ଗ୍ରୀଷ୍ମରେ ରେକର୍ଡ ବର୍ଷା, ୨୪ ଘଣ୍ଟାରେ ସ୍ବାଭାବିକ ଠାରୁ ୩,୮୯୬% ଅଧିକ ବର୍ଷା
ଭୁବନେଶ୍ୱର : ଦୁଇ ଦିନ ଧରି ରାଜ୍ୟରେ ଅନେକ ଜିଲାରେ ବର୍ଷା ହୋଇଥିବାରୁ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଥିଲା । ଏପରିକି କିଛି ସ୍ଥାନରେ ତାପମାତ୍ରା ସର୍ବନିମ୍ନ ସ୍ତରରେ ରହି ଅନେକ ବର୍ଷର ରେକର୍ଡ ଭାଙ୍ଗିଛି । ୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରେକର୍ଡ ବର୍ଷା ହୋଇଛି। ସ୍ବାଭାବିକ ଠାରୁ ୩ ହଜାର ୮୯୬ ପ୍ରତିଶତ ବର୍ଷା ରେକର୍ଡ ହୋଇଥିବା ବେଳେ ସ୍ବାଭାବିକ ଠାରୁ ୧୭ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି। ମାର୍ଚ୍ଚରେ ଏଭଳି ସ୍ଥିତି ସୃଷ୍ଟି ହୋଇ ପାରଦ ଖସିବା ବିରଳ ଘଟଣା ବୋଲି ପାଣିପାଗ ବିଭାଗ କହିଛି । ରାଜଧାନୀ ଭୁବନେଶ୍ଵରରେ ମାର୍ଚ୍ଚ ମାସରେ ସର୍ବନିମ୍ନ ଦିନ ତାପମାତ୍ରା ୭୧ ବର୍ଷର ରେକର୍ଡ ଭାଙ୍ଗିଛି । କୋହଲା ପାଗ ଯୋଗୁଁ ଭୁବନେଶ୍ୱରେ ଗତକାଲି ଦିନ ତାପମାତ୍ରା ୧୯ ଦଶମିକ ୨ ଡିଗ୍ରୀ ସେଲସିୟସକୁ ଖସି ଆସିଥିଲା । ଏହା ପୂର୍ବରୁ ୧୯୫୨ ମସିହା ମାର୍ଚ୍ଚରେ ଭୁବନେଶ୍ୱରରେ ସର୍ବନିମ୍ନ ମାର୍ଚ୍ଚ ତାପମାତ୍ରା ୨୪ ଦଶମିକ ୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ମାର୍ଚ୍ଚରେ ସର୍ବନିମ୍ନ ଦିନ ତାପମାତ୍ରା ଦୃଷ୍ଟିରୁ କଟକରେ ୨୧୧ ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ ବାରିପଦା, ଚାନ୍ଦବାଲି ଓ ପାରାଦୀପରେ ବର୍ଷ ବର୍ଷର ରେକର୍ଡ ଭଙ୍ଗ ହୋଇଛି।
ଗ୍ରୀଷ୍ମରେ ବର୍ଷାର ରେକର୍ଡ। ୨୪ ଘଣ୍ଟାରେ ସ୍ବାଭାବିକ ଠାରୁ ୩ହଜାର ୮୯୬ ପ୍ରତିଶତ ଅଧିକ ବର୍ଷିଲା। ବୌଦ୍ଧରେ ୨୪ ଘଣ୍ଟାରେ ସର୍ବାଧିକ ୪୭ ହଜାର ୭ଶହ ପ୍ରତିଶତ ଅଧିକ ବର୍ଷା ହୋଇଛି। ନୂଆପଡାରେ ସ୍ବାଭାବିକ ଠାରୁ ୨୧ ହଜାର ୭ଶହ ପ୍ରତିଶତ ବୃଷ୍ଟିପାତ ରେକର୍ଡ। ବିଗତ ୫ ବର୍ଷ ଧରି ମାର୍ଚ୍ଚ ୧୬ ରୁ ୨୦ ଭିତରେ ହେଉଛି ଏମିତି ବର୍ଷା। ବର୍ଷା ପାଗ ପାଇଁ ସ୍ବାଭାବିକ ଠାରୁ ୧୭ ଡିଗ୍ରୀ ଯାଏଁ କମିଛି ତାପମାତ୍ରା। କାଲିଯାଏଁ ଲାଗିରହିବ ଏଭଳି ପାଗ। ୨୨ ତାରିଖରୁ ପାଗ ବଦଳିବ। ନିମ୍ନ ଚାପରେଖା ସହ ଉପକୂଳ ଓଡ଼ିଶା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗୁରୁଚାପ ବଳୟ ଏବଂ ବାଂଲାଦେଶ ନିକଟରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଅଦିନିଆ ଲଗାଣ ବର୍ଷା ଜାରି ରହିଛି। ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ଏବଂ କିଛି ସ୍ଥାନରେ କୁଆପଥର ବୃଷ୍ଟି ହୋଇଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର।