ଆରସିବିକୁ ମିଳିଗଲା କୋହଲିଙ୍କ ବିକଳ୍ପ ! ଆଇପିଏଲ-୨୦୨୨ରେ ଏହି ଭାରତୀୟ ହେବେ ଅଧିନାୟକ
ନୂଆଦିଲ୍ଲୀ : ରନ୍ ମେସିନ ବିରାଟ କୋହଲିଙ୍କ ଅବସର ପରେ ଆଇପିଏଲ ଫ୍ରାଞ୍ଚାଇଜ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ (ଆରସିବି) ଏବେ ଅନାଥ ହେଇଯାଇଛି। ଦଳ ଏବେ ନୂଆ ଅଧିନାୟକ ଅନ୍ୱେଷଣରେ ଅଛି। ଏହି ସମୟରେ ଭାରତର ଯୁବ ବ୍ୟାଟ୍ସମ୍ୟାନ୍ ମନୀଷ ପାଣ୍ଡେଙ୍କ ନାମ ଆଗକୁ ଆସୁଛି। ରିପୋର୍ଟ ଅନୁସାରେ ମନୀଷ ହିଁ ସେହି ଭାରତୀୟ କ୍ରିକେଟର ଯିଏ, ବିରାଟ କୋହଲିଙ୍କୁ ରିପ୍ଲେସ କରିପାରିବେ।
ସୂଚନାଯୋଗ୍ୟ, ୩୨ ବର୍ଷିୟ ମନୀଷ ପାଣ୍ଡେ ୨୦୦୯ ମସିହାରେ ଆରସିବି ଦଳର ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ମନୀଷ, କୋଲକାତା ନାଇଟ୍ ରାଇଡର୍ସ, ପୁଣେ ୱାରିୟର୍ସ ଇଣ୍ଡିଆ ଏବଂ ସନରାଇଜର୍ସ ହାଇଦ୍ରାବାଦ ପରି ଅନେକ ଆଇପିଏଲ୍ ଫ୍ରାଞ୍ଚାଇଜ୍ ପାଇଁ ଖେଳିଛନ୍ତି। ସେ ରଣଜୀ ଟ୍ରଫି ଏବଂ ସୟଦ ମୁଶତାକ ଅଲି ଟ୍ରଫି ପରି ଘରୋଇ ଟୁର୍ନାମେଣ୍ଟରେ କର୍ଣ୍ଣାଟକ ଦଳର ନେତୃତ୍ତ୍ୱ ନେଇଛନ୍ତି। ଏଥିପାଇଁ ଆରସିବି, ଆଇପିଏଲ-୨୦୨୨ରେ ନିଜ ଦଳର ଅଧିନାୟକ ଭାବରେ ନିଯୁକ୍ତ କରିପାରେ। ସୂତ୍ରରୁ ପ୍ରକାଶ ଯେ, ଫେବୃଆରୀରେ ହେବାକୁ ଥିବା ଆଇପିଏଲ ଆକ୍ସନରେ ଆରସିବି, ମନିଷ ପାଣ୍ଡେଙ୍କୁ କିଣିପାରେ, କାରଣ ସେ ଦଳର ଅଧିନାୟକ ହେବା ବ୍ୟତୀତ ତିନି ନମ୍ବରରେ ବ୍ୟାଟିଂ ମଧ୍ୟ କରିପାରିବେ। ଯାହା ଦଳର ବ୍ୟାଟିଂ ଲାଇନକୁ ସଦୃଢ କରିବ। ପାଣ୍ଡେ ଏପର୍ଯ୍ୟନ୍ତ ୧୫୪ଟି ଆଇପିଏଲ୍ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରୁ ହାରାହାରି ୩୦.୬୮ ରେଟରେ ୩୫୬୦ ରନ୍ ସ୍କୋର କରିଛନ୍ତି।