ଟିଂ ସଂଖ୍ୟା କମିନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେହିପରି ଟେଷ୍ଟିଂ ସଂଖ୍ୟା ବଢାଯାଇଛି । ଯାହାକି ୭୦ ହଜାର ଉପରେ ରହିଛି । ତେଣୁ ଆମକୁ ପିକ ଛୁଇଛେ ନା ନାହିଁ ଏଥିପାଇଁ ପାଇଁ ଆଉ ୨ ରୁ ୪ ଦିନ ଅପେକ୍ଷା କରିବାକୁ ପଡିବ । କାରଣ ଦ୍ୱିତୀୟ ଲହରରେ ଅନେକ ବିଶେଷଜ୍ଞ ଆକଳନ କରିଥିଲେ ଜୁଲାଇ ମାସରେ କମିବ ବୋଲି । କିନ୍ତୁ ଏହାକୁ କମିବାକୁ ଅକ୍ଟୋବର ମାସ ଯାଏଁ ଲାଗିଥିଲା । ଆସନ୍ତା କିଛି ଦିନ ଆମ ପାଇଁ ଗୁରୁତ୍ୱ ପୂର୍ଣ୍ଣ । ତେବେ ଆମେ ଦେଶ ଅପେକ୍ଷା ଭଲ ସ୍ଥିତରେ ଅଛନ୍ତି । ପଜିଟିଭିଟି ଅପେକ୍ଷା ଆମର ଗୁରୁତର ରୋଗୀଙ୍କ ସଂଖ୍ୟା ମଧ୍ୟ କମ୍ ରହିଛି । ନିୟମିତ ଭାବେ ରାଜ୍ୟ ସରକାର ପୁରା ସ୍ଥିତି ଉପରେ ନଜର ରଖିଛନ୍ତି ।
ସୂଚନା ଯେ, ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮,୫୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୯୪୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୫୭୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୯୩୭ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି । ଗତ ଶନିବାର ୮,୮୪୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜାନୁଆରି ୨୧ ତାରିଖରେ ୯,୮୩୩, ଜାନୁଆରି ୨୦ ତାରିଖରେ ୧୦,୩୬୮ଜଣ, ଜାନୁଆରି ୧୯ ତାରିଖରେ ୧୧,୬୦୭ ଜଣ, ଜାନୁଆରି ୧୮ରେ ୧୧,୦୮୬, ଜାନୁଆରି ୧୭ରେ ୧୦,୪୮୯, ୧୬ ତାରିଖରେ ୧୧,୧୭୭, ୧୫ ତାରିଖରେ ୧୦,୮୫୬, ଜାନୁଆରି ୧୪ରେ ୧୦,୨୭୩ , ଜାନୁଆରି ୧୩ରେ ୧୦,୦୫୯ ଜଣ, ଜାନୁଆରି ୧୨ରେ ୮୭୭୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।